Home Judiciary ପେନସନ୍‍ ମାମଲାକୁ ୪ସପ୍ତାହରେ ସାର

ପେନସନ୍‍ ମାମଲାକୁ ୪ସପ୍ତାହରେ ସାର

ଭୁବନେଶ୍ୱର : ସୁଶ୍ରୀ ଜାନକୀ ଦାସଙ୍କ ବୟସ ପ୍ରାୟ ୭୦ବର୍ଷ । ୩୧ ବର୍ଷ ଧରି ସରକାରୀ ଚାକିରି କରିବା ପରେ ୨୦୧୪ରେ ଅବସର ଗ୍ରହଣ କରିଛନ୍ତି । ସରକାରୀ ଚାକିରିରୁ ଅବସର ଗ୍ରହଣର ପ୍ରଥମ ଦିନରେ ହିଁ ପେନ୍‍ସନ୍‍ ମିଳିବ ବୋଲି ସରକାରଙ୍କ ପକ୍ଷରୁ ବାରମ୍ବାର ଯେଉଁ ଘୋଷଣା କରାଯାଉଛି ତାହା ସତେ ଯେପରି ଏହି ଭିନ୍ନକ୍ଷମ ଅବିବାହିତା ମହିଳାଙ୍କ ପାଇଁ ପ୍ରଯୁଜ୍ୟ ନୁହେଁ । ଏହି ଘଟଣାରେ ଓଡ଼ିଶା ହାଇକୋର୍ଟ ଅସନ୍ତୋଷ ବ୍ୟକ୍ତ କରିବା ସହିତ ୪ ସପ୍ତାହ ଭିତରେ ଜାନକୀଙ୍କ ଯାତନାର ପରିସମାପ୍ତି ଘଟାନଗଲେ ସ୍ୱାସ୍ଥ୍ୟ ବିଭାଗର ଶାସନ ସଚିବଙ୍କୁ ବ୍ୟକ୍ତିଗତ ଭାବେ ଅଦାଲତରେ ହାଜର ହେବାକୁ ପଡ଼ିବ ବୋଲି ତାଗିଦ କରିଛନ୍ତି ।

୧୯୮୩ ମସିହାରେ ସ୍ୱାସ୍ଥ୍ୟ ବିଭାଗର ଚକ୍ଷୁ ଚିକିତ୍ସା ଶାଖାର ଜଣେ ସହକାରୀ ଭାବେ ଚାକିରି ଜୀବନ ଆରମ୍ଭ କରି ସେ ୨୦୧୪ ମସିହାରେ ସାଲେପୁର ସ୍ୱାସ୍ଥ୍ୟ କେନ୍ଦ୍ରରୁ ଅବସର ଗ୍ରହଣ କରିଛନ୍ତି । ଜଣେ ଭିନ୍ନକ୍ଷମ ମହିଳା ବୋଲି ଜାଣି ସୁଦ୍ଧା ବିଭିନ୍ନ ସମୟରେ ତାଙ୍କୁ ଦୂରଦୂରାନ୍ତକୁ ବାରମ୍ବାର ବଦଳି କରାଯାଏ ବିଭିନ୍ନ ମହଲରେ ନେହୁରା ହେବା ପରେ ତାଙ୍କର ବଦଳି ଆଦେଶରେ ପରିବର୍ତ୍ତନ ହୁଏ । ଏହି ପ୍ରକ୍ରିୟାରେ ତାଙ୍କର କିଛିଦିନର ଛୁଟି ମଞ୍ଜୁର ହୋଇନାହିଁ । ଏହାକୁ ଆଳ କରି ତାଙ୍କର ବେତନ ଠିକଣା ଭାବେ ନିର୍ଦ୍ଧାରଣ କରାଯାଇନଥିବାରୁ ଅବସରଗ୍ରହଣ କରିବା ବେଳକୁ ସେ ଢେର କମ୍‍ ବେତନ ପାଉଥିଲେ । ଏହି ଆଧାରରେ ବହୁଦିନ ପରେ ତାଙ୍କୁ ପ୍ରୋଭିଜିନାଲ୍‍ ପେନ୍‍ସନ୍‍ ଦିଆଯାଇଥିଲେ ମଧ୍ୟ ନିୟମିତ ପେନ୍‍ସନ୍‍ ଓ ଅବସରକାଳୀନ ଆର୍ଥିକ ସୁବିଧାରୁ ଏଯାବତ ଅନେକ ମିଳିନାହିଁ କିମ୍ବା ତାଙ୍କ ବକେୟା ବେତନ ବି ଦିଆଯାଉ ନାହିଁ କି ସର୍ଭିସ୍‍ ବହିକୁ ନିୟମିତ କରାଯାଉନାହିଁ ।

ଚାକିରିରେ ଥିବାବେଳେ ଓ ଅବସର ଗ୍ରହଣ କରିବା ପରେ ସୁଶ୍ରୀ ଜାନକୀ ଦାସ ଏ ସଂକ୍ରାନ୍ତରେ ବିଭିନ୍ନ ମହଲରେ ବାରମ୍ବାର ଗୁହାରି କରି ନିରାଶ ହେବାରୁ ଓଡ଼ିଶା ହାଇକୋର୍ଟରେ ନ୍ୟାୟ ଭିକ୍ଷା କରିଥିଲେ । ୨୦୨୪ ଏପ୍ରିଲ ୨୨ ତାରିଖରେ ଓଡ଼ିଶା ହାଇକୋର୍ଟ ଆବେଦନକାରୀଙ୍କ ସମସ୍ୟାର ତ୍ୱରିତ ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏଯାବତ୍‍ କେହି କିଛି କର୍ଣ୍ଣପାତ ନକରିବାରୁ ସେ ପୁଣିଥରେ ଓଡ଼ିଶା ହାଇକୋର୍ଟରେ ପ୍ରସଂଗ ଉଠାଇଥିଲେ । ହାଇକୋର୍ଟର ଅନ୍ୟତମ ବିଚାରପତି ଆଦିତ୍ୟ କୁମାର ମହାପାତ୍ର ମାମଲାଟିର ବିସ୍ତୃତ ଶୁଣାଣି କରି ୪ସପ୍ତାହ ମଧ୍ୟରେ ଏହି ସମସ୍ୟାର ସମାଧାନ କରିବା ପାଇଁ ଗତ ୧୪ ତାରିଖରେ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ସ୍ପଷ୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଥିରେ ତ୍ରୁଟି ହେଲେ କର୍ତ୍ତୃପକ୍ଷ ଇଚ୍ଛାକୃତ ଭାବେ ଆଇନ୍‍ ଅଦାଲତଙ୍କ ଆଦେଶର ଅବମାନନା କରୁଛନ୍ତି ବୋଲି ଧରିନିଆଯାଇ ସ୍ୱାସ୍ଥ୍ୟ ବିଭାଗର ଶାସନ ସଚିବଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ କୁହାଯିବ ବୋଲି ତାଗିଦ କରିଛନ୍ତି ।

ଏହି ଶାରୀରିକ ଭିନ୍ନକ୍ଷମ ଅବସରପ୍ରାପ୍ତ କର୍ମଚାରୀଙ୍କୁ ଆଇନ୍‍ ସହାୟତାର ହାତ ବଢ଼ାଛନ୍ତି ଅଭିଜ୍ଞ ଆଇନ୍‍ଜୀବୀ ପ୍ରହଲାଦ ସିଂହ ଓ ଅମୀୟ ଛାଟୋଇ । ବିଭାଗୀୟ ଅଧିକାରୀଙ୍କ ସକରାତ୍ମକ ଚିନ୍ତାଧାରା ରହିଲେ ଏଭଳି ଏକ ସମ୍ବେଦନଶୀଳ ପ୍ରସଂଗର ସମାଧାନ ସପ୍ତାହକ ଭିତରେ ହୋଇପାରିବ । ବଦଳି ଜନିତ କାରଣରୁ ସେ ଯେତିକି ଦିନ କାର୍ଯ୍ୟରେ ଅନୁପସ୍ଥିତ ରହିଛନ୍ତି ତାହାକୁ ଛୁଟି ଆକାରରେ ମଞ୍ଜୁର କରାଯାଇପାରିବ କିମ୍ବା ଏହି ସମମୟକୁ କାମ ନାହିଁ ତ ଦରମା ନାହିଁ ଭାବେ ଗ୍ରହଣ କରି ସେବା ପୁସ୍ତିକଟି ନିୟମିତ କରାଯିବା ସହିତ ତାଙ୍କ ବେତନ, ଇନ୍‍କ୍ରିମେଣ୍ଟ ଆଦି ଠିକଣା ଭାବେ ସ୍ଥିର କରାଯାଇ ନିୟମିତ ପେନ୍‍ସନରୁ ବଞ୍ôଚତ ଏହି ବୃଦ୍ଧାଙ୍କୁ କର୍ତ୍ତୃପକ୍ଷ ତ୍ୱରିତ ନ୍ୟାୟ ଦେଇପାରିବେ । ଆବେଦନକାରିଣୀ ସୁଶ୍ରୀ ଜାନକୀ ଦାସ କହିଛନ୍ତି ଯେ ଆଇନ୍‍ ଅଦାଲତ ଓ ଉଚ୍ଚ ପ୍ରଶାସନିକ ବ୍ୟବସ୍ଥା ଉପରେ ତାଙ୍କର ଭରସା ଅଛି ଓ ତାଙ୍କୁ ତ୍ୱରିତ ନ୍ୟାୟ ସରକାର ପ୍ରଦାନ କରିବେ ବୋଲି ସେ ଏବେ ବି ଆଶା ରଖିଛନ୍ତି । (ତଥ୍ୟ)