Home Administration ପୂର୍ତ୍ତ ବିଭାଗରେ ଯନ୍ତ୍ରୀ ପଦବୀ ଖାଲି

ପୂର୍ତ୍ତ ବିଭାଗରେ ଯନ୍ତ୍ରୀ ପଦବୀ ଖାଲି

ଭୁବନେଶ୍ୱର : ପୂର୍ତ୍ତ ବିଭାଗର ପ୍ରମୁଖ କାର୍ଯ୍ୟ ଯନ୍ତ୍ରୀମାନଙ୍କ ଉପରେ ନିର୍ଭର କରୁଥିବାବେଳେ ବିଭାଗରେ କିନ୍ତୁ ୨ହଜାରରୁ ଅଧିକ ଯନ୍ତ୍ରୀ ପଦବୀ ଖାଲି ପଡିଛି । ସର୍ବୋଚ୍ଚ ଯନ୍ତ୍ରୀଙ୍କ ଠାରୁ ଆରମ୍ଭ କରି କନିଷ୍ଠ ଯନ୍ତ୍ରୀଙ୍କ ପର୍ଯ୍ୟନ୍ତ ହଜାର ହଜାର ପଦବୀ ଖାଲି ବିଭାଗୀୟ କାର୍ଯ୍ୟରେ ପ୍ରତିବନ୍ଧକ ସାଜୁଥିବା ନେଇ ଖୋଦ୍‍ ଯନ୍ତ୍ରୀମାନେ ସ୍ୱୀକାର କରୁଛନ୍ତି ।

ପୂର୍ତ୍ତ ବିଭାଗର ଇଞ୍ଜିନିୟରିଂ କ୍ୟାଡରରେ ୪୫୫୯ଟି ମଞ୍ଜୁରୀପ୍ରାପ୍ତ ପଦବୀ ରହିଥିବାବେଳେ ଏଥିରୁ ୨୦୬୫ଟି ପଦବୀ ଖାଲି ପଡିଛି । ସର୍ବୋଚ୍ଚ ଯନ୍ତ୍ରୀ ପାହ୍ୟାରେ ୮ଟି ପଦବୀ ଥିବାବେଳେ ଏଥିରୁ ୨ଟି ଖାଲି ପଡିଛି । ସେହିଭଳି ମୁଖ୍ୟମନ୍ତ୍ରୀ ପାହ୍ୟାରେ ଥିବା ୨୩ଟି ପଦବୀ ମଧ୍ୟରୁ ୨ଟି ଖାଲି ପଡିଥିବାବେଳେ ଅତିରିକ୍ତ ମୁଖ୍ୟମନ୍ତ୍ରୀ ପାହ୍ୟାରେ ୬୦ଟି ପଦବୀ ମଧ୍ୟରୁ ୫ଟି ଖାଲିପଡିଛି ।

ବିଭାଗରେ ଥିବା ୧୮୯ଟି ଅଧୀକ୍ଷଣ ଯନ୍ତ୍ରୀ ପଦବୀ ମଧ୍ୟରୁ ୨୫ଟି ପଦବୀ ଖାଲି ପଡିଥିବାବେଳେ ୨୨୫ ନିର୍ବାହୀଯନ୍ତ୍ରୀ ପଦବୀ ମଧ୍ୟରୁ ମାତ୍ର ୩ଟି ଖାଲି ରହିଛି । ତେବେ କ୍ଷେତ୍ର ସ୍ତରରେ ନିର୍ମାଣକାର୍ଯ୍ୟ ତଦାରଖର ପ୍ରମୁଖ ଦାୟିତ୍ୱ ତୁଲାଉଥିବା ୧୧୯୪ସହକାରୀ ନିର୍ବାହୀଯନ୍ତ୍ରୀ ପଦବୀ ମଧ୍ୟରୁ ୬୨୧ଟି ପଦବୀ ଖାଲି ପଡିଥିବାବେଳେ ୧୪୬୪ ସହକାରୀ ଯନ୍ତ୍ରୀ ପଦବୀ ମଧ୍ୟରୁ ୧୩୩୬ଟି ପଦବୀ ଖାଲି ପଡିଛି । ତେବେ ୧୩୯୬ଟି କନିଷ୍ଠ ଯନ୍ତ୍ରୀ ପଦବୀ ମଧ୍ୟରୁ ୭୧ଟି ଖାଲି ରହିଛି ।

ତେବେ ଖାଲି ପଡିଥିବା ପଦବୀଗୁଡିକ ମଧ୍ୟରୁ ପଦୋନ୍ନତି ଭିତ୍ତିରେ ପୂରଣ କରାଯିବାକୁ ଥିବା ପଦବୀଗୁଡିକୁ ବିଭାଗୀୟ ପଦୋନ୍ନତି କମିଟିଙ୍କ ସୁପାରିଶ୍‍ ଆଧାରରେ ପୂରଣ କରାଯାଉଥିବା ସରକାର ଦର୍ଶାଉଥିବାବେଳେ ସିଦା ସଳଖ ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ପୂରଣ କରାଯିବାକୁ ଥିବା ପଦବୀ ଗୁଡିକର ପୂରଣ ନିମନ୍ତେ ଓଡିଶା ଲୋକସେବା ଆୟୋଗ ଏବଂ ଓଡିଶା କର୍ମଚାରୀ ପ୍ରବରର ଆୟୋଗଙ୍କୁ ଅନୁରୋଧ କରାଯାଇଛି । ତେବେ କନିଷ୍ଠ ଯନ୍ତ୍ରୀଙ୍କ ଠାରୁ ସହକାରୀ ଯନ୍ତ୍ରୀ ପଦୋନ୍ନତି ଭିତ୍ତିକ ଚୟନ ମାନ୍ୟବର ଉଚ୍ଚନ୍ୟାୟାଳୟରେ ବିଚାରାଧିନ ଥିବା ହେତୁ ବର୍ତ୍ତମାନ ତାହା ସ୍ଥଗିତ ରହିଥିବା ଜଣାଯାଇଛି ।

ତେବେ ପୂର୍ତ୍ତ ବିଭାଗରେ ଇଞ୍ଜିନିୟରଂ କ୍ୟାଡରରେ ଏତେ ସଂଖ୍ୟକ ପଦବୀ ଖାଲି ପଡିବା କେବଳ ରାଜ୍ୟରେ ନିର୍ମାଣ କାର୍ଯ୍ୟକୁ ପ୍ରଭାବିତ କରୁନାହିଁ, ବିଭାଗ ପାଇଁ ବଜେଟ୍‍ରେ ବରାଦ ହେଉଥିବା ଅର୍ଥ ବ୍ୟୟ କ୍ଷେତ୍ରରେ ମଧ୍ୟ ଏହା ମୁଖ୍ୟ ପ୍ରତିବନ୍ଧକ ସାଜୁଛି । ପୂର୍ବରୁ ନିୟମିତ ଭାବେ ପଦବୀ ପୂରଣ ନହେବାରୁ ଏଭଳି ସ୍ଥିତି ଉପୁଜିଥିବାବେଳେ ଯନ୍ତ୍ରୀମାନେ ପଦୋନ୍ନତିକୁ ନେଇ ଏକାଧିକ ମାମଲା ରୁଜୁ କରିବା ଫଳରେ ପଦୋନ୍ନତି ଅଟକିବା ସହିତ ତଳସ୍ତରରେ ପଦବୀ ପୂରଣରେ ମଧ୍ୟ ସମସ୍ୟା ଦେଖା ଦେଉଛି । (ତଥ୍ୟ)