ଭୁବନେଶ୍ୱର : ଓଡିଆ ଭାଷା ସାହିତ୍ୟର ସୁରକ୍ଷା ପାଇଁ ସଫଳ ସଂଗ୍ରାମ କରିଥିବା ବ୍ୟାସକବି ଫକୀର ମୋହନ ସେନାପତିଙ୍କ ପୂଣ୍ୟତିଥିରେ ବିଶେଷ କିଛି କାର୍ଯ୍ୟକ୍ରମ ହୋଇନାହିଁ । କେବଳ ସଂସ୍କୃତି ବିଭାଗ ପକ୍ଷରୁ ଉତ୍କଳ ବିଶ୍ୱବିଦ୍ୟାଳୟ ମୁଖ୍ୟ ଫାଟକ ନିକଟରେ ଥିବା ବ୍ୟାସକବିଙ୍କ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତିରେ କେହି ଜଣେ କର୍ମଚାରୀ ଫୁଲମାଳଟିଏ ଝୁଲାଇ ଦେଇଥିବାବେଳେ ଆଉ କେହି ଜଣେ ପ୍ରତିମୂର୍ତ୍ତି ନିକଟରେ ସୂତାମାଳଟିଏ ପକାଇଥିବା ଦେଖିବାକୁ ମିଳିଛି ।
ତେବେ ଫକୀର ମୋହନ ସ୍ମୃତି ସଂସଦ ସମେତ ଆଉ କେତେକ ଅନୁଷ୍ଠାନ ରଜ ସଂକ୍ରାନ୍ତି ଅବସରରେ ଫକୀର ମୋହନଙ୍କ ଶ୍ରାଦ୍ଧତ୍ସୋବ ପାଳନ କରିବେ । ରାଜ୍ୟ ସରକାର ଜାନୁଆରୀ ୧୪ରେ ବ୍ୟାସକବିଙ୍କ ଜୟନ୍ତୀ ଉତ୍ସବ ପାଳନ କରିଥାନ୍ତି । ତେବେ ତାଙ୍କ ପୂଣ୍ୟ ତିଥି ଅବସରରେ ସରକାରଙ୍କ ପକ୍ଷରୁ ସଭା, ସମିତି ଆଦି କରାଯାଉ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି ।
୧୮୪୩ ଜାନୁଆରୀ ମାସ ମକର ସଂକ୍ରାନ୍ତିରେ ବ୍ୟାସକବିଙ୍କ ଜନ୍ମ ହୋଇଥିବାବେଳେ ୧୯୧୮ ଜୁନ୍ ୧୪ ତାରିଖରେ ତାଙ୍କର ସ୍ୱର୍ଗବାସ ହୋଇଥିଲା । ଜନ୍ମହେବାବେଳେ ତାଙ୍କର ନାମ ବ୍ରଜମୋହନ ଦିଆଯାଇଥିଲା । ତେବେ ବାଲ୍ୟକାଳରେ ତାଙ୍କ ବାପ ମା’ଙ୍କ ଦେହାନ୍ତ ହେବାପରେ ଜେଜେମା’ଙ୍କ ଦ୍ୱାରା ସେ ପ୍ରତିପାଳିତ ହୋଇଥିଲେ ଏବଂ ତାଙ୍କୁ ଜଣେ ଫକୀରଙ୍କୁ ସମର୍ପଣ କରିଦେଇ ଜେଜେମା’ ତାଙ୍କ ନାମ ଫକୀରମୋହନ ରଖିଥିଲେ ।
ବିଭିନ୍ନ ରାଜାଙ୍କ ନିକଟରେ ସେ ଦେୱାନ, ମ୍ୟାନେଜର ଆଦି ବିଭିନ୍ନ ପଦ ପଦବୀରେ କାମ କରିଥିଲେ । ତେବେ ସାହିତ୍ୟ ସାଧନାରୁ ସେ କେବେ ଦୂରେଇ ନଥିଲେ । ଗୋଟିଏ ସମୟରେ ଓଡିଆ ଭାଷାକୁ ଲୋପ କରି ଏଠାରେ ବଙ୍ଗଳା ଭାଷାକୁ ଲଦି ଦେବାପାଇଁ ଯେଉଁ ଉଦ୍ୟମ ହୋଇଥିଲା ଫକୀରମୋହନଙ୍କ ସମେତ ବହୁ ଓଡିଆଙ୍କ ଲଢେଇ ଯୋଗୁଁ ତାହା ବ୍ୟର୍ଥହୋଇ ଓଡିଆଭାଷା ବଞ୍ଚି ଯାଇଥିଲା ।
ରାଜା ରାଜୁଡାଙ୍କ ପାଖରେ କାମ କରୁଥିଲେ ମଧ୍ୟ ଫକୀର ମୋହନଙ୍କ ସାହିତ୍ୟରେ ସମାଜ ସଂସ୍କାର ଓ ଦେଶପ୍ରେମ ଭାବନା ରହିଥିଲା । ଏମିତିକି ମହାତ୍ମା ଗାନ୍ଧୀ, ଚରଖା ଓ ଲବଣ ସତ୍ୟାଗ୍ରହ କଥା ଚିନ୍ତା କରିବାର ୩୦ବର୍ଷ ପୂର୍ବରୁ ସେ ଏହି ପ୍ରସଙ୍ଗ ଉଠାଉଥିଲେ । ଉତ୍କଳ ସମ୍ମିଳନୀର ଫକୀରମୋହନ ଥିଲେ ଜଣେ ପ୍ରତିଷ୍ଠାତା ସଦସ୍ୟ । ଉତ୍କଳଗୌରବ ମଧୁସୂଦନ ଓ ଉତ୍କଳମଣି ଗୋପବନ୍ଧୁଙ୍କ ଠାରୁ ସେ ବୟସରେ ବଡ ଥିଲେ ଏବଂ ଉଭୟ ନେତାଙ୍କ ସହିତ ତାଙ୍କର ବେଶ୍ ଭଲ ସମ୍ପର୍କ ରହିଥିଲା ।
ଓଡିଆ ଭାଷା ସାହିତ୍ୟର ତାଙ୍କୁ ସେନାପତି ଭାବେ ବିବେଚନା କରାଯାଏ । ଓଡିଆ ଭାଷାର ସମୃଦ୍ଧି ପାଇଁ ସେ ଏକ ଛାପାଖାନା ବାଲେଶ୍ୱରରେ ମଧ୍ୟ ବସାଇଥିଲେ । ଫକୀରମୋହନଙ୍କ ନାମରେ ବାଲେଶ୍ୱରରେ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିବାବେଳେ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ତାଙ୍କ ନାମରେ ବି ଅନେକ ଅନୁଷ୍ଠାନ ରହିଛି । ଏହି ବେସରକାରୀ ଅନୁଷ୍ଠାନଗୁଡିକ ବସ୍ତୁତଃ ଫକୀରମୋହନଙ୍କ ପାଇଁ ପୂଜ୍ୟପୂଜାର ସମ୍ଭାର ଅଜାଡି ଦେଇଥାନ୍ତି । ବାଲେଶ୍ୱରରେ ବି ଜିଲ୍ଲା ପ୍ରଶାସନ ପକ୍ଷରୁ ତାଙ୍କର ଜନ୍ମଦିବସ ଓ ଶ୍ରାଦ୍ଧତ୍ସୋବ ପାଳିତ ହୋଇଥାଏା ରାଜଧାନୀରେ ଏହି କାର୍ଯ୍ୟକ୍ରମକୁ ବ୍ୟାପକ କରିବାପାଇଁ ବୁଦ୍ଧିଜୀବୀ ମହଲରୁ ମତପ୍ରକାଶ ପାଉଛି । (ତଥ୍ୟ)