Home News in Odia ପୂଜା ପାଠରେ ନେତା ବ୍ୟସ୍ତ

ପୂଜା ପାଠରେ ନେତା ବ୍ୟସ୍ତ

ଭୁବନେଶ୍ୱର : ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଏବେ ବିଭିନ୍ନ ଦଳର ନେତାମାନେ ଦେବା ଦେବୀଙ୍କ ଶରଣରେ । ରାଜ୍ୟ ଭିତରେ ଓ ରାଜ୍ୟ ବାହାରେ ଥିବା ବିଭିନ୍ନ ଦେବାଦେବୀଙ୍କ ମନ୍ଦିରଙ୍କୁ ଯାଇ ଏମାନେ ପୂଜାର୍ଚ୍ଚନା କରୁଛନ୍ତି ।

ଓଡିଶାରେ ୪ ପର୍ଯ୍ୟାୟରେ ମତଦାନ ହେବା ନେଇ ଭାରତୀୟ ନିର୍ବାଚନ ତାରିଖ ଘୋଷଣା କରିବାପରେ ବିଭିନ୍ନ ଦଳର ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଅହେତୁକ ଉତ୍ସୁକତା ପରିଲକ୍ଷିତ ହୋଇଛି । ନିଜ ନିଜ ଦଳରୁ କିଭଳି ଟିକଟ ମିଳିବ ସେଥିପାଇଁ ସବୁ ସ୍ତରରେ ଉଦ୍ୟମ ଆରମ୍ଭ କରିଦେଇଛନ୍ତି । ଅଧିକାଂଶ ନେତା ଆସି ରାଜଧାନୀରେ ଡେରା ପକାଇଛନ୍ତି । ନିଜର ଦଳର ମୁଖ୍ୟ କିମ୍ବା ତାଙ୍କର ନିକଟ ବଳୟରେ ଥିବା ନେତାଙ୍କୁ ଭେଟିବାକୁ ଜୋରଦାର ଉଦ୍ୟମ ଚଳାଇଛନ୍ତି । ଏଥିରେ ଯେଉଁମାନେ ସଫଳ ହେଉଛନ୍ତି ଟିକଟ ପାଇବାପାଇଁ ଅଭୟବାଣୀ ନଶୁଣିବା ପର୍ଯ୍ୟନ୍ତ ରାଜଧାନୀ ଛାଡି ଯାଉନାହାନ୍ତି ।

ଯେହେତୁ ନିର୍ବାଚନ ପାଇଁ କିଛିଦିନ ହାତରେ ଅଛି ସେଥିପାଇଁ ଏବେ ଠାରୁ ଅନେକ ମନ୍ତ୍ରୀ, ବିଧାୟକ ଓ ଅନ୍ୟ ଆଶାୟୀନେତାମାନେ ଦେଶର ପ୍ରସିଦ୍ଧ ଦେବପୀଠକୁ ଯାଇ ପୂଜାର୍ଚ୍ଚନା କରୁଛନ୍ତି । ଅଧିକାଂଶ ନେତା ପୁରୀ, ଶିରିଡି, କାମାକ୍ଷା, ବୈଷ୍ଣଦେବୀ, ଦକ୍ଷିଣକାଳୀ ଆଦି ପୀଠକୁ ଯାଇ ପୂଜାର୍ଚ୍ଚନା କରିବାରେ ଲାଗିଛନ୍ତି । ତେବେ ଅଧିକାଂଶ ନେତା ଅତି ଗୁପ୍ତ ଭାବରେ ଯାଉଥିବା ଦେଖିବାକୁ ମିଳୁଛି ।

ଏମାନଙ୍କ ବାଦ୍‍ ଅନେକ ଟିକଟ ଆଶାୟୀ ଓ ସେମାନଙ୍କ ସମର୍ଥକମାନେ ରାଜ୍ୟ ଭିତରେ ଥିବା ବିଭିନ୍ନ ଦେବାଦେବୀ ପୀଠାରେ ପୂଜାର୍ଚ୍ଚନା ଆରମ୍ଭ କରିଛନ୍ତି । ନିଜ ନିଜର ବିଶ୍ୱସ୍ତ ପୂଜକଙ୍କ ଜରିଆରେ କେତେକ ସ୍ଥାନରେ ଅହୋରାତ୍ର ପୂଜାର୍ଚ୍ଚନା ଚାଲିଛି । ତେବେ ଏହି ପୂଜା ସଂକ୍ରାନ୍ତରେ ଯେଭଳି କେହି କିଛି ଖବର ନପାଇବେ ସେଥିପାଇଁ ଅତି ସତର୍କତାର ସହିତ ଗଣମାଧ୍ୟମ ଠାରୁ ଦୂରତା ରକ୍ଷା କରାଯାଉଛି । ଏଥିରେ କେବଳ ନିଜ ପରିବାର ଓ ଅତି ନିକଟତର ଲୋକଙ୍କୁ ସାମିଲ କରାଯାଉଛି ।

ସେହିଭଳି ଟିକଟ ପାଇବା ଆଶାରେ ଥିବା ଓ ପାଇବାର ପ୍ରତିଶ୍ରୁତି ପାଇଥିବା କିଛି ନେତା ଏବେ ବିଭିନ୍ନ ବାବା, ମାତା, ଜ୍ୟୋତିଷ ଆଦିଙ୍କ ନିକଟକୁ ଦଉଡିବା ଆରମ୍ଭ କରିଦେଇଛନ୍ତି । ସେମାନଙ୍କ ଠାରୁ ନିଜ ନିଜର ଭାଗ୍ୟ ଭବିଷ୍ୟତ ବିଷୟରେ ଜାଣିବାପାଇଁ ଏମାନେ ଅତ୍ୟନ୍ତ ବ୍ୟଗ୍ର । ଜ୍ୟୋତିଷମାନେ ବି ମଉକା ଦେଖି ବିଭିନ୍ନ ପ୍ରକାର ଉପଚାର, ପୂଜା ପାଠ ଆଦି ସଂକ୍ରାନ୍ତରେ ପରାମର୍ଶ ଦେବା ସହିତ ମୋଟା ଅଙ୍କର ଅର୍ଥ ଆଦାୟ କରୁଛନ୍ତି ।

ଆଉ କିଛି ନେତା ଏବେ ବିଭିନ୍ନ ରତ୍ନପଥର ଦୋକାନରେ ଭିଡ ଜମାଉଛନ୍ତି । ନିର୍ବାଚନ ସମୟରେ ସେମାନଙ୍କର ଭାଗ୍ୟ କିପରି ରହିବ ଓ କେଉଁ ରତ୍ନ ପଥର ଧାରଣ କଲେ ସେମାନଙ୍କର ବିଜୟ ସୁନିଶ୍ଚିତ ହେବ ତାହା ପଚାରି ବୁଝିବା ସହିତ ଯେତେ ଅର୍ଥ ପଡିଲେ ବି ରତ୍ନପଥର କିଣିବାକୁ ଆଗଭର ହେଉଛନ୍ତି । ଅଧିକ ଦାମ୍‍ର ପଥର ନମିଳିଲେ ସେଥିପାଇଁ ବରାଦ ଦେଉଛନ୍ତି । ଯେଉଁ ନେତାମାନେ ରତ୍ନପଥର ଦୋକାନକୁ ଯିବାକୁ ଉଚିତ୍‍ ମଣୁନାହାନ୍ତି କି ସେମାନେ ଗଲେ କାଳେ କିଏ ଦେଖିନେବ ସେହି ଭୟରେ ରହୁଛନ୍ତି, ସେମାନଙ୍କ ଘରକୁ ଏବେ ରାଜଧାନୀର ନାମୀ ଦାମୀ ରତ୍ନପଥର ଦୋକାନୀମାନେ ଲୋକ ପଠାଇ ଦେଉଛନ୍ତି ।

ମୋଟାମୋଟି ଭାବେ ନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ଆଶାୟୀମାନଙ୍କ ହୃତସ୍ପନ୍ଦନ ବଢିବା ସହିତ ସେମାନେ ବିଭିନ୍ନ ପୂଜାପାଠରେ ବ୍ୟସ୍ତ ରହୁଛନ୍ତି । ଯେମିତି ହେଲେ ଟିକଟ ଯୋଗାଡ ପାଇଁ ସବୁ ପ୍ରକାର ଉଦ୍ୟମ ଚଳାଇଥିବାବେଳେ ଏହାର ସୁଯୋଗ ନେଇ ଅନେକ ଜ୍ୟୋତିଷ, ଭବିଷ୍ୟବକ୍ତା, ବାବା, ମାତା ଆଦି ରାଜ୍ୟରେ ସକ୍ରିୟ ହୋଇଉଠିଥିବା ଲକ୍ଷ୍ୟ କରାଯାଉଛି । (ତଥ୍ୟ)