Home Judiciary ପୂଜାଛୁଟି ପରେ ବହୁ ମାମଲାର ରାୟ

ପୂଜାଛୁଟି ପରେ ବହୁ ମାମଲାର ରାୟ

ଭୁବନେଶ୍ୱର : କୋର୍ଟ କଚେରିରେ ପଡି ରହିଥିବା ମାମଲା ଗୁଡିକର ତ୍ୱରିତ ଫଇସଲା ଉପରେ ଦଶହରା ପୂଜାଛୁଟି ପୂର୍ବରୁ ସୁପ୍ରିମ୍‍କୋର୍ଟ ଏକ ଐତିହାସିକ ରାୟରେ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଥିବା ପରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ଆଇନ ଅଦାଲତରେ ସଂରକ୍ଷିତ ଥିବା ବହୁ ମାମଲାର ରାୟ ପୂଜା ଛୁଟି ପରେ ପରେ ପ୍ରକାଶ ପାଇପାରେ ବୋଲି ଅଭିଜ୍ଞ ଆଇନଜୀବୀ ଓ ଅବସରପ୍ରାପ୍ତ ବିଚାରପତିମାନେ ଆଶା ପ୍ରକଟ କରିଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ସୁପ୍ରିମ୍‍କୋର୍ଟଙ୍କ ଏକ ଖଣ୍ଡପୀଠ ପୂଜାଛୁଟି ପୂର୍ବରୁ ୪୨ବର୍ଷ ତଳର ଏକ ପୁରୁଣା ମାମଲାର ଫଇସଲା କରି ରାୟ ଶୁଣାଇବାବେଳେ ବର୍ଷ ବର୍ଷ ଧରି ଆଇନ ଅଦାଲତରେ ମାମଲା ଗଡୁଥିବା ଘେନି କ୍ଷୋଭ ପ୍ରକାଶ କରିଛନ୍ତି । ଏଥିସହ ଏହି ରାୟର ପ୍ରତିଲିପି ସମସ୍ତ ହାଇକୋର୍ଟଙ୍କୁ ପଠାଇବା ପାଇଁ କୁହାଯାଇଛି । ମାମଲା ଗୁଡିକର ଯେପରି ତ୍ୱରିତ ଫଇସଲା ହେବ ଏବଂ ଲୋକେ ନ୍ୟାୟ ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା ନକରିବେ ତାହାକୁ ଆଖି ଆଗରେ ରଖି ସୁପ୍ରିମ୍‍କୋର୍ଟ ଏହି ରାୟ ଦେଇଛନ୍ତି ।

ସଂସଦରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ ସାରା ଦେଶର କୋର୍ଟ କଚେରି ଗୁଡିକରେ ବିଚାର ପ୍ରତୀକ୍ଷାରେ ୫କୋଟିରୁ ଅଧିକ ମାମଲା ଥିବାବେଳେ ସେଥିରୁ ୩କୋଟି ୨୦ଲକ୍ଷ ହେଉଛି ଅପରାଧିକ ମାମଲା । ବହୁ ଅପରାଧିକ ମାମଲା ୫ରୁ ୩୦ ବର୍ଷ ଏବଂ ତଦ୍ଦୁର୍ଦ୍ଧ୍ୱ ସମୟ ଧରି ଗଡୁଛି । ଅନେକ ମାମଲାରେ ସରକାରୀ ପ୍ରତିପକ୍ଷ ଠିକଣା ସମୟରେ ଜବାବ ଦାଖଲ କରୁନାହାନ୍ତି କି ସାକ୍ଷ୍ୟ ପ୍ରମାଣ ମଧ୍ୟ ଉପସ୍ଥାପନ କରୁନାହାନ୍ତି । ଏଥିଲାଗି ବାରମ୍ବାର ସମୟ ଗଡ଼ା ଚାଲିଛି । ଆଉ କେତେକ କ୍ଷେତ୍ରରେ ଜାମିନରେ ଥିବା କିମ୍ବା ସମ୍ପତ୍ତି ଦଖଲ ରଖିଥିବା ଅଥବା ଆଇନ ଅଦାଲତଙ୍କ ଅନ୍ତରୀଣ ଆଦେଶ ପାଇଥିବା ବ୍ୟକ୍ତିମାନଙ୍କ ପକ୍ଷରୁ ବି ସମୟ ଗଡ଼ାଇ ମାମଲାକୁ ଅଯଥାରେ ପ୍ରଲମ୍ବିତ କରାଯାଉଛି ।

ଅଭିଜ୍ଞ ଆଇନଜୀବୀ ମାନେ କହୁଛନ୍ତି ଯେ ସମୟ ଗଡ଼ାଇବା ନଗଡ଼ାଇବା ହେଉଛି ଅଦାଲତଙ୍କ ନିଷ୍ପତ୍ତିର କଥା । ଯେଉଁ କ୍ଷେତ୍ରରେ ବିଚାରପତିମାନେ ଯୁକ୍ତଯୁକ୍ତ କାରଣ ନଥାଇ ମାମଲାକୁ ଗୋଟିଏ ତାରିଖରୁ ଆଉ ଗୋଟିଏ ତାରିଖକୁ ଗଡ଼ାଇବା ପାଇଁ କୁଣ୍ଠାବୋଧ କରନ୍ତି ସେ କ୍ଷେତ୍ରରେ ଉଭୟ ପକ୍ଷ ତତ୍ପରତା ପ୍ରକାଶ କରି ମାମଲାର ଶୁଣାଣିରେ ସହଯୋଗ କରିଥାନ୍ତି । ଆଉ କେତେକ କ୍ଷେତ୍ରରେ ଉଭୟ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ବଚାରାଳୟ ବର୍ଷାଧିକ କାଳ ଧରି ରାୟ ସଂରକ୍ଷିତ ରଖୁଛନ୍ତି ।

ଏସବୁ ଘଟଣା ପରିପ୍ରେକ୍ଷୀରେ ସୁପ୍ରିମ୍‍କୋର୍ଟଙ୍କ ରାୟ ମାମଲା ଗୁଡିକର ତ୍ୱରିତ ଫଇସଲା ପାଇଁ ପଥ ସୁଗମ କରିବ ଏବଂ ଯେଉଁ ବିଚାରପତିମାନେ ଦୀର୍ଘ ସମୟ ଧରି ରାୟ ସଂରକ୍ଷିତ ରଖୁଛନ୍ତି ସେମାନଙ୍କୁ ତ୍ୱରିତ ରାୟ ପ୍ରଦାନ ପାଇଁ ସୁଯୋଗ ସୃଷ୍ଟି କରିବ । ଏହାସତ୍ତ୍ୱେ ଯଦି ରାୟ ପ୍ରକାଶରେ ବିଳମ୍ବ ଘଟେ ସେ ସଂକ୍ରାନ୍ତରେ ଉପର ନ୍ୟାୟିକ ମଞ୍ଚକୁ ଅବହିତ କରାଗଲେ ପ୍ରତିକୂଳ ମନ୍ତବ୍ୟ ମିଳିବାର ଆଶଙ୍କା ରହିଥିବା ଆଇନଜ୍ଞମାନେ କହୁଛନ୍ତି ।

ଏହି ଭିତ୍ତିଭୂମିରେ ଚଳିତ ଦୁର୍ଗାପୂଜା ଛୁଟି ଅବସରରେ ବିଭିନ୍ନ ଅଦାଲତର ଅନେକ ବିଚାରପତି ସେମାନଙ୍କ ନିକଟରେ ସଂରକ୍ଷିତ ଥିବା ରାୟ ଗୁଡିକୁ ଚୁଡାନ୍ତ ସ୍ପର୍ଶ ଦେଉଥିବା ଶୁଣିବାକୁ ମିଳୁଛି । ଏହାହେଲେ ଦୁର୍ଗାପୂଜା ଛୁଟି ପରେ କୋର୍ଟ କଚେରି ସବୁ ଖୋଳିବାବେଳେ ସପ୍ତାହକ ଭିତରେ ଅନେକ ରାୟ ପ୍ରକାଶ ପାଇପାରେ । ସେହିପରି ସୁପ୍ରିମ୍‍କୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ କେଉଁ ଅଦାଲତରେ କେତେ ସଂଖ୍ୟକ ମାମଲା କେତେବର୍ଷ ଧରି ପଡି ରହିଛି ତାହାର ବି ତର୍ଜମା କରାଯାଇ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯିବ । ତେବେ ବିଚାରାଳୟ ଗୁଡିକରେ ମାମଲା ତୁଳନାରେ ବିଚାରପତିଙ୍କ ସଂଖ୍ୟା ଢେର୍‍ କମ୍‍ ରହୁଥିବା ଏବଂ ମାମଲା ପରିଚାଳନାରେ ସରକାରୀ ପକ୍ଷର ବ୍ୟାପକ ତ୍ରୁଟିବିଚ୍ୟୁତି ଯୋଗୁ ମାମଲା ଫଇସଲା ହାର ଢେର୍‍ କମ୍‍ ରହୁଛି । (ତଥ୍ୟ)