ଭୁବନେଶ୍ୱର : ପୁଷ୍ଟିକର ଖାଦ୍ୟ ହିଁ ମନୁଷ୍ୟ ଶରୀର ପାଇଁ ସଞ୍ଜୀବନୀ । କାରଣ ଏହା ଆମର ପ୍ରାଣଶକ୍ତିକୁ ବଢାଇ ସଶକ୍ତ କରିବ ଓ ଏଥିରେ ସମସ୍ତଙ୍କର ଭାଗୀଦାରିତା ର ଆବଶ୍ୟକତା ରହିଛି । ପୋଷଣ ଆତ୍ମର୍ନିଭରଶୀଳତା ଉପରେ ଆୟୋଜିତ ରାଜ୍ୟ ସ୍ତରୀୟ ଆଲୋଚନାଚକ୍ରରେ ଯୋଗ ଦେଇ ବକ୍ତା ମାନେ ଏହି ମତ ଦେଇଛନ୍ତି ।
ସ୍ୱେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍) ଦ୍ୱାରା ପୋଷଣ ଆତ୍ମନିର୍ଭର୍ରଶୀଳତା ଉପରେ ଏକ ରାଜ୍ୟ ସ୍ତରୀୟ ଆଲୋଚନାଚକ୍ର ଟିଡିଏଚ୍ (ଜି), ବିଏମଜେଡ୍, ଦିଶା ଓ କଜ୍ ର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୋଗଦେଇ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଅ ।ୟୋଗ ର ଅଧକ୍ଷା ସନ୍ଧ୍ୟାବତୀ ପ୍ରଧାନ ନିରନ୍ତର ବିକାଶ ର କୌଣସି ବିକଳ୍ପ ନାହିଁ ଓ ଏହାରି ମାଧ୍ୟମରେ ହି ପୋଷଣ ଆତ୍ମନିର୍ଭରଶୀଳତା ସମ୍ଭବ ହୋଇପାରିବ ବୋଲି କହିଛନ୍ତି ।
ଓଡିଶା ରାଜ୍ୟ ଖାଦ୍ୟ ଆୟୋଗ ର ସଦସ୍ୟା ଡଃ ସିପ୍ରା ମଲ୍ଲିକ କହିଥିଲେ ଜେ ପୁଷ୍ଟି ଆମ ପାଇଁ ସଞ୍ଜୀବନୀ ସଦୃଶ ଓ ଆମ ସମସ୍ତଙ୍କର ଜୀବନ ପାଇଁ ଏହା ବହୁତ ଜରୁରୀ ଅଟେ । ରାଜ୍ୟ ସରକାରଙ୍କର ପୋଷଣ ସମ୍ବନ୍ଧୀୟ ବିଭିନ୍ନ ଯୋଜନାକୁ ଲୋକଙ୍କ ପାଖରେ ପହଞ୍ଚାଇବା ହେଉଛି ଆମର ଦାୟିତ୍ୱ । ସରକାରଙ୍କ ମହିଳା ଓ ଶିଶୁ ବିଭାଗର ଉପଦେଷ୍ଟା ସୁଲତା ଦେଓ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ବିଶେଷ କରି ସୋପାନ ଯୋଜନା ସମ୍ପର୍କରେ ସୁଚନା ଦେଇଥିଲେ ।
ପ୍ରାରମ୍ଭରେ ପିକକ୍ ର କାର୍ଯ୍ୟର୍ନିବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ ଓ ପିକକ୍ ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ଏହି ଆଲୋଚନା ଚକ୍ରର ଉଦ୍ଦେଶ୍ୟ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରାଇବାସହ ଏହାକୁ ପରିଚାଳନା କରିଥିଲେ ।
ଆଲୋଚନାଚକ୍ରରେ ମହିଳା ଓ ଶିଶୁ ବିଭାଗର ପରାମର୍ଶଦାତା ମଧୁମିତା ଦାସ, ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ପୋଷଣର ପୁର୍ବତନ ଯୁଗ୍ମ ନିର୍ଦ୍ଦେଶକ ଡଃ ବିଶ୍ୱରଞ୍ଜନ ପଣ୍ଡା ଓ ବୈତରଣୀ ଇନିସିଏଟିଭର ରାଜ୍ୟ ସଂଯୋଜକ ଦୀପକ କୁମାର ମିଶ୍ର ପ୍ରମୁଖ ବିଶେଷଜ୍ଞ ମାନେ ସ୍ଥାନୀୟ ଖାଦ୍ୟ ଓ ଏହାର ପୁଷ୍ଟିକର ଉପାଦେୟତା, ପୋଷଣ, ସନ୍ତୁଳିତ ଆହାର, ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି, ସରକାରଙ୍କର ବିଭିନ୍ନ ଯୋଜନା ସମ୍ପର୍କରେ ବିଷଦ ଭାବରେ ଆଲୋଚନା କରିଥିଲେ ।
ସମାଜସେବୀ ବିନାୟକ ସ୍ୱାଇଁ ଦ୍ୱିତୀୟ ଅଧିବେଶନକୁ ପରିଚାଳନା କରିଥିବାବେଳେ ଏଥିରେ କୁପୋଷଣକୁ ଦୂର କରିବା ନିମନ୍ତେ ପ୍ରତିନିଧି ମାନେ ସେମାନଙ୍କର ମତାମତ ପ୍ରଦାନ କରିଥିଲେୟ । ଏଥିରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୧୦୦ ଜଣ ପ୍ରତିନିଧି ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରେ କୃଷକ୍, ମହିଳା ଗୋଷ୍ଠି, ସାମାଜିକ ଅନୁଷ୍ଠାନ, ସରକାରୀ କର୍ମଚାରୀ ଓ ଶିକ୍ଷାବିତ ପ୍ରମୁଖ ଥିଲେ ।