ଭୁବନେଶ୍ୱର : ମିଛ ମାମଲାର ବୋଝ ଏବେ ପୋଲିସ ପାଇଁ ବଡ ଆହ୍ୱାନ ହୋଇଛି । ବର୍ଷକୁ ଶହେ କି ଦୁଇଶହ ନୁହେଁ ରାଜ୍ୟର ବିଭିନ୍ନ ଥାନା, ଫାଣ୍ଡିରେ ୧୦ହଜାରରୁ ଅଧିକ ଅସତ୍ୟ ମାମଲା ଦାଏର ହେଉଛି । ଅଭିଯୋଗ ସତ କି ମିଛ ତାହା ଜାଣିବା ପାଇଁ ଅନୁସନ୍ଧାନକାରୀ ପୋଲିସ ଅଫିସରମାନଙ୍କର ବହୁ ସମୟ ବରବାଦ୍ ହେଉଥିବାରୁ ଗୁରୁତ୍ୱପର୍ଣ୍ଣ ସତ ମାମଲା ଗୁଡିକର ଅଭିଯୋଗ ଫର୍ଦ୍ଦ ଦାଖଲରେ ବିଳମ୍ବ ଘଟୁଥିବା କୁହାଯାଉଛି ।
୨୦୨୨ ବର୍ଷରେ ରାଜ୍ୟରେ ୧,୭୮,୧୯୦ଟି ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଥିବାବେଳେ ଏଥିରୁ ୧, ୬୯, ୭୩୫୩ ସତ ଅଭିଯୋଗ ଏବଂ ୮୪୫୫ଟି ଅଭିଯୋଗ ମିଛ ବୋଲି ଏଯାବତ୍ ପୋଲିସର ହୃଦ୍ବୋଧ ହୋଇଛି । ଏହି ମାମଲା ଗୁଡିକ ମଧ୍ୟରୁ ତଦନ୍ତ ପରେ ୧,୧୮,୫୪୭ଟିରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଥିବାବେଳେ ଉକ୍ତ ବର୍ଷର ମାମଲାଗୁଡିକ ମଧ୍ୟରୁ ଆଉ ୫୧,୧୮୮ଟିର ତଦନ୍ତ ସରି ନଥିବାରୁ ଦୋଷାରୋପ ଫର୍ଦ୍ଦ ଅଦାଲତରେ ଦାଖଲ କରାଯାଇପାରିନାହିଁ । କେବଳ ୨୦୨୨ ବର୍ଷ ନୁହେଁ ପ୍ରତିବର୍ଷ ଏଭଳି ହଜାର ହଜାର ଅସତ୍ୟ ଅଭିଯୋଗ ଥାନା ଗୁଡିକ ଉପରେ ଅଜାଡି ହୋଇପଡୁଥିବାବେଳେ ତଦନ୍ତକାରୀ ଅଧିକାରୀମାନେ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ବହୁ ମାମଲାର ଦୋଷାରୋପ ଫର୍ଦ୍ଦ ଦାଖଲ କରିପାରୁନାହାଁନ୍ତି ।
ବର୍ଷକୁ ବର୍ଷ ବଢି ଚାଲୁଥିବା ଅପରାଧ ଏବଂ ଅଭିଯୁକ୍ତମାନଙ୍କ ପ୍ରତି ଦଣ୍ଡବିଧାନ ହାର କମ୍ ରହିବା ସଙ୍ଗେ ସଙ୍ଗେ ବିଚାରାଧୀନ ମାମଲା ଗୁଡିକ ମଧ୍ୟରୁ ବର୍ଷକରେ ୧୦ପ୍ରତିଶତ ମଧ୍ୟ ଫଇସଲା ହୋଇପାରୁନାହିଁ । ଫଳରେ ଜାମିନରେ ଆସି ଅପରାଧୀମାନେ ବାରମ୍ବାର ଅପରାଧ ଘଟାଇ ଏହାକୁ ପେଷାଭାବେ ବରଣ କରିନେଉଛନ୍ତି । ଆଇନଶୃଙ୍ଖଳା ବିଗିଡିବାର ଏହା ଅନ୍ୟତମ କାରଣ ବୋଲି କୁହାଯାଉଛି । ବହୁ ଅବସରପ୍ରାପ୍ତ ବିଚାରପତି ଓ ଅଭିଜ୍ଞ ଆଇନଜ୍ଞ କହୁଛନ୍ତି ଯେ ତ୍ରୁଟିପୂର୍ଣ୍ଣ ତଦନ୍ତ, ଦୁର୍ବଳ ଦୋଷାରୋପ ଫର୍ଦ୍ଦ, ମାମଲା ଫଇସଲାରେ ଅହେତୁକ ବିଳମ୍ବ, ଅଭିଯୁକ୍ତମାନେ ସାକ୍ଷୀମାନଙ୍କୁ ପ୍ରଭାବିତ କରିବା ଏବଂ ସ୍ଥଳ ବିଶେଷରେ ତଦନ୍ତକାରୀ ଅଧିକାରୀଙ୍କ ସମେତ ବହୁ ସାକ୍ଷୀ ଅଦାଲତରେ ଉପସ୍ଥିତ ନହେବା ଓ ବୟାନ ବଦଳାଇବା ଏବଂ ବିଳମ୍ବ ଯୋଗୁ ଅଭିଯୁକ୍ତଙ୍କ ମୃତ୍ୟୁ ଘଟିବା ଆଦି ବିଭିନ୍ନ କାରଣ ଯୋଗୁ ଦଣ୍ଡବିଧାନ ହାର କମ୍ ରହୁଛି ।
ସରକାରୀ ତଥ୍ୟ ମୁତାବକ ୨୦୨୨ ବର୍ଷରେ ଯେତେ ନରହତ୍ୟା ମାମଲା ରୁଜୁ ହୋଇଥିଲା ସେଥିରୁ ୭୮ଟି ମିଛ । ସେହିପରି ଉକ୍ତ ବର୍ଷରେ ୧୨ଟି ଡକାୟତି, ୪୪ଟି ଲୁଣ୍ଠନ, ୮୫ଟି ସିନ୍ଧିଚୋରି, ୩୨୦ଟି ଚୋରି, ୩୦୬ଟି ପ୍ରତାରଣା, ୭୬ଟି ଦଙ୍ଗା, ୪୯ଟି ଦୁଷ୍କର୍ମ, ୧୦୨ଟି ମୋଟରଯାନ ଦୁର୍ଘଟଣା, ୪୭୦ଟି ଏସ୍ସିଏସ୍ଟି ନିର୍ଯାତନା ସମେତ ଆଉ ଅନେକ ମିଥ୍ୟା ମାମଲା ଗତବର୍ଷ ରୁଜୁ ହୋଇଥିଲା ।
୨୦୨୧ ବର୍ଷରେ ଓଡିଶାରେ ଆଇପିସି ମାମଲାରେ ଦଣ୍ଡବିଧାନ ହାର ମାତ୍ର ୫.୭ପ୍ରତିଶତ ଥିବାବେଳେ ଦୁର୍ନୀତି ନିବାରଣ ମାମଲାରେ କିନ୍ତୁ ଏହି ହାର ଥିଲା ୪୨.୫ ପ୍ରତିଶତ । ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରେ ଉକ୍ତ ବର୍ଷରେ ଓଡିଶାରେ ଦଣ୍ଡବିଧାନ ହାର ମାତ୍ର ୮.୩ ପ୍ରତିଶତ, ଶିଶୁମାନଙ୍କ ପ୍ରତି ଅପରାଧରେ ୧୧.୮ ପ୍ରତିଶତ, ଅର୍ଥନୈତିକ ଅପରାଧରେ ୩.୨ ପ୍ରତିଶତ ଦଣ୍ଡବିଧାନା ହାର ଥିବା ଗତବର୍ଷ ଅଗଷ୍ଟ ମାସରେ ପ୍ରକାଶ ପାଇଥିବା ଏନ୍ସିଆର୍ବି ରିପୋର୍ଟରେ ଦର୍ଶାଯାଇଛି । ଏହି ରିପୋର୍ଟର ତଥ୍ୟ ଅନୁଯାୟୀ ଉକ୍ତ ବର୍ଷରେ ବିଚାରାଧୀନ ଆଇପିସି ମାମଲା ଗୁଡିକ ମଧ୍ୟରୁ ମାତ୍ର ୧.୩ ପ୍ରତିଶତ ଫଇସଲା ହୋଇଥିବାବେଳେ ଦୁର୍ନୀତି ନିବାରଣ ମାମଲାରେ ୩.୯ ପ୍ରତିଶତ, ଆର୍ଥିକ ଅପରାଧ ମାମଲାରେ ମାତ୍ର .୫ ପ୍ରତିଶତ, ମହିଳାମାନଙ୍କ ପ୍ରତି ଅପରାଧ ମାମଲାରେ ୧.୪ ପ୍ରତିଶତ ଓ ଶିଶୁମାନଙ୍କ ପ୍ରତି ଅପରାଧ ମାମଲାରେ ମାତ୍ର ୨.୯ ପ୍ରତିଶତ ବିଚାରାଧୀନ ମାମଲା ଫଇସଲା ହୋଇଛି ।
ବିଶେଷଜ୍ଞମାନଙ୍କ ମତରେ ସାମାଜିକ, ଆର୍ଥିକ, ନୈତିକ ଓ ରାଜନୈତିକ ବ୍ୟବସ୍ଥା ବିଗୁଡୁଥିବାବେଳେ ଗଣତନ୍ତ୍ରର ତିନୋଟି ସମ୍ଭ ମଧ୍ୟରେ ଠିକଣା ସହଯୋଗ ନରହିବା ଏବଂ ରାଜନୀତିର ଅପରାଧିକରଣ ସହ ଅପରାଧର ରାଜନୀତିକରଣ ଯୋଗୁ ସମଗ୍ର ଦେଶରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡିବା ସହ ମାମଲା ସଂଖ୍ୟା ବଢି ସାଧାରଣ ଲୋକଙ୍କ ଧନଜୀବନର ସୁରକ୍ଷା ଉପରେ ଯେଭଳି ପ୍ରଶ୍ନବାଚୀ ସୃଷ୍ଟି କରୁଛି ତାହା ବ୍ୟବସ୍ଥା ପାଇଁ ଶୁଭଙ୍କର ନୁହେଁ ବୋଲି ସମାଜଶାସ୍ତ୍ରୀମାନଙ୍କ ମତ । (ତଥ୍ୟ)