ଭୁବନେଶ୍ୱର : ରାଜଧାନୀରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ସମେତ ସପ୍ତାହନ୍ତ ସଟ୍ଡାଉନ୍ ସରିବାକୁ ଆଉ ମାତ୍ର ୫ଦିନ ଥିବାବେଳେ କରୋନା କିନ୍ତୁ ନିୟନ୍ତ୍ରଣକୁ ଆସିନାହିଁ । ଏବେ ଦୈନିକ ସଂକ୍ରମଣ ସହରରେ ହଜାରେ ଆଖପାଖରେ ରହୁଥିବାବେଳେ ଅନେକ ଏଥିପାଇଁ ପୁଲିସ୍ର ନରମ ମନୋଭାବ ଓ ଅମାନିଆଙ୍କ ଉତ୍ପାତକୁ ଦାୟୀ କରୁଛନ୍ତି ।
ରାଜଧାନୀର କରୋନା ନିୟନ୍ତ୍ରଣ ଲାଗି ପ୍ରଥମେ ସପ୍ତାହନ୍ତ ସଟ୍ଡାଉନ ଓ ପରେ ଲକ୍ଡାଉନ୍ ଲାଗୁହୋଇଥିଲା । ଅବଶ୍ୟ ଏହି ଦୁଇ କଟକଣା ସମଗ୍ର ରାଜ୍ୟରେ ଜାରି ହୋଇଛି । ତେବେ ରାଜଧାନୀରେ କରୋନା ସଂକ୍ରମଣ ବଢି ଚାଲିଥିବାରୁ ଏହାକୁ କଡାକଡି ପାଳନ ଲାଗି ଦୃଢୋକ୍ତି ପ୍ରକାଶ କରାଯାଇଥିଲା । ଲକ୍ଡାଉନ୍ କଟକଣାକୁ ପ୍ରଥମେ ମଇ ୫ରୁ ୧୯ ଓ ପରେ ମଇ ୩୧ତାରିଖ ପର୍ଯ୍ୟନ୍ତ ଏହାକୁ ବୃଦ୍ଧି କରାଯାଇଛି । ଲକ୍ଡାଉନ୍ ମଧ୍ୟରେ ପଡୁଥିବା ଶନିବାର ଓ ରବିବାର ବି ସଟ୍ଡାଉନ୍ ରହୁଛି ।
କର୍ତ୍ତୃପକ୍ଷ ଲକ୍ଡାଉନ୍ରେ ପ୍ରଥମେ ସକାଳ ୬ରୁ ୧୨ଟା ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ଦୋକାନ ବଜାର ଖୋଲିବାକୁ ଅନୁମତି ଦେଇଥିବାବେଳେ ପରବର୍ତ୍ତୀ ସମୟରେ ଏହାକୁ ୭ଟାରୁ ୧୧ଟା କରିଛନ୍ତି । ସେହିଭଳି ସରକାରୀ ଦପ୍ତର ସହିତ ଆଉ କିଛି ସେବାରେ ନିୟୋଜିତ ବ୍ୟକ୍ତିଙ୍କ ଲାଗି ବି କଟକଣା କୋହଳ ହୋଇଛି । ଏଥି ସହିତ ମର୍ଣ୍ଣିଂୱାକ୍ ଉପରେ ବି କଟକଣା ଲାଗିଛି । ହେଲେ ଅନେକ ଅମାନିଆ ଖୋଦ ରାଜଧାନୀରେ ଏହାକୁ ମାନିବାକୁ ନାରାଜ । ପୁଲିସ୍କୁ ଚକମା ଦେଇ ଦିନ ସାରା ସହରରେ ଚକ୍କର କାଟୁଛନ୍ତି । ପନିପରିବା ଓ ତେଜେରାତି କିଣିବା ବାହାନାରେ ସହର ସାରା ବୁଲୁଥିବା ଲକ୍ଷ୍ୟ କରାଯାଉଛି ।
ତେବେ କରୋନା ଦ୍ୱିତୀୟ ଲହର ରୋକିବାକୁ ଜାରି ହୋଇଥିବା କଟକଣା ସମୟରେ ଖୋଦ୍ ରାଜଧାନୀରେ ପୁଲିସ୍ ନିଷ୍କ୍ରିୟତାକୁ ଅନେକ ଦାୟୀ କରୁଛନ୍ତି । ସହରର ବିଭିନ୍ନ ସ୍ଥାନରେ ରାସ୍ତାଉପରେ ବାଡ ପକାଇବା ଓ କେତେକ ଛକରେ ଜଣେ ଦୁଇଜଣ କର୍ମଚାରୀଙ୍କ ଉପସ୍ଥିତିରେ ହିଁ ପୁଲିସ୍ କାର୍ଯ୍ୟ ସୀମିତ ରହିଛି । ଯେଉଁଠାରେ ବି କିଛି ପୁଲିସ୍ କର୍ମଚାରୀ ଯାଞ୍ଚ କରୁଛନ୍ତି ତାହା ସେଭଳି କଠୋର ହେଉନାହିଁ । କରୋନାର ପ୍ରଥମ ଲହର ସମୟରେ ଗତବର୍ଷ ଯେଭଳି ଭାବେ ଲୋକେ ପୁଲିସ୍ କାର୍ଯ୍ୟାନୁଷ୍ଠାନକୁ ଭୟକରି ଘରୁ ବାହାରୁ ନଥିଲେ ଏଥର ତାହା ହେଉନାହିଁ । ବରଂ ପୁଲିସ୍ ଆଗରେ ଲୋକେ ନାନା ପ୍ରକାର ବାହାନା ଦେଖାଇ ଲୋକେ ଖସୁଛନ୍ତି ।
ଅବସ୍ଥା ଏଭଳି ହୋଇଛି ଯେ କଟକଣାମୁକ୍ତ ଥିବା ସକାଳ ୭ରୁ ଦିନ ୧୧ଟା ପର୍ଯ୍ୟନ୍ତ ରାଜଧାନୀର ରାସ୍ତାଘାଟକୁ ଯେ କେହି ଦେଖିଲେ ଏଠାରେ ଲକ୍ଡାଉନ୍ ଲାଗୁ ହୋଇଛିବୋଲି ଜାଣିପାରିବ ନାହିଁ । ଦୁଇ ଚକିଆ ଓ ଚାରି ଚକିଆ ସବୁ ମାଳ ମାଳ ହୋଇ ଧାଉଁଛନ୍ତି । ଗଣମାଧ୍ୟମ ସାମ୍ନାରେ ହାତ ଗଣତି କେତୋଟି ଦୁଇଚକିଆ ଓ ଚାରିଚକିଆରୁ ଫାଇନ୍ କାଟି ପୁଲିସ୍ କାମସାରି ଦେଉଛି । ଫଳରେ ଲୋକେ ଆଉ ପୁଲିସ୍ କାର୍ଯ୍ୟାନୁଷ୍ଠାନକୁ ପୂର୍ବଭଳି ଭୟ କରୁନଥିବା ଦେଖିବାକୁ ମିଳୁଛି ।
ଏହାର ଫଳ ସ୍ୱରୂପ ଯେତେ ଯାହା ଉଦ୍ୟମ କଲେ ବି ରାଜଧାନୀରେ କରୋନ ସଂକ୍ରମଣ ବେକାକୁ ଅବସ୍ଥାରେ ରହିଛି । ସହରରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୭୧ହଜାରକୁ ଅତିକ୍ରମ କରିଥିବାବେଳେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୨ହଜାର ଉପରେ ରହିଛି । ତେଣୁ ବାକିଥିବା ଲକଡାଉନ୍ ଓ ସପ୍ତାହାନ୍ତ ସଟ୍ଡାଉନ୍ ସମୟରେ ପୁଲିସ୍ କଠୋର ହେବାପାଇଁ ମତପ୍ରକାଶ ପାଉଛି । (ତଥ୍ୟ)