ଭୁବନେଶ୍ୱର : ହୋମ୍ଗାର୍ଡ (ଗୃହରକ୍ଷୀ)ମାନେ ଓଡିଶା ପୁଲିସ୍ର ଅବିଚ୍ଛେଦ୍ୟ ଅଙ୍ଗ ଭଳି କାମ କରୁଥିବାବେଳେ ଏମାନଙ୍କୁ ସରକାରୀ ଚାକିରିଆ ଭାବେ ଘୋଷଣା ନକରି ସରକାରୀ ନଥିପତ୍ରରେ ସ୍ୱେଚ୍ଛାସେବକ ଭାବେ ଦର୍ଶାଯାଉଛି ।
ସରକାରୀ ତଥ୍ୟ ମୁତାବକ ଓଡିଶାରେ ୧୭,୬୭୫ଟି ମଞ୍ଜୁରୀପ୍ରାପ୍ତ ଗୃହରକ୍ଷୀ ସ୍ୱେଚ୍ଛାସେବୀ ପଦବୀ ରହିଛି । ସାଧାରଣତଃ ଗୃହରକ୍ଷୀମାନଙ୍କୁ ଥାନା, ଫାଣ୍ଡି ଅଞ୍ଚଳରେ ଆଇନ୍ଶୃଙ୍ଖଳା ରକ୍ଷା, ଲୋକଙ୍କ ଧନଜୀବନର ସୁରକ୍ଷା, ସରକାରୀ ସମ୍ପତ୍ତିର ସୁରକ୍ଷା, ଭିଭିଆଇପିମାନଙ୍କ ସୁରକ୍ଷା, ଟ୍ରାଫିକ ନିୟନ୍ତ୍ରଣ, ଉପକୂଳ ସୁରକ୍ଷା ଆଦି ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇଥାଏ । ଏମିତିକି ଚୋରା ନିଶା ସାମଗ୍ରୀ ଜବତ କରିବା କ୍ଷେତ୍ରରେ ଓଡିଶାର ଗୃହରକ୍ଷୀମାନେ ମଧ୍ୟ ଉଲ୍ଲେଖନୀୟ ଯୋଗଦାନ ଦେଇ ଆସୁଛନ୍ତି ।
୧୯୬୧ ମସିହାରେ ରାଜ୍ୟ ସରକାର ଓଡିଶା ହୋମ୍ଗାର୍ଡ ଆଇନ୍ ପ୍ରଣୟନ କରି ଗୃହରକ୍ଷୀମାନଙ୍କୁ ନିୟୋଜିତ କରିଆସୁଛନ୍ତି । ସେବେଠାରୁ ଏବେ ପର୍ଯ୍ୟନ୍ତ ପ୍ରାୟ ୬୨ବର୍ଷ ଧରି ଗୃହରକ୍ଷୀମାନଙ୍କୁ କାଗଜପତ୍ରରେ ସ୍ୱେଚ୍ଛାସେବୀ ଦର୍ଶାଇ ବାସ୍ତବରେ କିନ୍ତୁ ପୁଲିସ୍ର ବିଭିନ୍ନ କାମରେ ନିୟୋଜନ କରାଯାଉଛି । ପୁଲିସ୍ ଭଳି ଏମାନଙ୍କୁ ବି ପୋଷାକ ପିନ୍ଧି କାର୍ଯ୍ୟ ସମ୍ପାଦନ କରିବାକୁ ପଡିଥାଏ । ତେବେ ପୁଲିସ୍ କନେଷ୍ଟବଳ ଚାକିରିରେ ହୋମଗାର୍ଡଙ୍କ ପାଇଁ କିଛି ସ୍ଥାନ ସଂରକ୍ଷିତ ରହୁଥିଲେ ମଧ୍ୟ ଏହା ପର୍ଯ୍ୟାପ୍ତ ନୁହେଁ ।
ଗୃହରକ୍ଷୀମାନେ କହୁଛନ୍ତି ଯେ ପୁଲିସ୍ କନେଷ୍ଟବଳଙ୍କ ଭଳି ଏମାନେ ସମସ୍ତ କାମ କରୁଥିଲେ ମଧ୍ୟ ଏମାନଙ୍କୁ ସମାନ କାମକୁ ସମାନ ବେତନ ଦିଆଯାଉନାହିଁ । ଖୁବ୍ କମ୍ ପାରିଶ୍ରମିକ ପାଉଥିବା ଗୃହରକ୍ଷୀମାନେ ଦୀର୍ଘବର୍ଷ ଧରି ଲଢେଇ ଜାରି ରଖି ଶେଷରେ ସୁପ୍ରିମ୍କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଏବେ ଦୈନିକ ୫୩୩ ଟଙ୍କା ହାରରେ ପାରିଶ୍ରମିକ ପାଉଛନ୍ତି । ଏମାନଙ୍କୁ ଏକ ପ୍ରକାର ଠିକାରେ ନିଯୁକ୍ତି ଦେଇ କାର୍ଯ୍ୟକାଳ ୬୦ବର୍ଷ ବୟସ ପର୍ଯ୍ୟନ୍ତ ବଢାଯାଉଛି । ଅଥଚ ଅବସର ପରେ ପୁଲିସ୍ କନେଷ୍ଟବଳଙ୍କ ଭଳି ଏମାନଙ୍କ ଲାଗି ନିୟମିତ ପେନ୍ସନର ବ୍ୟବସ୍ଥା ନାହିଁ । ପ୍ରୋଭିଡେଣ୍ଟ ଫଣ୍ଡ୍ ପେନ୍ସନ ଆକାରରେ ଯେତିକି ଅର୍ଥ ମିଲେ ତାହା ସମୁଦ୍ରକୁ ଶଙ୍ଖେ ଭଳି ।
ହୋମ୍ଗାର୍ଡମାନଙ୍କ ସହ କାର୍ଯ୍ୟ କରୁଥିବା ପୁଲିସ୍ କନେଷ୍ଟବଳମାନେ ପଦୋନ୍ନତି ପାଇ ସବଇନ୍ସପେକ୍ଟର ଓ ତଦୁର୍ଦ୍ଧ ପାହ୍ୟାକୁ ଯାଇପାରୁଥିବାବେଳେ ଏମାନେ କିନ୍ତୁ ହୋମ୍ଗାର୍ଡ ଭାବେ ଅବସରଗ୍ରହଣ କରୁଛନ୍ତି । ସରକାରୀ ତଥ୍ୟ ମୁତାବକ ହୋମ୍ଗାର୍ଡମାନେ ସମୁଦ୍ରରେ ବୁଡି ଯାଉଥିବା ଶହ ଶହ ଲୋକଙ୍କୁ ଉଦ୍ଧାର କରିଛନ୍ତି । କୋଭିଡ ମହାମାରୀ ସମୟରେ କାର୍ଯ୍ୟକ୍ଷେତ୍ରରେ ନିୟୋଜିତ ଥାଇ ଅନ୍ୟୁନ ୯ଜଣ ହୋମଗାର୍ଡ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ଏହାଛଡା କେବଳ ଗତ ଦୁଇବର୍ଷରେ ପାଖପାଖି ଶହେ ଜଣ ଗୃହରକ୍ଷୀଙ୍କ ମୃତ୍ୟୁ ଘଟିଛି । ଏମିତିକି ଉଲ୍ଲେଖନୀୟ ସେବା ପାଇଁ ପ୍ରତିବର୍ଷ ଆମ ରାଜ୍ୟର ଅନେକ ଗୃହରକ୍ଷୀ ମଧ୍ୟ ଜିଲ୍ଲା, ରାଜ୍ୟ ଓ ଜାତୀୟ ସ୍ତରରେ ସମ୍ବର୍ଦ୍ଧିତ ହେଉଛନ୍ତି ।
ଗୃହରକ୍ଷୀ ମହାସଂଘର ଜଣେ କାର୍ଯ୍ୟକର୍ତ୍ତା କହିଛନ୍ତି ଯେ ଚୋରା ନିଶା ବେପାରୀଙ୍କ ସହ ଲଢେଇ କରି ବନବାସୀ ମହାରଣା ନାମକ ଜଣେ ହୋମଗାର୍ଡ ଶହୀଦ ହୋଇଛନ୍ତି ଏବଂ ତାଙ୍କ ସାହସିକ ଉଦ୍ୟମ ଯୋଗୁଁ ପ୍ରାୟ ୨କୁଇଣ୍ଟାଲ ଚୋରା ଗଞ୍ଜେଇ ଜବତ କରାଯିବା ସହ ପୁଲିସ୍ ୪୦ରୁ ଅଧିକ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିବାରେ ସମର୍ଥ ହୋଇଥିଲା । ରାଜ୍ୟରେ ୭ହଜାରରୁ ଅଧିକ ପୁଲିସ୍ ପଦବୀ ଖାଲି ପଡିଥିବାବେଳେ ଗୃହରକ୍ଷୀମାନେ ସ୍ୱଳ୍ପ ପାରିଶ୍ରମିକରେ ଜୀବନକୁ ।ଜି ଲଗାଇ ଦିନ ରାତି ପରିଶ୍ରମ କରିବା ଫଳରେ ଥାନା, ଫାଣ୍ଡି ଠାରୁ ଟ୍ରାଫିକ ବ୍ୟବସ୍ଥା ଚାଲି ପାରୁଛି । (ତଥ୍ୟ)