Home News in Odia ପୁଲିସକୁ ମୁଖ୍ୟମନ୍ତ୍ରୀଙ୍କ ୧୦ସୁତ୍ରୀ ମାର୍ଗଦର୍ଶନ

ପୁଲିସକୁ ମୁଖ୍ୟମନ୍ତ୍ରୀଙ୍କ ୧୦ସୁତ୍ରୀ ମାର୍ଗଦର୍ଶନ

ଭୁବନେଶ୍ୱର : ରାଜ୍ୟ ସ୍ତରୀୟ ଡିଜିପି ଏବଂ ଆଇଜିପି ସମ୍ମିଳନୀ ଅବସରରେ ଆଜି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ରାଜ୍ୟର ଆଇନ ଶୃଙ୍ଖଳା, ଆଭ୍ୟନ୍ତରୀଣ ସୁରକ୍ଷା, ସାଇବର ସୁରକ୍ଷା ଏବଂ ଭବିଷ୍ୟତର ପୁଲିସିଂ ବ୍ୟବସ୍ଥାର ବ୍ୟାପକ ସମୀକ୍ଷା କରିଛନ୍ତି। ପୁଲିସ ସଂସ୍କାର ପାଇଁ ପ୍ରତ୍ୟେକ ପ୍ରସ୍ତାବ ଓ ଗୁରୁତ୍ଵପୂର୍ଣ୍ଣ ଦିଗକୁ ମୁଖ୍ୟମନ୍ତ୍ରୀ ଗୁରୁତ୍ୱର ସହ ନେବା ସହିତ ଏଗୁଡ଼ିକର ସଫଳ କାର୍ଯ୍ୟକାରିତା ପାଇଁ ସରକାର ସମସ୍ତ ସାଧନ, ଅନୁଦାନ ଓ ପ୍ରଶାସନିକ ସହଯୋଗ ଯୋଗାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ବିଭାଗ ପକ୍ଷରୁ ଉପସ୍ଥାପିତ ପ୍ରତ୍ୟେକ ପ୍ରସ୍ତାବ ଓ ଦିଗକୁ ଗୁରୁତ୍ୱର ସହ ନେବା ସହିତ ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଓ ସମ୍ମିଳନୀ ମାଧ୍ୟମରେ ଆରକ୍ଷୀ ଅଧୀକ୍ଷକ ଏବଂ ବରିଷ୍ଠ ପୁଲିସ ଅଧିକାରୀମାନଙ୍କୁ ସେମାନଙ୍କ ଜିଲ୍ଲାରେ ଅପରାଧ ନିୟନ୍ତ୍ରଣ ଓ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ୧୦ଟି ମୁଖ୍ୟ ପରାମର୍ଶ ଓ ନିର୍ଦ୍ଦେଶ ଦେଇଛନ୍ତି। ଏଗୁଡିକ ହେଲା- ଜିରୋ ଟଲରେନ୍ସ ନୀତି, ଦଣ୍ଡବିଧାନ ହାର ବୃଦ୍ଧି, ନିଶାମୁକ୍ତ ଓଡ଼ିଶା, ତଟରେଖା ଓ ସାମୁଦ୍ରିକ ସୁରକ୍ଷା, ସାଇବର ସୁରକ୍ଷା ଓ ଡାର୍କ ୱେବ୍, ଗୁଇନ୍ଦା ବ୍ୟବସ୍ଥାର ସୁଦୃଢ଼ୀକରଣ, ଥାନା ଆଧୁନିକୀକରଣ , ପୋଲିସର ଜନସାଧାରଣଙ୍କ ପ୍ରତି ନମ୍ର, ସମ୍ବେଦନଶୀଳ ଓ ଭରସାଯୋଗ୍ୟ ବ୍ୟବହାର, ‘ଦାଦା ବଟି’ ଓ ଚାନ୍ଦା ଆଦାୟ ଉପରେ ରୋକ୍, ଦୁର୍ନୀତିମୁକ୍ତ ଓ ସମର୍ପିତ ପୋଲିସିଂ ।

ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ ସାଧାରଣ ନାଗରିକଙ୍କ ପ୍ରତି ପୁଲିସର ନମ୍ର ଓ ସମ୍ବେଦନଶୀଳ ବ୍ୟବହାର ଉପରେ ସବୁଠାରୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଥାନାକୁ ଆସୁଥିବା ପ୍ରତ୍ୟେକ ଅଭିଯୋଗକାରୀ ଜଣେ ପୀଡ଼ିତ, ତେଣୁ ସେମାନଙ୍କ ସହ ସହାନୁଭୂତିପୂର୍ଣ୍ଣ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ସେ କହିଛନ୍ତି ।

ମହିଳାଙ୍କ ପ୍ରତି ହେଉଥିବା ହିଂସା ଏବଂ ସଂଗଠିତ ଅପରାଧ ବିରୋଧରେ ସରକାର ‘ଜିରୋ ଟଲରେନ୍ସ’ ନୀତି ଆପଣାଇଛନ୍ତି। ଏନସିଆରବି ତଥ୍ୟ ଅନୁଯାୟୀ ପୂର୍ବରୁ ଥିବା କମ୍ ଦଣ୍ଡବିଧାନ ହାରରେ ଏବେ ଉଲ୍ଲେଖନୀୟ ସୁଧାର ଆସି ୪୦ ପ୍ରତିଶତରୁ ଅଧିକ ହୋଇଛି, ଯାହାକୁ ଅତି କମରେ ୭୫ ପ୍ରତିଶତକୁ ନେବାକୁ ଲକ୍ଷ୍ୟ ରଖାଯାଇଛି। ଏଥିପାଇଁ ତଦନ୍ତ ପ୍ରକ୍ରିୟାକୁ ଅଧିକ ବୃତ୍ତିଗତ ଓ ପ୍ରଯୁକ୍ତିବିଦ୍ୟା-ଭିତ୍ତିକ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ପାର୍ବଣ ଋତୁ ଆଗତ ହେଉଥିବାରୁ ‘ଦାଦା ବଟି’ ଓ ବେଆଇନ ଜୋର-ଜବରଦସ୍ତି ଚାନ୍ଦା ଆଦାୟକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟକୁ ୨୦୨୯ ସୁଦ୍ଧା ସମ୍ପୂର୍ଣ୍ଣ ‘ନିଶାମୁକ୍ତ ଓଡ଼ିଶା’ରେ ପରିଣତ କରିବା ପାଇଁ ସରକାର ସଂକଳ୍ପବଦ୍ଧ। କେବଳ ଜବତ ଓ ଗିରଫଦାରୀରେ ସୀମିତ ନରହି, ନିଶାଦ୍ରବ୍ୟ ଓ ବେଆଇନ ଚାଲାଣର ମୂଳ ଯୋଗାଣ ଶୃଙ୍ଖଳା ଏବଂ ଆର୍ଥିକ ସିଣ୍ଡିକେଟକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବାକୁ ପୁଲିସକୁ ନିର୍ଦ୍ଦେଶ ଦିଆଯାଇଛି। ନିଶା କାରବାର ବନ୍ଦ ହେଲେ ରାଜ୍ୟରେ ଅପରାଧ ହାର ଯଥେଷ୍ଟ ହ୍ରାସ ପାଇବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି।

ରାଜ୍ୟର ୫୭୫ କିଲୋମିଟର ଦୀର୍ଘ ତଟରେଖାର ସୁରକ୍ଷା ଓ ସାମୁଦ୍ରିକ ସୀମା ଦେଇ ହେଉଥିବା ଅନୁପ୍ରବେଶକୁ ରୋକିବା ପାଇଁ ଓଡ଼ିଶା ପୁଲିସ ଗ୍ରହଣ କରିଥିବା ପଦକ୍ଷେପକୁ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି। ଭୁବନେଶ୍ୱରଠାରେ ‘କମାଣ୍ଡ ଆଣ୍ଡ କଣ୍ଟ୍ରୋଲ ସେଣ୍ଟର’, ୧୦ଟି ଡ୍ରୋନ୍, ୫ଟି ଟ୍ରଲର୍, ୧୦ଟି ଆଧୁନିକ ଇଣ୍ଟରସେପ୍ଟର ବୋଟ୍ କ୍ରୟ ପ୍ରକ୍ରିୟା ଏବଂ ଅଲ୍‌ ଟେରେନ୍ ଭେଇକିଲ୍ ମାଧ୍ୟମରେ ବେଳାଭୂମି ପାଟ୍ରୋଲିଂ ବ୍ୟବସ୍ଥାକୁ ଅଧିକ କ୍ରିୟାଶୀଳ କରାଯାଇଛି। ସାମୁଦ୍ରିକ ସୁରକ୍ଷା ପାଇଁ ଏସପିଓ ଏବଂ ପୂର୍ବତନ ସେନାକର୍ମୀଙ୍କୁ ମଧ୍ୟ ନିୟୋଜିତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସାଇବର ଅପରାଧ ଓ ଆର୍ଥିକ ଠକେଇ ରୋକିବା ପାଇଁ ବ୍ୟାପକ ସଚେତନତା ସହ ନୂତନ ଟେକ୍ନୋଲୋଜି ଓ ‘ଡାର୍କ ୱେବ୍’ ଉପରେ ନଜର ରଖିବାକୁ ପୁଲିସକୁ ପରାମର୍ଶ ଦିଆଯାଇଛି। ରାଜ୍ୟରେ ମାଓ ହିଂସା ସମ୍ପୂର୍ଣ୍ଣ ନିୟନ୍ତ୍ରଣକୁ ଆସିଥିବାରୁ ଏବଂ ଓଏସଏସଏଫ ବାଟାଲିୟନ, ଆକର୍ଷଣୀୟ ଆତ୍ମସମର୍ପଣ ନୀତି ଯୋଗୁଁ ଓଡ଼ିଶାକୁ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ସମ୍ମାନିତ କରାଯାଇଛି। ଏହାସହ ଗତ ଦୁଇ ବର୍ଷ ମଧ୍ୟରେ ପୋଲିସ ବିଭାଗରେ ୧୭,୭୯୪ଟି ନୂତନ ପଦବୀ ସୃଷ୍ଟି ଏବଂ ୫,୮୧୭ଟି ପଦବୀ ପୂରଣ କରାଯାଇଥିବା ନେଇ ସେ ସୂଚନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଛନ୍ତି ଯେ, ରାଜ୍ୟରେ ମହିଳାଙ୍କ ପ୍ରତି ହେଉଥିବା ହିଂସା ଓ ସଂଗଠିତ ଅପରାଧ ବିରୋଧରେ ‘ଜିରୋ ଟଲରେନ୍ସ’ ନୀତି କାର୍ଯ୍ୟକାରୀ କରାଯାଉଥିବା ବେଳେ ରାଜ୍ୟରେ ଦଣ୍ଡବିଧାନ ହାରକୁ ଅତି କମରେ ୭୫ ପ୍ରତିଶତକୁ ନେବା ପାଇଁ ତଦନ୍ତ ପ୍ରକ୍ରିୟାକୁ ବୃତ୍ତିଗତ ଓ ପ୍ରଯୁକ୍ତିବିଦ୍ୟା-ଭିତ୍ତିକ କରିବା ଉଚିତ । ‘ଡାର୍କ ୱେବ୍’ ଏବଂ ସାଇବର ଠକେଇକୁ ରୋକିବା ପାଇଁ ଆଧୁନିକ ଡିଜିଟାଲ ସର୍ଭେଲାନ୍ସ ସହ ବ୍ୟାପକ ସଚେତନତା ସୃଷ୍ଟି କରିବା, ଗୁଇନ୍ଦା ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଥାନାଗୁଡ଼ିକର ଆଧୁନିକୀକରଣ ପାଇଁ ୫୦ କୋଟି ଟଙ୍କାର ସ୍ୱତନ୍ତ୍ର ତଦନ୍ତ ଫଣ୍ଡ ସହ ଆବଶ୍ୟକୀୟ ଉପକରଣ ଯୋଗାଇ ଦିଆଯାଇଛି। ଏହା ସହିତ ୨୦୨୯ ସୁଦ୍ଧା ‘ନିଶାମୁକ୍ତ ଓଡ଼ିଶା’ ଗଠନ ପାଇଁ ନିଶା ସିଣ୍ଡିକେଟକୁ ସମ୍ପୂର୍ଣ୍ଣ ଧ୍ୱଂସ କରିବା, ଥାନାକୁ ଆସୁଥିବା ନିରୀହ ପୀଡ଼ିତଙ୍କ ସହ ସମ୍ବେଦନଶୀଳ ବ୍ୟବହାର କରି ‘ପୁଲିସକୁ ଦେଖି ଅପରାଧୀ ଛାନିଆଁ ହେବେ, ନିର୍ଦୋଷ ନାଗରିକ ନୁହଁନ୍ତି’ ବୋଲି ବାର୍ତ୍ତା ଦେବା, ପୁଲିସ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଦୁର୍ନୀତିମୁକ୍ତ କରିବା, ଡ୍ରୋନ୍ ମାଧ୍ୟମରେ ୫୭୫ କିଲୋମିଟର ତଟରେଖାର ସୁରକ୍ଷା ଏବଂ ବେଆଇନ ଅନୁପ୍ରବେଶ ରୋକିବା ସହ ଅସାମାଜିକ ତତ୍ତ୍ୱଙ୍କ ଜୋର୍-ଜବରଦସ୍ତି ଚାନ୍ଦା ଆଦାୟକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ସେ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।

ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପ୍ରତ୍ୟେକ ପୁଲିସ ଅଧିକାରୀଙ୍କ ସହ ସିଧାସଳଖ ଭାବ ବିନିମୟ କରି ସେମାନଙ୍କ କାର୍ଯ୍ୟକ୍ଷେତ୍ରର ସମସ୍ୟା ଓ ଅଭିଜ୍ଞତା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ନିଷ୍ଠାର ସହ ସାଧୁତାର ସହ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ। ରାଜ୍ୟର ଶିଳ୍ପ ବିକାଶ ଓ ନାଗରିକଙ୍କ ସୁରକ୍ଷା ପାଇଁ ଓଡ଼ିଶା ପୁଲିସ ସୁରକ୍ଷିତ ଓଡ଼ିଶା—ସଶକ୍ତ ଓଡ଼ିଶା—ସମୃଦ୍ଧ ଓଡ଼ିଶା” ଗଠନରେ ନିଷ୍ଠାର ସହ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ଯୋଗଦେଇ ଜନସାଧାରଣଙ୍କ ପ୍ରତି ପୁଲିସର ସେବା ବ୍ୟବସ୍ଥାକୁ ଆହୁରି ଗୁଣାତ୍ମକ ଓ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ପୁଲିସ ବିଭାଗର ନିରନ୍ତର ନିଷ୍ଠା ଓ ଉତ୍ସର୍ଗୀକୃତ ସେବା ଯୋଗୁଁ ଆଜି ଓଡ଼ିଶା ସମ୍ପୂର୍ଣ୍ଣ ନକ୍ସଲମୁକ୍ତ ହୋଇପାରିଛି ଏବଂ ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ସଫଳ ଓ ଶାନ୍ତିପୂର୍ଣ୍ଣ ପରିଚାଳନା ସମ୍ଭବ ହୋଇଛି ବୋଲି ସେ କହିଥିଲେ।

ସମ୍ମିଳନୀରେ ପୁଲିସ ମହାନିର୍ଦ୍ଦେଶକ ବିନୟତୋଷ ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ଗଠନମୂଳକ ପରାମର୍ଶ ଓ ଆହ୍ୱାନ ପାଇଁ କୃତଜ୍ଞତା ପ୍ରକାଶ କରିବା ସହ ଆଗାମୀ ଦିନରେ ସାଇବର ସୁରକ୍ଷା କ୍ଷେତ୍ରରେ ଅଧିକ ବ୍ୟାପକ କାର୍ଯ୍ୟ କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଅସାମାଜିକ କାର୍ଯ୍ୟକଳାପ ରୋକିବା, ସମ୍ବେଦନଶୀଳ ଓ ସୁରକ୍ଷା ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ଅଞ୍ଚଳଗୁଡ଼ିକରେ ପୁଲିସ ପାଟ୍ରୋଲିଂକୁ ଅଧିକ କଡ଼ାକଡ଼ି କରିବା ଏବଂ ନିଶାଦ୍ରବ୍ୟ ବେଆଇନ କାରବାର ବିରୋଧରେ ବିଶେଷ ଅଭିଯାନକୁ ଆହୁରି ଶକ୍ତିଶାଳୀ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।