ଭୁବନେଶ୍ୱର : ଓଡିଶାର ବିକାଶ ପାଇଁ ସରକାର ପରେ ସରକାର ମାଳ ମାଳ ଯୋଜନା ପ୍ରଣୟନ କରୁଥିବାବେଳେ ରାଜ୍ୟ ଯୋଜନା ବୋର୍ଡର ବୈଠକ ୧୮ବର୍ଷ ଧରି ବସିନାହିଁ । ଗତବର୍ଷ ରାଜ୍ୟ ଯୋଜନା ବୋର୍ଡକୁ ଭାଙ୍ଗି ଦିଆଯାଇଥିବାବେଳେ ଏଯାବତ୍ ଏହାର ପୁର୍ନଗଠନ ହୋଇନାହିଁ ।
ସରକାରୀ ତଥ୍ୟ ମୁତାବକ ରାଜ୍ୟ ସରକାର ୨୦୨୪ ଜୁଲାଇ ୧୮ତାରିଖରେ ରାଜ୍ୟ ଯୋଜନାବୋର୍ଡକୁ ଭାଙ୍ଗି ଦେଇଥିଲେ । ଏହା ପୂର୍ବରୁ ବିଜେଡି ସରକାର ସମୟରେ ବୋର୍ଡର ଉପାଧ୍ୟକ୍ଷ ଥିବା ସଞ୍ଜୟ କୁମାର ଦାଶବର୍ମାଙ୍କୁ ଅପସାରଣ କରାଯାଇଥିଲେ ମଧ୍ୟ ତାଙ୍କ ସ୍ଥାନରେ ଆଉ କାହାକୁ ନିଯୁକ୍ତି କରାଯାଇନଥିଲା ।
କେନ୍ଦ୍ର ସରକାରଙ୍କ ଯୋଜନା କମିଶନ ଢାଞ୍ଚାରେ ଓଡିଶାରେ ରାଜ୍ୟ ଯୋଜନାବୋର୍ଡ ଗଢାଯାଇଥିଲା । ବିଜୁ ପଟ୍ଟନାୟକ ଓ ନନ୍ଦିନୀ ଶତପଥୀଙ୍କ ଭଳି ପୂର୍ବତନ ମୁଖ୍ୟମନ୍ତ୍ରୀମାନେ ଏହି ବୋର୍ଡର ଅଧ୍ୟକ୍ଷ ରହିଥିଲେ । ବହୁ ସମୟରେ ମୁଖ୍ୟମନ୍ତ୍ରୀ ନିଜେ ଯୋଜନା ବୋର୍ଡର ଅଧ୍ୟକ୍ଷ ରୁହନ୍ତି ଏବଂ ତାଙ୍କ ମନୋନିତ ବ୍ୟକ୍ତିଙ୍କୁ ଏହାର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଥାଏ । ଏହାଛଡା ଯୋଜନା ବୋର୍ଡରେ ବହୁ ରାଜନେତା ଓ ବିଷୟ ବିଶେଷଜ୍ଞମାନଙ୍କୁ ସଦସ୍ୟଭାବେ କାମ କରିବାର ସୁଯୋଗ ମିଳିଥାଏ ।
୧୯୯୮ ଜୁଲାଇ ମାସରେ ସେତେବେଳର ଯୋଜନା ଓ ସମନ୍ୱୟ ବିଭାଗ ଏକ ସଙ୍କଳ୍ପ ଆଣି ପୂର୍ବର ସମସ୍ତ ନୀତି ନିୟମକୁ ବଦଳାଇଥିଲେ । ରାଜ୍ୟର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ଓ ଉନ୍ନୟନ ପାଇଁ ଯୋଜନା ବୋର୍ଡ ଦୀର୍ଘ ଓ ସ୍ୱଳ୍ପମିଆଦୀ ଯୋଜନାମାନ ପ୍ରଣୟନ କରିଥାନ୍ତି । ଏହାଛଡା ରାଜ୍ୟରେ ଗଚ୍ଛିତ ସାମଗ୍ରୀ, ପୁଞ୍ଜି ଓ ମାନବସମ୍ବଳର ସର୍ବାଧିକ ବିନିଯୋଗ ପାଇଁ ମଧ୍ୟ ଏହି ବୋର୍ଡ ମାର୍ଗଦର୍ଶନ ଦେଇଥାଏ । ଜିଲ୍ଲାଗୁଡିକର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ସରକାରଙ୍କ ଅର୍ଥନୈତିକ ସ୍ଥିତି, ନୀତିଗତ କାର୍ଯ୍ୟକ୍ରମ ଓ ଉନ୍ନୟତିମୂଳକ ଯୋଜନା, ଏମିତିକି ବଜେଟ୍ ସମ୍ପର୍କରେ ବି ଏହି ସଂସ୍ଥା ସୁପାରିଶ କରିଥାଏ । ରାଜ୍ୟର ଦ୍ରୁତ ଅଭିବୃଦ୍ଧି ପାଇଁ ଯୋଜନା ବୋର୍ଡ ବିଶେଷ ଭୂମିକା ଗ୍ରହଣ କରିଥାଏ ।
କେନ୍ଦ୍ର ସରକାର ଇତି ମଧ୍ୟରେ ଯୋଜନା କମିଶନକୁ ଭାଙ୍ଗି ନୀତି ଆୟୋଗ ଗଠନ କରିଛନ୍ତି । ରାଜ୍ୟ ସରକାର କେନ୍ଦ୍ର ଢାଞ୍ଚାରେ ଓଡିଶାରେ ନୀତି ଆୟୋଗ ଗଢିବେ କି ପୁରୁଣା ଢାଞ୍ଚାର ଯୋଜନାବୋର୍ଡକୁ ଚାଲୁ ରଖିବେ ସେ ପ୍ରସଙ୍ଗରେ କିଛି ସ୍ପଷ୍ଟ ନିଷ୍ପତ୍ତି ହୋଇନାହିଁ । ତେବେ ଓଡିଶାରେ ବିଜେପି ସରକାର ଗଢାଯିବାପରେ ୨୦୨୪ ଜୁଲାଇ ୧୮ତାରିଖରେ ରାଜ୍ୟ ଯୋଜନାବୋର୍ଡକୁ ଭାଙ୍ଗି ଦିଆଯିବାପରେ ବହୁ ବିଜେପି ନେତା ଏବଂ ବିଜେପି ମନସ୍କ ବୁଦ୍ଧିଜୀବୀ ଏଠାରେ ନିଯୁକ୍ତି ପାଇବେ ବୋଲି ଆଶାବାନ୍ଧି ବସିଥିଲେ ମଧ୍ୟ ଏଯାବତ୍ ତାହା କାର୍ଯ୍ୟକାରୀ ହୋଇପାରୁ ନାହିଁ ।
ସରକାରୀ ତଥ୍ୟ ମୁତାବକ ଓଡିଶା ରାଜ୍ୟ ଯୋଜନାବୋର୍ଡର ସର୍ବଶେଷ ବୈଠକ ବସିଥିଲା ୨୦୦୭ ଅକ୍ଟୋବର ୧୫ତାରିଖରେ । ସେବେଠାରୁ ଆଉ ଯୋଜନାବୋର୍ଡ ବସିନାହିଁ । ଯୋଜନାବୋର୍ଡ ବୈଠକ ପାଇଁ ସେତେବେଳେ ଅଧ୍ୟକ୍ଷ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୟ ଦେବାକୁ ବାରମ୍ବାର ଚିଠି ଲେଖାଯାଇଥିଲେ ମଧ୍ୟ ୧୮ବର୍ଷ ଭିତରେ ଘଣ୍ଟାକ ପାଇଁ ବି ବୋର୍ଡ ବୈଠକ ବସିପାରିନଥିଲା । ତେବେ ଉପାଧ୍ୟକ୍ଷମାନେ ଚାହିଁଥିଲେ ବି ବୈଠକ କରିପାରିଥାନ୍ତେ । ଉପାଧ୍ୟକ୍ଷଙ୍କ ପରେ ଉପାଧ୍ୟକ୍ଷ ଏବଂ ସଦସ୍ୟମାନଙ୍କ ପରେ ସଦସ୍ୟ ବଦଳି ଚାଲିବା ସହିତ ସେମାନଙ୍କ ପାଇଁ ରାଜକୋଷରୁ ବିପୁଳ ଅର୍ଥ ଖର୍ଚ୍ଚ ହୋଇଥିଲେ ମଧ୍ୟ ଯୋଜନାବୋର୍ଡ ରାଜ୍ୟ ପ୍ରଗତି କରିବା ପରିବର୍ତ୍ତେ ବସ୍ତୁତଃ ଦୀର୍ଘବର୍ଷ ଧରି ନେତାମାନଙ୍କ ଥଇଥାନକେନ୍ଦ୍ରରେ ପରିଣତ ହୋଇଥିଲା । ଯୋଜନାବୋର୍ଡ କେବେ ପୁର୍ନଗଠନ କରାଯିବ ଏବଂ ଏହାକେବେ ସକ୍ରିୟ ଭାବେ କାମ କରିବ ସେ ସଂକ୍ରାନ୍ତରେ କାହା ପାଖରେ କିଛି ଖବର ନାହିଁ । (ତଥ୍ୟ)

