Home Health ପୁରୁଷ ବନ୍ଧ୍ୟାକରଣ ଏକ ପ୍ରତିଶତରୁ କମ୍‍

ପୁରୁଷ ବନ୍ଧ୍ୟାକରଣ ଏକ ପ୍ରତିଶତରୁ କମ୍‍

ଭୁବନେଶ୍ୱର : ପରିବାର ନିୟୋଜନ ପାଇଁ ପୁରୁଷ ବନ୍ଧ୍ୟାକରଣ ଉପରେ ଗୁରୁତ୍ୱ ଦିଆଯାଉଥିବାବେଳେ ଓଡିଶାରେ ଏହି ହାର ୦.୩ ପ୍ରତିଶତ ରହିଛି । ତେବେ ରାଜ୍ୟରେ ନିୟୋଜନ ପାଇଁ କଣ୍ଡୋମ ବ୍ୟବହାର ୫ ପ୍ରତିଶତରୁ ଅଧିକ ଥିବା କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନରୁ ଜଣାପଡିଛି ।

ଏହି ସୂଚନା ଅନୁଯାୟୀ ପରିବାର ନିୟୋଜନ ପାଇଁ କେନ୍ଦ୍ର ସରକାର ବହୁବିଧ ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ଏଥି ମଧ୍ୟରେ ପୁରୁଷ ବନ୍ଧ୍ୟାକରଣକୁ ଗୁରୁତ୍ୱ ଦିଆଯାଉଛି । ତେବେ ପୁରୁଷ ବନ୍ଧ୍ୟାକରଣ କ୍ଷେତ୍ରରେ ହିମାଚଳପ୍ରଦେଶ ସବୁଠାରୁ ଆଗରେ ରହିଛି । ଏଠାରେ ସର୍ବାଧିକ ୩.୩ ପ୍ରତିଶତ ପୁରୁଷ ପରିବାର ନିୟୋଜନ ପାଇଁ ବନ୍ଧ୍ୟାକରଣ ପଦ୍ଧତିକୁ ଆପଣେଇଛନ୍ତି । ସେହିଭଳି ୨ ପ୍ରତିଶତ ପୁରୁଷ ବନ୍ଧ୍ୟାକରଣ ସହିତ ତେଲେଙ୍ଗାନା ଦ୍ୱିତୀୟ ସ୍ଥାନରେ ଥିବାବେଳେ ୧.୭ ପ୍ରତିଶତ ସହିତ ସିକ୍କିମ ତୃତୀୟ ସ୍ଥାନରେ ରହିଛି । ଦେଶର ଅନ୍ୟ କୌଣସି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପୁରୁଷ ବନ୍ଧ୍ୟାକରଣ ହାର ଏକ ପ୍ରତିଶତକୁ ଅତିକ୍ରମ କରିପାରି ନାହାନ୍ତି ।

ତେବେ ପରିବାର ନିୟୋଜନ ପାଇଁ ପୁରୁଷମାନେ ବନ୍ଧ୍ୟାକରଣ ପରିବର୍ତ୍ତେ କଣ୍ଡୋମ ବ୍ୟବହାରକୁ ଅଧିକ ଉପଯୋଗ କରୁଛନ୍ତି । ଚଣ୍ଡିଗଡ ୩୧.୧ ପ୍ରତିଶତ ସହିତ ଏ କ୍ଷେତ୍ରରେ ଦେଶରେ ଏକ ନମ୍ବର ସ୍ଥାନରେ ଥିବାବେଳେ ୨୮.୩ ପ୍ରତିଶତ ସହିତ ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ଓ ୨୫.୬ ପ୍ରତିଶତ ସହିତ ଉତ୍ତରାଖଣ୍ଡ ତୃତୀୟ ସ୍ଥାନରେ ରହିଛି । ତେବେ ଓଡିଶାର ଏହି ହାର ୫.୫ ପ୍ରତିଶତ ରହିଛି ।

ତେବେ ପରିବାର ନିୟୋଜନ ପାଇଁ ଲୋକେ ଯେଭଳି ସହଜରେ ବିଭିନ୍ନ ପ୍ରକାର ଗର୍ଭନିରୋଧକ ସାମଗ୍ରୀ ପାଇପାରିବେ ସେଥିପାଇଁ କେନ୍ଦ୍ର ସରକାର ୧୩ଟି ରାଜ୍ୟରେ ‘ମିଶନ ପରିବାର ବିକାଶ’ ନାମରେ ଏକ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି । ପୁରୁଷ ବନ୍ଧ୍ୟାକରଣକୁ ଅଧିକ ଲୋକପ୍ରିୟ କରିବାପାଇଁ ବିଶ୍ୱ ଜନସଂଖ୍ୟା ଦିବସ ଅବସରରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏ ସଂକ୍ରାନ୍ତରେ ଲୋକଙ୍କୁ ସଚେତନ କରାଯାଉଛି ।

ସେହିଭଳି ମହିଳାମାନଙ୍କୁ ସେମାନଙ୍କ ଘରେ ଆଶାକର୍ମୀମାନେ ପରିବାର ନିୟୋଜନ ପାଇଁ ଆବଶ୍ୟକ ସାମଗ୍ରୀ ଉପଲବ୍ଧ କରାଉଛନ୍ତି । ବ୍ୟାପକ ସଚେତନତା ଓ ପରିବାର ନିୟୋଜନ ଉପରେ ଗୁରୁତ୍ୱ ଦିଆଯିବା ଫଳରେ ଦେଶର ୩୧ଟି ରାଜ୍ୟରେ ଗର୍ଭଧାରଣ ହାର ୨ ପ୍ରତିଶତ ତଳକୁ ହ୍ରାସ ପାଇଛି । ତେବେ ଅତ୍ୟାଧୁନିକ ଗର୍ଭନିରୋଧ ପଦ୍ଧତି ବ୍ୟବହାର କରୁଥିବା ଲୋକଙ୍କ ସଂଖ୍ୟା ୫୬ ପ୍ରତିଶତରୁ ଅଧିକ ରହିଥିବାରୁ ଏହି ସଫଳତା ମିଳିଥିବା କୁହାଯାଉଛି ।

ଏହି ସୂଚନା ଅନୁଯାୟୀ ପରିବାର ନିୟୋଜନ ସକାଶେ ୨୦୨୦-୨୧ ବର୍ଷରେ ଓଡିଶା କେନ୍ଦ୍ରରୁ ପାଇଥିବା ୧୮କୋଟି ୧୦ଲକ୍ଷ ଟଙ୍କା ଖର୍ଚ୍ଚ କରିଥିବାବେଳେ ୨୦୨୧-୨୨ ରେ ଏହି ପରିମାଣ ୩୪କୋଟି ୭୧ଲକ୍ଷ ଟଙ୍କାରୁ ଅଧିକ ରହିଥିଲା । ସେହିଭଳି ୨୦୨୨-୨୩ ବର୍ଷରେ ଏ ବାବଦରେ ୪୧କୋଟି ୪୫ଲକ୍ଷ ଟଙ୍କା ବ୍ୟୟ ହୋଇଛି ।

ତେବେ ୨୦୨୨-୨୩ ବର୍ଷରେ ସମଗ୍ର ଦେଶରେ ବିହାର ପରିବାର ନିୟୋଜନ ପାଇଁ ସର୍ବାଧିକ ୧୫୬ କୋଟି ୪୪ଲକ୍ଷ ଟଙ୍କା ବ୍ୟୟ କରିଥିବାବେଳେ ଉତ୍ତରପ୍ରଦେଶ ୧୫୬କୋଟି ୨୮ଲକ୍ଷ ଟଙ୍କା, ମଧ୍ୟପ୍ରଦେଶ ୧୩୬କୋଟି ୨୩ଲକ୍ଷ ଓ ରାଜସ୍ଥାନ ୧୦୧ କୋଟି ୪୪ଲକ୍ଷ ଟଙ୍କା ବ୍ୟୟ କରିଥିବା ଜଣାଯାଇଛି । (ତଥ୍ୟ)