ଭୁବନେଶ୍ୱର : କେନ୍ଦ୍ର ସରକାର ଆଇପିସି, ସିଆର୍ପିସି ଓ ଏଭିଡେନ୍ସ ଆକ୍ଟକୁ ହଟାଇ ତାହା ସ୍ଥାନରେ ନୂଆ ଆଇନ ଆଣିବାକୁ ଯାଉଥିବାବେଳେ ସେ ସମୟର ପୁଲିସ ଆଇନ କିନ୍ତୁ ବଳବତ୍ତର ରହିଛି । ପୂର୍ବରୁ ଆଇନ କମିଶନ ବ୍ରିଟିଶ ଅମଳର ପୁଲିସ ଆକ୍ଟକୁ ପ୍ରତ୍ୟାହାର କରି ତାହା ସ୍ଥାନରେ ନୂଆ ଆଇନ ପ୍ରଣୟନ ଉପରେ ଗୁରୁତ୍ୱ ଦେଇ ଆସିଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ, ୧୮୫୭ର ସିପାହୀ ବିଦ୍ରୋହ ପରେ ୧୮୬୦ ମସିହାରେ ଇଣ୍ଡିଆନ୍ ପେନାଲ କୋଡ୍ ବା ଆଇପିସି, ୧୮୬୧ରେ ଇଣ୍ଡିଆନ୍ ପୁଲିସ ଆକ୍ଟ ଓ ୧୮୭୨ରେ ଇଣ୍ଡିଆନ୍ ଏଭିଡେନ୍ସ ଆକ୍ଟ ବ୍ରିଟିଶ ଶାସନ ସମୟରେ ଅଣାଯାଇଥିଲା । ଆଇପିସିର ୧୨୪ (କ) ଧାରାରେ ଥିବା ଦେଶଦ୍ରୋହ ମାମଲା ଆଧାରରେ ଲୋକମାନ୍ୟ ବାଲ ଗଙ୍ଗାଧର ତିଲକ, ମହାତ୍ମା ଗାନ୍ଧୀଙ୍କ ସମେତ ହଜାର ହଜାର ଦେଶପ୍ରେମୀଙ୍କୁ ସ୍ୱାଧୀନତା ଆନ୍ଦୋଳନ କାଳରେ ଦଣ୍ଡିତ କରାଯାଇଥିଲା ।
ଦେଶ ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ କରୁଥିବାବେଳେ ଦେଶଦ୍ରୋହ ଆଇନକୁ ସରକାର ରଖିବେ ନା ଉଚ୍ଛେଦ କରିବେ ସେ ସଂକ୍ରାନ୍ତରେ ବିଚାରବିମର୍ଷ କରିବା ପାଇଁ ସୁପ୍ରିମ୍କୋର୍ଟ ପୂର୍ବରୁ କହିଥିଲେ । ଏବେ କେନ୍ଦ୍ର ସରକାର ତିନୋଟି ନୂଆ ଅପରାଧିକ ଆଇନ ପ୍ରଣୟନ ଲାଗି ସଂସଦରେ ବିଲ୍ ଆଣିଥିବାବେଳେ ଏଯାବତ୍ କିନ୍ତୁ ପୁଲିସ ଆଇନ ହଟାଇବା ପାଇଁ ନୂଆ ବିଧେୟକ ଆସିନାହିଁ ।
କେନ୍ଦ୍ର ସରକାର ଯେଉଁ ତିନୋଟି ନୂଆ ଆଇନ ଆଣିବା ପାଇଁ ବିଲ୍ ଆଣିଛନ୍ତି ସେଗୁହିକ ହେଲା ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଓ ଭାରତୀୟ ସାକ୍ଷ୍ୟ ବିଲ୍ । ଏହି ବିଲ୍ ଗୁଡିକ ଯେବେଠାରୁ ଗୃହୀତ ହୋଇ ଆଇନର ରୂପ ନେବେ ସେବେଠାରୁ ଆଇପିସି, ସିଆର୍ପିସି ଓ ଏଭିଡେନ୍ସ ଆକ୍ଟର ପରିସମାପ୍ତି ଘଟିବ ଏବଂ ତାହାସହ ପୁରୁଣା ଦେଶଦ୍ରୋହ ଅପରାଧ ଧାରାର ବି ଅବସାନ ହେବ ।
ନୂଆ ଆଇନ କାର୍ଯ୍ୟକାରିହେଲେ ବିଚାର ପ୍ରକ୍ରିୟା ତ୍ୱରାନ୍ୱିତ ହୋଇ ଆଇନ ଅଦାଲତ ଉପରୁ ମାମଲାର ଚାପ ହ୍ରାସ ପାଇବ ଏବଂ ଲୋକେ ସହଜରେ ଥାନାରେ ଏତଲା ରୁଜୁ କରିପାରିବେ ବୋଲି କୁହାଯାଉଛି । ଏଥିସହ ବଳାତ୍କାର ଭଳି କେତେକ ଅପରାଧରେ ଦଣ୍ଡବିଧାନ ମଧ୍ୟ କଠୋର କରାଯିବାର ବ୍ୟବସ୍ଥା ଅଛି । ତେବେ ନୂଆ ଆଇନ କାର୍ଯ୍ୟକାରୀ ହେଲେ ମାମଲା ଗୁଡିକର ଯେ ତ୍ୱରିତ ଫଇସଲା ହୋଇଯିବ ସେଥିଘେନି ଆଇନଜୀବୀମାନେ ସନ୍ଦେହ ପ୍ରକଟ କରୁଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ସାରା ଦେଶରେ ଏବେ ବିଭିନ୍ନ ଆଇନ ଅଦାଲତରେ ୫କୋଟିରୁ ଊର୍ଦ୍ଧ୍ୱ ମାମଲା ବିଚାରାଧୀନ ଥିବାବେଳେ ଅପରାଧିକ ମାମଲା ସଂଖ୍ୟା ହେଉଛି ୩ କୋଟି ୨୦ଲକ୍ଷରୁ ଅଧିକ । ଏହାଛଡା ତହସିଲ, ଚକବନ୍ଦୀ, ବନ୍ଦୋବସ୍ତ, ସବ୍କଲେକ୍ଟର, ଏଡିଏମ୍, କଲେକ୍ଟର, ବୋର୍ଡ ଅଫ୍ ରେଭିନ୍ୟୁ ଆଦି ନିକଟରେ ଏବଂ ଶ୍ରମ, ଶିଳ୍ପ, ଶିକ୍ଷା, ସମବାୟ, ପ୍ରାଶାସନ ଆଦି ବିଭିନ୍ନ ଟ୍ରିବୁନାଲରେ ଆଉ ପ୍ରାୟ ୪ କୋଟି ମାମଲା ମଧ୍ୟ ରହିଛି । ଓଡ଼ିଶାରେ ଏବେ ପ୍ରାୟ ୨୦ଲକ୍ଷ ମାମଲା ଆଇନ ଅଦାଲତରେ ବିଚାରାଧୀନ ଥିବାବେଳେ ସେଥିରୁ ୧୨ଲକ୍ଷରୁ ଅଧିକ ଅପରାଧିକ ମାମଲା ।
ଏହାଛଡ଼ା ଅନ୍ୟାନ୍ୟ ପ୍ରାୟ ୧୦ଲକ୍ଷ ମାମଲା ବି ବିଭିନ୍ନ ପ୍ରଶାସନିକ ଅଧିକାରୀଙ୍କ କୋର୍ଟରେ ପଡିରହିଛି । ମାମଲା ସଂଖ୍ୟା ହ୍ରାସ କରିବା ପାଇଁ କେନ୍ଦ୍ର ସରକାର ପୂର୍ବରୁ ଜାତୀୟ ମାମଲା ନୀତି ଓ ରାଜ୍ୟ ସରକାର ଓଡ଼ିଶା ମାମଲା ନୀତି ପ୍ରଣୟନ କରିଥିଲେ ବି ଏଥିରୁ ଆଶା କରାଯାଉଥିବା ଫଳ ଫଳିଲା ନାହିଁ । ବିଶେଷ କରି ସାଧାରଣ ଲୋକଙ୍କ ଅଭିଯୋଗ ସମାଧାନ ପାଇଁ ଥିବା ବିଭିନ୍ନ ସରକାରୀ ସଂସ୍ଥାଗୁଡିକ ଓ ଏହା ଦାୟିତ୍ୱରେ ଥିବା ବ୍ୟକ୍ତିବିଶେଷଙ୍କ ନକାରାତ୍ମକ ମନୋଭାବ ଯୋଗୁ ସାରା ଦେଶରେ ମାମଲା ସଂଖ୍ୟା ବଢୁଛି ।
ଏହାଛଡ଼ା ଗଣହତ୍ୟା ଓ ଗଣଧର୍ଷଣ ଭଳି ଜଘନ୍ୟ ଅପରାଧରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ୍ରେ ଥିବା ଅପରାଧୀମାନଙ୍କୁ ବିଭିନ୍ନ ରାଜ୍ୟର ସରକାର ସେମାନଙ୍କ ରାଜନୈତିକ ଓ ପ୍ରଶାସନିକ ପତିଆରା ବଳରେ ରାଜକ୍ଷମା ପ୍ରଦାନ କରି ମୁକ୍ତି ଦେବା ଆମ ବିଚାର ବ୍ୟବସ୍ଥା ପ୍ରତି ବଡ଼ ଆହ୍ୱାନ ହୋଇଛି । ଏ ପ୍ରସଙ୍ଗରେ ଆଇନଜୀବୀମାନେ କହୁଛନ୍ତି ଯେ, ବ୍ରିଟିଶ ଅମଳର ପୁରୁଣା ଆଇନକୁ ପ୍ରତ୍ୟାହାର କରି ନୂଆ ଆଇନ ଅଣାଯିବା ଏକ ଭଲ ପଦକ୍ଷେପ କିନ୍ତୁ ଶାସନ କଳର ବିଭିନ୍ନ ସ୍ଥାନରେ ଅବସ୍ଥାପିତ ଲୋକଙ୍କ ମନରୁ ପୁରୁଣା ବ୍ରିଟିଶ ଅମଳର ଜମିଦାରୀ ଓ ସାମନ୍ତବାଦୀ ଛାପ ନଲିଭିବା ପର୍ଯ୍ୟନ୍ତ ଏଭଳି ସମସ୍ୟା ବଢି ବଢି ଚାଲିଥିବ । (ତଥ୍ୟ)