Home Infrastructure ପୁରୀ ବିମାନବନ୍ଦର ପାଇଁ ମିଳିନି ଅନୁମୋଦନ

ପୁରୀ ବିମାନବନ୍ଦର ପାଇଁ ମିଳିନି ଅନୁମୋଦନ

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଗ୍ରୀନ୍‍ ଫିଲ୍‍ଡ ବିମାନ ବନ୍ଦର ନୀତି ଆଧାରରେ ପୁରୀରେ ବିମାନ ବନ୍ଦର ପ୍ରତିଷ୍ଠା ଲାଗି ଓଡ଼ିଶା ସରକାର ଦେଇଥିବା ପ୍ରସ୍ତାବ ଉପରେ ଏଯାବତ୍‍ ଭାରତ ସରକାର ଚୁଡାନ୍ତ ନିଷ୍ପତ୍ତି ନେଇ ନାହାନ୍ତି । ଏହି ପ୍ରସ୍ତାବ ଏବେ ବି ବିଚାରାଧୀନ ରହିଛି ।

କେନ୍ଦ୍ର ସରକାରଙ୍କ ତଥ୍ୟ ମୁତାବକ ଓଡ଼ିଶା ସରକାର ପୁରୀରେ ବିମାନବନ୍ଦର ପ୍ରତିଷ୍ଠା ପାଇଁ ଦେଇଥିବା ପ୍ରସ୍ତାବ ସଂକ୍ରାନ୍ତରେ ଭାରତୀୟ ବିମାନବନ୍ଦର ପ୍ରାଧିକରଣ, ଡିଜିସିଏ ଓ ପ୍ରତିରକ୍ଷା ବିଭାଗକୁ ସେମାନଙ୍କ ମତାମତ ଜଣାଇବା ପାଇଁ କୁହାଯାଇଛି । ଏମାନଙ୍କଠାରୁ ମତାମତ ଗ୍ରହଣ ସହିତ ଆଲୋଚନା ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଗଠିତ ଗ୍ରୀନ୍‍ ଫିଲ୍‍ଡ ଏୟାରପୋର୍ଟ ଷ୍ଟିୟରିଂ କମିଟି ବୈଠକରେ ଏହି ପ୍ରସ୍ତାବ ଉପସ୍ଥାପନ କରାଯିବ ଏବଂ ସେଠାରୁ ସବୁଜ ସଙ୍କେତ ମିଳିବାପରେ ପୁରୀ ବିମାନବନ୍ଦର ପାଇଁ ଅନୁମୋଦନ ମିଳିପାରେ ।

ଏଠାରେ ଉଲ୍ଲେଖନୀୟ ଯେ କେନ୍ଦ୍ର ସରକାର ୨୦୦୮ ମସିହାରେ ଗ୍ରୀନ୍‍ ଫିଲ୍‍ଡ ଏୟାରପୋର୍ଟ ନୀତି ଲାଗୁ କରିଥିଲେ । ଯେଉଁ ସଂସ୍ଥା ଓ ରାଜ୍ୟ ସରକାର ଏଭଳି ବିମାନ ବନ୍ଦର ପ୍ରକଳ୍ପ ପାଇଁ ଆଗ୍ରହ ପ୍ରକାଶ କରିବେ ସେମାନେ ଏଥିଲାଗି ଜମି ଅଧିଗ୍ରହଣ, ବିସ୍ଥାପିତଙ୍କ ଥଇଥାନ ଓ ପ୍ରକଳ୍ପର ବ୍ୟୟଭାର ମଧ୍ୟ ବହନ କରିବେ । ବିଭିନ୍ନ ପ୍ରସଙ୍ଗକୁ ଆଖି ଆଗରେ ରଖି କେତେଦିନ ମଧ୍ୟରେ ଏଭଳି ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ତାହା ନିର୍ଦ୍ଧାରଣ କରାଯିବା କଥା ।

ଶ୍ରୀକ୍ଷେତ୍ର ପୁରୀକୁ ସିଧାସଳଖ ବିମାନ ସେବା ବ୍ୟବସ୍ଥା ହେଲେ ଓଡିଶା ବାହାରୁ ବହୁ ଭକ୍ତ ଓ ପର୍ଯ୍ୟଟକ ପୁରୀ ଆସିବା ସୁବିଧାଜନକ ହେବ ଏବଂ ଏଥିଯୋଗୁ ରାଜ୍ୟର ପର୍ଯ୍ୟଟନ ଶିଳ୍ପ ମଧ୍ୟ ବିକଶିତ ହେବ । ଭୁବନେଶ୍ୱରରେ ବିମାନବନ୍ଦର ଥିବାବେଳେ ଯେଉଁମାନେ ଓଡ଼ିଶା ବାହାରୁ ଆସୁଛନ୍ତି ସେମାନଙ୍କୁ ଭୁବନେଶ୍ୱରରୁ ପୁରୀ ସଡ଼କ କିମ୍ବା ରେଳ ପଥରେ ଯିବାକୁ ପଡୁଛି । ପୁରୀରେ ବିମାନ ବନ୍ଦର ପ୍ରତିଷ୍ଠା ହେଲେ ଦେଶ ବିଦେଶରୁ ପର୍ଯ୍ୟଟକମାନେ ସିଧାସଳଖ ବିମାନ ଯୋଗେ ପୁରୀ ଆସିପାରିବେ ।

ରାଜ୍ୟ ସରକାର ଏ ପ୍ରସଙ୍ଗରେ କେନ୍ଦ୍ରକୁ ପ୍ରସ୍ତାବ ଦେବାସହ ଜମି ଚିହ୍ନଟ ମଧ୍ୟ କରିଛନ୍ତି । ଏହାଛଡା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଓ ପୁରୀ ସମୁଦ୍ର ବେଳାଭୁମିର ବିକାଶ କାର୍ଯ୍ୟ ଆଗେଇ ଚାଲିଛି । ପ୍ରାୟ ୪ବର୍ଷ ତଳୁ ଓଡ଼ିଶା ସରକାର ପୁରୀରେ ସ୍ୱତନ୍ତ୍ର ବିମାନବନ୍ଦର ପ୍ରତିଷ୍ଠା କଥା ଉଠାଇ ଆସୁଛନ୍ତି । ଏମିତିକି କେନ୍ଦ୍ର ସରକାରଙ୍କ ପକ୍ଷରୁ ବରିଷ୍ଠ ଅଧିକାରିମାନେ ପ୍ରସ୍ତାବିତ ବିମାନବନ୍ଦର ଅଞ୍ଚଳ ପରିଦର୍ଶନ କରିଛନ୍ତି ।

ଭୁବନେଶ୍ୱରରୁ ପୁରୀକୁ ସଂଯୋଗ କରୁୁୁୁଥିବା ଜାତୀୟ ରାଜପଥର ସମ୍ପ୍ରସାରଣ କାର୍ଯ୍ୟ ଇତିମଧ୍ୟରେ ଶେଷ ହୋଇଛି । ଏହାଛଡା ଯାତ୍ରୀମାନଙ୍କ ସୁବିଧା ପାଇଁ ଭୁବନେଶ୍ୱର ବିମାନ ବନ୍ଦରରୁ ପୁରୀ ବିମାନ ବନ୍ଦର ପର୍ଯ୍ୟନ୍ତ ଆଉ ଏକ ସିଧାସଳଖ ସ୍ୱତନ୍ତ୍ର ରାସ୍ତା ନିର୍ମାଣ ପାଇଁ ମଧ୍ୟ ରାଜ୍ୟ ସରକାର ଯୋଜନା କରୁଛନ୍ତି ।

ଅନ୍ୟପକ୍ଷରେ କେନ୍ଦ୍ର ସରକାର ଉପକୂଳ ଜାତୀୟ ରାଜପଥ ପାଇଁ ଘୋଷଣା କରିଥିଲେ ବି ଏଯାବତ୍‍ କିନ୍ତୁ ଏହି ପ୍ରକଳ୍ପର କାମ ଓଡ଼ିଶାରେ ବିଶେଷ ଆଗେଇ ପାରିନାହିଁ । ବିଶେଷ କରି ଗୋପାଳପୁରରୁ ପୁରୀ ମଧ୍ୟରେ ଦୂରତା ହ୍ରାସ ପାଇଁ ଏହି ରାଜପଥର ଚିଲିକା ହ୍ରଦ ଉପରେ ପୋଲ ନିର୍ମାଣ ପାଇଁ ଥିବା ପ୍ରସ୍ତାବ ଏଯାବତ୍‍ ପରିବେଶ ବିଭାଗର ମଞ୍ଜୁରୀ ପାଇନାହିଁ । ଉପକୂଳ ରାଜପଥ ଲାଗି ପ୍ରାଥମିକ ସର୍ଭେ କାର୍ଯ୍ୟ ସରିଥିଲେ ମଧ୍ୟ ଗୋପାଳପୁରରୁ ଦୀଘା ପର୍ଯ୍ୟନ୍ତ ବିସ୍ତୃତ ସମୁଦ୍ର ଉପକୂଳରେ କେତେ ଜଙ୍ଗଲ ନଷ୍ଟ ହେବ ଓ ତାହାର କି ବିକଳ୍ପ ବ୍ୟବସ୍ଥା ଗ୍ରହଣ କରାଯିବ ସେ ସଂକ୍ରାନ୍ତରେ ବି ପରିବେଶ ମନ୍ତ୍ରଣାଳୟଠାରୁ କିଛି ସବୁଜ ସଂକେତ ମିଳିନାହିଁ ।

ଚିଲିକା ଉପରେ ସଡ଼କ ପଥରେ ଯାତାୟତ ପାଇଁ ସୁଦୀର୍ଘ ପୋଲ ନିର୍ମାଣ ଗଲେ ପୁରୀ ବିମାନବନ୍ଦରରେ ଅବତରଣ କରୁଥିବା ଯାତ୍ରୀ ଖୁବ୍‍ ସ୍ୱଳ୍ପ ସମୟରେ ବ୍ରହ୍ମପୁର ଓ ଗୋପାଳପୁର ଆଦି ସ୍ଥାନକୁ ଯାଇପାରିବେ । ଏ ପରିପ୍ରେକ୍ଷୀରେ ଅଧିକ ସମୟ ବରବାଦ୍‍ ନକରି କେନ୍ଦ୍ର ସରକାର ତୁରନ୍ତ ପୁରୀ ବିମାନବନ୍ଦର ନିର୍ମାଣ ପାଇଁ ବ୍ୟବସ୍ଥା କରିବା ସହ ବହୁ ପ୍ରତୀକ୍ଷିତ ଉପକୁଳ ରାଜପଥ ନିର୍ମାଣ କାର୍ଯ୍ୟ ସାରିବା ଏବଂ ଏହି ରାଜପଥ କଡ଼େ କଡ଼େ ରେଳ ଚଳାଚଳର ବ୍ୟବସ୍ଥା କରିବା ଲାଗି ମଧ୍ୟ ଦାବି ଉଠୁଛି । (ତଥ୍ୟ)