Home General ପୁରୀ ବିମାନବନ୍ଦର ଜମି ପାଇଁ କେନ୍ଦ୍ରକୁ ପ୍ରସ୍ତାବ

ପୁରୀ ବିମାନବନ୍ଦର ଜମି ପାଇଁ କେନ୍ଦ୍ରକୁ ପ୍ରସ୍ତାବ

ଭୁବନେଶ୍ୱର : ପୁରୀ ଠାରେ ପ୍ରସ୍ତାବିତ ଆର୍ନ୍ତଜାତୀୟ ବିମାନ ବନ୍ଦରର ଶ୍ରୀଘ୍ର ନିର୍ମାଣ ପାଇଁ ଓଡିଶା ସରକାର କେନ୍ଦ୍ର ସରକାରଙ୍କ ନିକଟରେ ପ୍ରସ୍ତାବ ଦାଖଲ କରିଛନ୍ତି । ଏହି ପ୍ରସ୍ତାବରେ ବିମାନବନ୍ଦରର ସ୍ଥାନ ଅନୁମୋଦନକୁ ମଞ୍ଜୁର ଲାଗି କୁହାଯାଇଛି । କେନ୍ଦ୍ର ବେସାମରିକ ବିମାନ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଭି.କେ.ସିଂହ ସଂସଦରେ ଏହି ସୂଚନା ଦେଇଛନ୍ତି ।

ବିଜେଡି ସାଂସଦ ପ୍ରଶାନ୍ତ ନନ୍ଦଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କ ଠାରୁ ଏହି ପ୍ରସ୍ତାବ ପାଇଛି । ଏହି ନୂତନ ବିମାନବନ୍ଦର ପୁରୀ ଜିଲ୍ଲାର ବ୍ରହ୍ମଗିରି ତହସିଲ ଅର୍ନ୍ତଗତ ସିପସରୁବାଲି ଏବଂ ଷଣ୍ଢପୁର ଠାରେ ନିର୍ମାଣ କରାଯିବ ।

ତେବେ ନୂତନ ବିମାନବନ୍ଦର ନୀତି ଅନୁଯାୟୀ ବିମାନବନ୍ଦର ନିର୍ମାଣ ଠାରୁ ଆରମ୍ଭକରି ଅର୍ଥ ଯୋଗାଣ ପର୍ଯ୍ୟନ୍ତ ଏହାର ବିକାଶକାରୀ ସଂସ୍ଥା ଓ ରାଜ୍ୟ ସରକାରଙ୍କ ଉପରେ ରହିବ । ଯଦି ରାଜ୍ୟ ସରକାର ଏହାର ପ୍ରସ୍ତାବକ ହୋଇଥିବେ ବୋଲି ସେ କହିଛନ୍ତି । ରାଜ୍ୟ ସରକାରଙ୍କ ଅନୁରୋଧ ଉପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷ (ଏଏଆଇ)ର ଏକ ଟିମ୍‍ ୨୦୨୧ ଜୁନ୍‍ ମାସରେ ପୁରୀ ଗସ୍ତକରିବା ସହିତ ରାଜ୍ୟ ସରକାରଙ୍କ ଦ୍ୱାରା ବିମାନବନ୍ଦର ନିର୍ମାଣ ପାଇଁ ଚିହ୍ନିତ ସ୍ଥାନ ଦେଖିଥିଲେ ଏବଂ ଏହି ବିମାନବନ୍ଦର କେତେଦୂର ଲାଭଦାୟକ ହେବ ତାହାର ଅନୁଧ୍ୟାନ କରିଥିଲେ ।

ଉଲ୍ଲେଖନୀୟ ଯେ ରାଜ୍ୟ ପ୍ରଶାସନ ପୁରୀ-ବ୍ରହ୍ମଗିରି ରାସ୍ତା ପାଶ୍ୱର୍ରେ ପ୍ରସ୍ତାବିତ ବିମାନବନ୍ଦର ପାଇଁ ୧୫୦୦ ଏକର ଜମି ଚିହ୍ନଟ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ମନ୍ତ୍ରଣାଳୟ ପକ୍ଷରୁ ଅନୁଧ୍ୟାନ ରିପୋର୍ଟ ୨୦୨୧ ଅଗଷ୍ଟ ୫ତାରିଖରେ ଓଡିଶା ସରକାରଙ୍କୁ ଦିଆଯାିଛି । ଏହି ରିପୋର୍ଟ ଅନୁଯାୟୀ ପ୍ରସ୍ତାବିତ ସ୍ଥାନରେ ନୂତନ ବିମାନ ବନ୍ଦର ନିର୍ମାଣ ବୈଷୟିକ ଦୃଷ୍ଟିରୁ ଗ୍ରହଣଯୋଗ୍ୟ ହୋଇଥିଲେ ମଧ୍ୟ ଅବଷ୍ଟାକେଲ ଲିମିଟେସନ ସର୍ଭେ (ଓଏଲଏସ୍‍) ସର୍ବେକ୍ଷଣ ସହିତ ଚିହ୍ନଟ ହୋଇଥିବା ବାଧକଗୁଡିକୁ ହଟାଇବା ଆବଶ୍ୟକ ବୋଲି ଶ୍ରୀ ସିଂହ କହିଛନ୍ତି ।

୨୦୨୧ରେ ପୁରୀ ଠାରେ ଶ୍ରୀଜଗନ୍ନାଥ ଆର୍ନ୍ତଜାତୀୟ ବିମାନବନ୍ଦର ନାମରେ ଏକ ବିମାନବନ୍ଦର ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପତ୍ରଲେଖି ଅନୁରୋଧ କରିଥିଲେ । ଧାର୍ଯ୍ୟ ସମୟରେ ବିମାନବନ୍ଦର ନିର୍ମାଣ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ।

ଓଡିଶାରେ ଉଡାନ ଯୋଜନା ସଂକ୍ରାନ୍ତରେ ଅନ୍ୟଏକ ଲିଖିତ ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ସିଂହ କହିଛନ୍ତି ଝାରସୁଗୁଡା, ରାଉରକେଲା, ଉଟକେଲା, ଜୟପୁର ଏବଂ ରଙ୍ଗେଇଲୁଣ୍ଡା ବିମାନବନ୍ଦର ଆରସିଏସ୍‍-ଉଡାନ ଯୋଜନାରେ ସାମିଲ ହୋଇଛି । ଝାରସୁଗୁଡା, ରାଉରକେଲା ଏବଂ ଜୟପୁର ବିମାନବନ୍ଦର ଉଡାନ ଯୋଜନାରେ ବିକଶିତ ହୋଇଥିବାବେଳେ ରାଜ୍ୟର ବିଭିନ୍ନ ବିମାନବନ୍ଦରରୁ ୨୪ଟି ରୁଟ୍‍ରେ ବିମାନ ଚଳାଚଳ କରୁଛି । ପର୍ଯ୍ୟଟନକୁ ଦୃଷ୍ଟିରେ ରଖି ନୂତନ ବିମାନ ଚଳାଚଳ ସଂକ୍ରାନ୍ତରେ ଶ୍ରୀ ସିଂହ କହିଛନ୍ତି ଯେ ପର୍ଯ୍ୟଟନର ବିକାଶ ଲାଗି ନୂତନ ବିମାନ ଚଳାଚଳ ସକାଶେ ରାଜ୍ୟ ସରକାର କୌଣସି ପ୍ରସ୍ତାବ ଦେଇ ନାହାନ୍ତି । ତେବେ ଉଡାନ ଯୋଜନାରେ ଜାରି ରହିଥିବାରୁ ରାଜ୍ୟରେ ପର୍ଯ୍ୟଟନର ବିକାଶ ପାଇଁ ନୂତନ ସ୍ଥାନକୁ ବିମାନ ଚଳାଚଳ ପାଇଁ ପ୍ରସ୍ତାବ ମିଳିଲେ ଏହି ଯୋଜନାରେ ତାହାର ବିଚାର କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । (ତଥ୍ୟ)