Home News in Odia ପୁରୀ ଗସ୍ତରେ ବ୍ରେକ୍‍ ଲଗାଇଲା ପୁଲିସ୍‍

ପୁରୀ ଗସ୍ତରେ ବ୍ରେକ୍‍ ଲଗାଇଲା ପୁଲିସ୍‍

ଭୁବନେଶ୍ୱର : ରଜଧାନୀବାସୀଙ୍କର ପୁରୀ ଗସ୍ତରେ ଆଜି କମିଶନରେଟ ପୁଲିସ୍‍ ଏକ ପ୍ରକାର ବ୍ରେକ୍‍ ଲଗାଇଛି । ସହରର ବିଭିନ୍ନ ଟ୍ରାଫିକ ଛକରେ ପୁରୀ ଭିଡର ପ୍ରଚାର ପରେ ଶ୍ରୀକ୍ଷେତ୍ର ଯିବାକୁ ବାହାରିଥିବା ଲୋକେ ଭୟରେ ନିଜ ନିଜ ଗସ୍ତ କାର୍ଯ୍ୟକ୍ରମ ବାତିଲ କରିଦେଇଛନ୍ତି ।

ଆଜି ଅପରାହ୍ନରୁ ସହରର ବିଭିନ୍ନ ଟ୍ରାଫିକ ପୋଷ୍ଟରେ ଲାଗିଥିବା ମାଇକ୍‍ରେ ପୁରୀ ଭିଡ ସଂକ୍ରାନ୍ତରେ ପ୍ରଚାର ହୋଇଥିଲା । ପୁରୀରେ ଲୋକଙ୍କର ଗହଳି ଯୋଗୁଁ ଭକ୍ତମାନଙ୍କୁ ଦିଅଁ ଦର୍ଶନ ପାଇଁ ଧାଡିରେ ଦୁଇ ତିନି ଘଣ୍ଟା ଛିଡା ହେବାକୁ ପଡୁଛି, ପାର୍କିଂ ସ୍ଥାନ ଖାଲି ନଥିବାରୁ ଗାଡିମୋଟର ନେଇ ଯାଉଥିବା ଆରୋହୀମାନଙ୍କୁ ୪/୫ କିଲୋମିଟର ଚାଲିକରି ଯିବାକୁ ପଡିପାରେ, ଯଦି ଆପଣଙ୍କର ଆଜି ପୁରୀ ଯିବାକୁ ଅଛି ତେବେ ତାକୁ ପରବର୍ତ୍ତୀ ଦିନକୁ ଧାର୍ଯ୍ୟ କରନ୍ତୁ ।

ସକାଳୁ ସକାଳୁ ଗଣମାଧ୍ୟମରେ ପୁରୀରେ ଦଳାଚକଟାରେ ତିନି ଜଣଙ୍କ ମୃତ୍ୟୁ ଖବର ପାଇଥିବା ରାଜଧାନୀବାସୀ କମିଶନରେଟ ପୁଲିସ୍‍ର ଏଭଳି ବାର୍ତ୍ତା ପାଇବାପରେ ଆଉ ପୁରୀ ଯିବାକୁ ସାହସ କରିନଥିଲେ । ଯେଉଁମାନେ ଗାଡି ମୋଟର ଭଡା କରିଥିଲେ ସେମାନେ ତୁରନ୍ତ ତାହାକୁ ବାତିଲ କରିଥିଲେ । ଦୁଇ ଚକିଆ ଆରୋହୀମାନେ ବି ଭୟରେ ବାହାରିନଥିଲେ ।

ପୂର୍ବରୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଦେଖିବାକୁ ପୁରୀ ଯାଉଥିବା ଭକ୍ତଙ୍କ ଲାଗି ପୁଲିସ୍‍ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଥିଲା । ଗାଡିମୋଟର ନେଲେ କେଉଁଠାରେ ରଖିବ ଓ କିଭଳି ଯିବ ସେଥିପାଇଁ ଆପ୍‍ ବିକାଶ ହୋଇଥିଲା । ସରକାର ମଧ୍ୟ ରାଜଧାନୀରେ ଚଳାଚଳ କରୁଥିବା ଅନେକ ମୋ ବସକୁ ପୁରୀ ମୁହାଁ କରିଛନ୍ତି । ଉଦ୍ଦେଶ୍ୟଥିଲା ରାଜଧାନୀରୁ ଲୋକେ ସହଜରେ ପୁରୀ ଗସ୍ତ କରିବେ । ଏହାଛଡା ବିଭିନ୍ନ ଜିଲ୍ଲାରୁ ମଧ୍ୟ ପୁରୀକୁ ସିଧା ଗସ୍ତ ପାଇଁ ବସ୍‍ଗୁଡିକୁ ଅସ୍ଥାୟୀ ପାଶ୍‍ ପ୍ରଦାନ କରାଯାଇଛି ।

ତେବେ ରବିବାର ଦିନଟି ଛୁଟି ଥିବାରୁ ରାଜଧାନୀର ଅନେକ ସରକାରୀ ଚାକିରିଆ ପରିବାର ସହିତ ପୁରୀ ଯିବାପାଇଁ ଯୋଜନା କରିଥିଲେ । ସକାଳ ବେଳା କାଳେ ଭିଡ ହେବ ସେଥିପାଇଁ ଖିଆପିଆ ସାରି ଅପରାହ୍ନରେ ପୁରୀ ଯିବାପାଇଁ ପ୍ରସ୍ତୁତ ହୋଇଥିଲେ । ହେଲେ କମିଶନରେଟ ପୁଲିସ୍‍ର ସର୍ତକତାମୂଳକ ସୂଚନା ସେମାନଙ୍କୁ ପୁରୀ ଯିବାକୁ ଏକ ପ୍ରକାର ରୋକି ଦେଇଛି । ଏହାବାଦ୍‍ ଆଜିର ପୁରୀ ଦଳାଚକଟା ସୂଚନା ପାଇବାପରେ ଅନେକ ସେମାନଙ୍କ ପୁରୀ ଗସ୍ତକୁ ସମ୍ପୂର୍ଣ୍ଣ ବାତିଲ କରିଦେଇଛନ୍ତି । ଲୋକେ କହୁଛନ୍ତି ପୁଲିସ୍‍ ସୂଚନା ସେମାନଙ୍କ ପୁରୀ ଗସ୍ତରେ ବ୍ରେକ୍‍ ଲଗାଇଦେଲା ।

ଉଲ୍ଲେଖନୀୟ ଯେ ଗତକାଲି ତିନି ରଥ ଗୁଣ୍ଡିଚା ମନ୍ଦିର ସାମ୍ନାରେ ଲାଗିବାପରେ ଆଜି ଆଡପ ପହଣ୍ଡି ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ତେଣୁ ଭକ୍ତମାନେ ରଥ ଉପରେ ଆଜି ତିନି ଠାକୁରଙ୍କୁ ଦର୍ଶନ କରିବାକୁ ପୁରୀକୁ ଗତକାଲିଠାରୁ ଛୁଟିଥିଲେ । ରାତିସାରା ରଥ ଆଗରେ ଝିପିଝିପି ବର୍ଷାରେ ବସି ରହିଥିଲେ । ଭୋର ସମୟରେ ଶ୍ରୀଜିଉମାନଙ୍କ ସମ୍ମୁଖରୁ ପହଡ ହଟିବା ସମୟରେ ଭକ୍ତମାନଙ୍କ ମଧ୍ୟରେ ଠେଲାପେଲା ଆରମ୍ଭ ହୋଇଥିଲା ଓ ଏଥିରେ ତିନିଜଣ ମୃତ୍ୟୁବରଣ କରିବା ସହିତ ଅନେକ ଆହତ ହୋଇଥିଲେ । ଏହାପରେ ରାଜ୍ୟ ପୁଲିସ୍‍ ପ୍ରଶାସନ ସତର୍କ ହୋଇ ଉଠିବା ସହିତ ଭିଡ ନିୟନ୍ତ୍ରଣ କାର୍ଯ୍ୟରେ ଲାଗିଥିଲା । ରବିବାର ଥିବାରୁ କାଳେ ରାଜଧାନୀରୁ ହଜାର ହଜାର ଲୋକେ ଗାଡିମୋଟର ଧରି ପୁରୀ ଛୁଟିବେ ତାହାକୁ ଦୃଷ୍ଟିରେ ରଖି ରାଜଧାନୀର ବିଭିନ୍ନ ଛକରେ ଏଭଳି ସୂଚନା ପ୍ରଦାନ କରାଯାଇଥିଲା । (ତଥ୍ୟ)