ଭୁବନେଶ୍ୱର : ଆସନ୍ତା ରଥଯାତ୍ରା ସମୟରେ ଶ୍ରୀକ୍ଷେତ୍ର ପୁରୀ ଯେଭଳି ପରିଷ୍କାର ପରିଚ୍ଛନ୍ନ ରୁହେ ତାହା ନିଶ୍ଚିତ କରିବାକୁ କେନ୍ଦ୍ର ପକ୍ଷରୁ ଓଡିଶା ସରକାରଙ୍କୁ କୁହାଯାଇଛି । ଏହି ମର୍ମରେ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପର ମନ୍ତ୍ରାଳୟ ରାଜ୍ୟ ସରକାରଙ୍କୁ ପରାମର୍ଶ ଦେଇଥିବାବେଳେ ଖୁବ୍ଶୀଘ୍ର ମନ୍ତ୍ରାଳୟର ଏକ ଟିମ୍ ପୁରୀ ଗସ୍ତରେ ଆସି ସ୍ଥିତି ପରଖିବେ ବୋଲି ସୂଚନା ମିଳିଛି ।
ଏ ସଂକ୍ରାନ୍ତରେ କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ସଚିବ ମନୋଜ ଯୋଶୀ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ପତ୍ର ଲେଖିଛନ୍ତି । ପରିମଳ ଓ ବର୍ଜ୍ୟ ପରିଚାଳନା ନେଇ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏଭଳି ପରାମର୍ଶ ଦିଆଯାଇଛି । ବଡଦାଣ୍ଡର ଦୁଇ ପଟେ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ନିର୍ମାଣ କରିବା ସହିତ ଏହା ଯେଭଳି ସଫା ସୁତୁରା ରହିବ ଓ ସବୁ ସମୟରେ ବ୍ୟବହାର କରିହେବ ତାହା ଉପଲବ୍ଧ କରିବାକୁ କେନ୍ଦ୍ର ପକ୍ଷରୁ ରାଜ୍ୟ ସରକାରଙ୍କୁ କୁହାଯାଇଛି ।
ସେହିଭଳି ରାସ୍ତାକଡରେ ଥିବା ଖାଇବା ଦୋକାନଗୁଡିକ ଯେଭଳି ସେମାନଙ୍କୁ ବର୍ଜ୍ୟବସ୍ତୁକୁ ଠିକଣା ଭାବେ ବିଘଟନ କରିବେ ଓ ଏଥିରୁ ଖତ ପ୍ରସ୍ତୁତ କରାଯାଇ ପାରିବ ସେ ସଂକ୍ରାନ୍ତରେ ସେମାନଙ୍କୁ ସଚେତନ ଲାଗି କୁହାଯାଇଛି । ଏହି କାର୍ଯ୍ୟରେ ସାଧାରଣ ଲୋକଙ୍କ ସହିତ ସ୍ଥାନୀୟ ଏନ୍ଜିଓ / ସିଏସ୍ଓ / ସ୍ୱେଚ୍ଛାସେବୀ ସଂସ୍ଥା, ସ୍ୱୟଂ ସହାୟକ ଗୋଷ୍ଠିକୁ ଚିହ୍ନଟ ସହିତ ସଚେତନ କରିବାକୁ ମନ୍ତ୍ରାଳୟ ପରାମର୍ଶ ଦେଇଛି । ସ୍ଥାନୀୟ ସ୍ୱଚ୍ଛତା ବ୍ରାଣ୍ଡ୍ ଆମ୍ବାସେଡର ଚିହ୍ନଟ ସହିତ ‘ସ୍ୱଚ୍ଛ ଯାତ୍ରା’ ଆୟୋଜନ ଜରିଆରେ ପରିଷ୍କାର ପରିଚ୍ଛନ୍ନତାର ବାର୍ତ୍ତା ପ୍ରଚାର ପ୍ରସାର ସହ ଆଗନ୍ତୁକମାନେ କିଭଳି ସ୍ଥାନୀୟ ଅଞ୍ଚଳରେ ସ୍ୱଚ୍ଛତା ବଜାୟ ରଖିବାରେ ସହାୟକ ହେବେ ସେଥିପାଇଁ ସେମାନଙ୍କୁ ମଧ୍ୟ ସଚେତନ କରିବାକୁ କୁହାଯାଇଛି ।
ରାଜ୍ୟ ସରକାର କିଭଳି ସ୍ୱଚ୍ଛତା କାର୍ଯ୍ୟକ୍ରମ ଚଳାଇଛନ୍ତି ଚଳିତ ସପ୍ତାହରୁ କେନ୍ଦ୍ରୀୟ ଟିମ୍ ତାହାର ଅନୁଧ୍ୟାନ କରିବା ସହିତ ବର୍ଜ୍ୟ ପରିଚାଳନା ନେଇ ପରାମର୍ଶ ଦେବ । ପ୍ରସ୍ତୁତି ନେଇ ଭିଡିଓ କନଫରେନ୍ସି ଜରିଆରେ ମଧ୍ୟ ରାଜ୍ୟ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରାଯିବ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଇ ୨୯ତାରିଖରେ ତାଙ୍କର ୮୯ତମ ମନ୍ କି ବାତ୍ ରେ ଦେଶକୁ ସମ୍ବୋଧନ ସମୟରେ ଧାର୍ମୀକ ସ୍ଥଳୀରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦେବା ସହିତ ସାଧାରଣ ଲୋକଙ୍କୁ ମଧ୍ୟ ଏଥିରେ ହାତ ମିଳାଇବାପାଇଁ ଆହ୍ୱାନ ଦେଇଥିଲେ । କେନ୍ଦ୍ର ଗୃହ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ ସ୍ୱଚ୍ଛ ଭାରତ ମିଶନ ଚଳାଯିବା ସହିତ ‘ଆବର୍ଜନା ମୁକ୍ତ ସହର’ ପାଇଁ ପ୍ରତିବଦ୍ଧତା ପ୍ରକାଶ କରାଯାଇଛି । ଏହି ଯୋଜନାରେ ଦେଶର ବିଭିନ୍ନ ସହରରେ ପରିଷ୍କାର ପରିଚ୍ଛନ୍ନତା ସହିତ ଉଭୟ କଠିନ ଓ ତରଳ ବର୍ଜ୍ୟ ପରିଚାଳନା କରାଯାଉଛି । ଯେଉଁସବୁ ଐତିହ୍ୟ ସ୍ଥଳୀ ଓ ଧାର୍ମିକ ସ୍ଥଳୀକୁ ଅଧିକରୁ ଅଧିକ ଲୋକେ ଆସୁଛନ୍ତି ସେଠାରେ ସଫା ସୁତୁରା ଉପରେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରାଯାଉଛି । (ତଥ୍ୟ)