ଭୁବନେଶ୍ୱର : ଜାତୀୟ ପଞ୍ଚାୟତିରାଜ ଦିବସ ପାଳନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ପୁରୀରେ ବ୍ୟାପକ ପ୍ରସ୍ତୁତି ଚାଲିଛି । ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ, ଉପ ମୁଖ୍ୟମନ୍ତ୍ରୀ, ପଞ୍ଚାୟତିରାଜ ମନ୍ତ୍ରୀଙ୍କ ସମେତ ମନ୍ତ୍ରିମଣ୍ଡଳର ବହୁ ସଦସ୍ୟ, ବିଧାୟକ, ସାଂସଦ ଏବଂ ରାଜ୍ୟ ଓ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନେ ଏହି ଉତ୍ସବରେ ସାମିଲ ହେବେ । ଏହି ଅବସରରେ ଅନୁଷ୍ଠିତ ସମାବେଶରେ ପ୍ରାୟ ୨୫ ହଜାର ଲୋକ ଯୋଗଦେବେ ବୋଲି ସୂଚନା ମିଳିଛି ।
୧୯୯୩ ମସିହା ଏପ୍ରିଲ ୨୦ ତାରିଖରେ ସମ୍ବିଧାନର ୭୩ ଓ ୭୪ତମ ସଂଶୋଧନକୁ ରାଷ୍ଟ୍ରପତି ସ୍ୱୀକୃତି ଦେଇଥିଲେ । ସେହିଦିନ ଠାରୁ ୭୩ତମ ସମ୍ବିଧାନ ସଂଶୋଧନ ଲାଗୁ ହୋଇଥିବା ବେଳେ ୭୪ତମ ସମ୍ବିଧାନ ସଂଶୋଧନ କିନ୍ତୁ ସେ ବର୍ଷ ଜୁନ୍ ପହିଲାରୁ ଲାଗୁ ହୋଇଥିଲା । ଏଠାରେ ଉଲ୍ଲେଖନୀୟ ଯେ ୭୩ତମ ସମ୍ବିଧାନ ସଂଶୋଧନରେ ପଞ୍ଚାୟତିରାଜ ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଅଣାଯାଇଥିବାବେଳେ ୭୪ତମ ସମ୍ବିଧାନ ସଂଶୋଧନରେ ନଗରପାଳିକାଗୁଡ଼ିକ ସଂପର୍କରେ ନୂଆ ବ୍ୟବସ୍ଥା ଖଞ୍ଜା ଯାଇଥିଲା । ଏହା ପରଠାରୁ ଏପ୍ରିଲ ୨୪ ତାରିଖକୁ ଜାତୀୟ ପଞ୍ଚାୟତିରାଜ ଦିବସ ଭାବେ ସାରା ଦେଶରେ ପାଳନ କରାଯାଉଛି ।
ତେବେ ନବେ ଦଶକରେ ବିଜୁ ପଟ୍ଟନାୟକଙ୍କ ମୁଖ୍ୟମନ୍ତ୍ରୀତ୍ୱ ସମୟରେ ଓଡ଼ିଶାରେ ପଞ୍ଚାୟତିରାଜ କ୍ଷେତ୍ରରେ ବ୍ୟାପକ ସଂସ୍କାର ଅଣାଯିବା ସହ ମହିଳାମାନଙ୍କ ପାଇଁ ଏକ ତୃତୀୟାଂଶ ଆସନ ସଂରକ୍ଷଣ ବ୍ୟବସ୍ଥା ରହିଥିଲା । ଏହାକୁ ଆଧାର କରି ଓଡ଼ିଶା ସରକାର ବିଜୁ ପଟ୍ଟନାୟକଙ୍କ ଜନ୍ମଦିନ ମାର୍ଚ୍ଚ ୫କୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରି ଆସୁଥିଲେ । ଚଳିତବର୍ଷ ଠାରୁ ଓଡ଼ିଶା ସରକାର ମାର୍ଚ୍ଚ ୫କୁ କେବଳ ବିଜୁ ପଟ୍ଟନାୟକଙ୍କ ଜନ୍ମଦିବସ ଭାବେ ପାଳନ କରି ଏପ୍ରିଲ ୨୪କୁ ପଞ୍ଚାୟତିରାଜ ଦିବସ ଭାବେ ପାଳିବା ପାଇଁ ନିଷ୍ପତ୍ତି ନେଇଥିଲେ । ଏହି ନିଷ୍ପତ୍ତିର କାର୍ଯ୍ୟକାରିତା ଲାଗି ପ୍ରଥମ ଅନୁପାଳନ ଶ୍ରୀକ୍ଷେତ୍ର ପୁରୀରୁ ଆରମ୍ଭ ହେବାକୁ ଯାଉଛି । ଇତିମଧ୍ୟରେ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ବାରମ୍ବାର ପୁରୀ ଗସ୍ତରେ ଆସି ଏହି କାର୍ଯ୍ୟକ୍ରମର ସଫଳତା ସଂକ୍ରାନ୍ତରେ ଅନୁଧ୍ୟାନ କରୁଛନ୍ତି ।
ମୋହନ ସରକାରଙ୍କ ଏହା ପ୍ରଥମ ପଞ୍ଚାୟତିରାଜ ଦିବସ କାର୍ଯ୍ୟକ୍ରମ ହେଉଥିବାରୁ ସେଥିରେ ଯେଭଳି କୌଣସି ତ୍ରୁଟି ନରୁହେ ତାହା ଜିଲ୍ଲାର ବରିଷ୍ଠ ଅଧିକାରୀମାନେ ତଦାରଖ କରୁଛନ୍ତି । ଏଥିପାଇଁ ସଭା ମଞ୍ଚ ନିର୍ମାଣ ଠାରୁ ଆରମ୍ଭ କରି ବିଭିନ୍ନ ବ୍ଳକରୁ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଆସୁଥିବା ଲୋକମାନଙ୍କର ଯାନବାହନ ପାର୍କିଂ ଓ ଟ୍ରାଫିକ୍ ନିୟନ୍ତ୍ରଣ ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି । ଶ୍ରୀକ୍ଷେତ୍ର ପୁରୀରେ ଆଇନ୍ଶୃଙ୍ଖଳା ରକ୍ଷା ଉପରେ ବି କର୍ତ୍ତୃପକ୍ଷ ଧ୍ୟାନ ରଖିଛନ୍ତି । ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁଆସୁଥିବା ପ୍ରାୟ ୨୫ ହଜାର ପ୍ରତିନିଧିଙ୍କ ପାଇଁ ଭୋଜନ ଓ ଜଳପାନ ବ୍ୟବସ୍ଥାରେ ଯେଭଳି ତ୍ରୁଟି ନରୁହେ ଏବଂ ଗ୍ରୀଷ୍ମ ପ୍ରବାହ ଚାଲିଥିବାରୁ ଯେପରି ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଏ ସେ ଦିଗରେ ମଧ୍ୟ ଦୃଷ୍ଟି ଦିଆଯାଉଥିବା ଜଣାପଡିଛି ।
କେବଳ ସେତିକି ନୁହେଁ, ଏହି କାର୍ଯ୍ୟକ୍ରମ ପାଇଁ ହେଲିପ୍ୟାଡ୍ ବ୍ୟବସ୍ଥା ସହିତ ଆସୁଥିବା ନେତା ଓ ଅଧିକାରୀମାନଙ୍କ ରହଣୀ ଲାଗି ସର୍କିଟ୍ ହାଉସ୍ ସମେତ ଅନ୍ୟାନ୍ୟ ସରକାରୀ ଡାକବଙ୍ଗଳାଗୁଡ଼ିକରେ ମଧ୍ୟ ଆୟୋଜନ ଚାଲିଛି । ଏହି କାର୍ଯ୍ୟକ୍ରମ ପାଇଁ ଜିଲ୍ଲାର କେଉଁ ଅଧିକାରୀ କେଉଁ ଦାୟିତ୍ୱରେ ରହିବେ ତାହା ମଧ୍ୟ ବଣ୍ଟନ କରାଯାଇଛି । ଏହାଛଡ଼ା ଏତେ ସଂଖ୍ୟକ ଲୋକ ଆସୁଥିବାରୁ ସେଦିନ ଶ୍ରୀମନ୍ଦିରରେ ଅଧିକ ଗହଳି ହେବା ସମ୍ଭାବନା ଥିବା ପରିପ୍ରେକ୍ଷୀରେ ଶାନ୍ତିଶୃଙ୍ଖଳା ବଜାୟ ସହିତ କିଭଳି ସମସ୍ତେ ସୁବିଧାରେ ଦର୍ଶନ କରିପାରିବେ ସେ ଦିଗରେ ମଧ୍ୟ ପଦକ୍ଷେପ ନିଆଯାଉଛି । (ତଥ୍ୟ)