ଭୁବନେଶ୍ୱର : ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣଝଡ ଗଭୀର ଅବପାତର ରୂପ ନେଇଥିବାବେଳେ ଗତ ୨୪ଘଣ୍ଟାରେ ପୁରୀରେ ସର୍ବାଧିକ ୩୪୧ ମିଲିମିଟର ବର୍ଷା ହୋଇଛି । ଏଥି ଯୋଗୁଁ ପୁରୀ ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ଏଠାରେ ଆହୁରି ବର୍ଷା ନେଇ ପାଣିପାଗ ବିଭାଗ ସତର୍କ କରାଇ ଦେଇଛି ।
ସେହିଭଳି ପାରାଦୀପରେ ୨୧୯ ମିଲିମିଟର ବର୍ଷା ରେକର୍ଡ ହୋଇଥିବାବେଳେ ଭୁବନେଶ୍ୱରରେ ୧୯୫ ମିଲିମିଟର ବର୍ଷା ହୋଇଛି । ଭୁବନେଶ୍ୱରରେ ରେକର୍ଡ ବର୍ଷା ଯୋଗୁଁ ବଡ ବଡ କୋଠାଘର ଦବିବା ସହିତ ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି । ସହରର ବିଭିନ୍ନ ସ୍ଥାନରେ ଘରେ ବର୍ଷାପାଣି ପଶିବା ଫଳରେ ଲୋକେ ରାତି ଉଜାଗର ହୋଇଛନ୍ତି ।
ଗୋପାଳପୁରରେ ୬୪ ମିଲିମିଟର ବର୍ଷା ହୋଇଥିବାବେଳେ ଚାନ୍ଦବାଲିରେ ୪୬ ମିଲିମିଟର ଓ ବାଲେଶ୍ୱରରେ ୨୪ ମିଲିମିଟର ବର୍ଷା ରେକର୍ଡ ହୋଇଛି ।
ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଜାରି ହୋଇଥିବା ସର୍ବଶେଷ ସୂଚନା ଅନୁଯାୟୀ ଓଡିଶା ଉପକୂଳକୁ ଲାଗିଥିବା ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆଜି ସକାଳ ସୁଦ୍ଧା ଗଭୀର ଅବତାପର ରୂପ ନେଇ କେନ୍ଦ୍ରୀଭୂତ ହୋଇଛି । ଏହା ପଶ୍ଚିମ-ଉତ୍ତରକୁ ଘଣ୍ଟାପ୍ରତି ୬ କିଲୋମିଟର ବେଗରେ ଗତି କରୁଛି ।
ଏହି ଅବପାତ ଚାନ୍ଦବାଲିର ଅତି ନିକଟରେ ଅତିକ୍ରମ କରିବା ସହିତ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା, ଉତ୍ତର ଛତିଶଗଡ ଏବଂ ମଧ୍ୟପ୍ରଦେଶ ଦେଇ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ସମ୍ଭାବନା ରହିଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହେବାର ସମ୍ଭାବନା ଅଧିକ ରହିଥିବା କୁହାଯାଇଛି ।