Home Agriculture ପୁରସ୍କୃତ ହେବେ କୃଷି କର୍ମଚାରୀ

ପୁରସ୍କୃତ ହେବେ କୃଷି କର୍ମଚାରୀ

ଭୁବନେଶ୍ୱର : କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ ଉଲ୍ଲେଖନୀୟ କାର୍ଯ୍ୟ ପ୍ରଦର୍ଶନ କରି ବିଭାଗ ପାଇଁ ସୁନାମ ଆଣିଥିବା କର୍ମଚାରୀଙ୍କୁ ପୁରସ୍କୃତ କରାଯିବା ପାଇଁ ନିଷ୍ପତ୍ତି ନିଆଯାଇଛି ।

ପ୍ରତି ମାସରେ ଉତ୍ତମ ପ୍ରଦର୍ଶନ ଆଧାରରେ କର୍ମଚାରୀମାନଙ୍କୁ ଚୟନପୂର୍ବକ ପ୍ରଶଂସାପତ୍ର ପ୍ରଦାନ ସହ ସାମାଜିକ ଗଣମାଧ୍ୟମ ଜରିଆରେ ସେମାନଙ୍କୁ ପ୍ରୋତ୍ସାହିତ କରାଯିବ ।

କର୍ମଚାରୀଙ୍କ ପ୍ରଦର୍ଶନର ଆଧାର କେବଳ ମାତ୍ର ବ୍ୟୟ ଧାର୍ଯ୍ୟ ଲକ୍ଷ୍ୟ ସମ୍ବନ୍ଧିତ ନହୋଇ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ଓ ପ୍ରକଳ୍ପର ଗୁଣାତ୍ମକ ରୂପାୟନ ଦିଗରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନକୁ ବିଚାରକୁ ନିଆଯିବ ବୋଲି କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ କହିଛନ୍ତି ।

ଏହି ପରିପ୍ରେକ୍ଷୀରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅନ୍ତର୍ଗତ ସମସ୍ତ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଓ ସରକାରୀ ଉଦ୍ୟୋଗର ପରିଚାଳନା ନିର୍ଦ୍ଦେଶକଙ୍କୁ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିବା କର୍ମଚାରୀଙ୍କ ନାମତାଲିକା ପ୍ରତି ମାସ ୧୦ ତାରିଖ ସୁଦ୍ଧା ପଠାଇବା ପାଇଁ କୁହାଯାଇଛି ।