ଭୁବନେଶ୍ୱର : ନିଶା କାରବାରକୁ ନେଇ ରାଜଧାନୀରେ ସ୍ପଷ୍ଟ ଦିବାଲୋକରେ ମୁଣ୍ଡ ଗଡିଥିବାବେଳେ ଏହାକୁ କଠୋର ଭାବେ ଦମନ କରାନଗଲେ ଆଗାମୀ ଦିନରେ ସହରର ଏକାଧିକ ସ୍ଥାନରେ ସମାନ ସ୍ଥିତି ଉପୁଜିବାର ଆଶଙ୍କା କରାଗଲାଣି । ବିଶେଷକରି ବ୍ରାଉନସୁଗାର, ଗଞ୍ଜେଇ ଆଦି କାରବାର ହେଉଥିବା ଅଞ୍ଚଳରେ ଯେଭଳି ବେପାରୀ-ବେପାରୀ ଓ ବେପାରୀ-ସାଧାରଣ ଲୋକଙ୍କ ମଧ୍ୟରେ ଛକାପଞ୍ଝା ଚାଲିଛି ତାହା ସହଦେବ ନାୟକ ହତ୍ୟାକାଣ୍ଡର ପୁନରାବୃତ୍ତି କରିବ ବୋଲି ଏବେ ସହରବାସୀ ଆଶଙ୍କା କରୁଛନ୍ତି ।
ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏବେ ବେଧଡକଭାବେ ନିଶା କାରବାର ଚାଲୁଛି । କେଦାରପଲ୍ଲୀ ବସ୍ତି ଭଳି ସହରର ବହୁ ସ୍ଥାନରେ ବ୍ରାଉନସୁଗାର ଓ ଗଞ୍ଜେଇର ଅବାଧ ବ୍ୟବସାୟ ହେଉଛି । ରାଜଭବନ ଆଖପାଖରେ ଥିବା ଛଅ ନମ୍ବର ଅଞ୍ଚଳ, ଲୋକସେବା ଭବନର ଅନତିଦୂରରେ ଥିବା ଦୁଇ ନମ୍ବର, ଆଇଆରସି ଭିଲେଜ, ପାଇକନଗର, ବରମୁଣ୍ଡା, ପଟିଆ, ଶୈଳଶ୍ରୀବିହାର ଆଦି ଅଞ୍ଚଳ ଏବେ ନିଶା କାରବାରର ହଟ୍ ସ୍ପଷ୍ଟ ପାଲଟିଛି ।
ରାତି ପାହିଲେ ଏହିସବୁ ଅଞ୍ଚଳରେ ନିଶାଡିମାନେ ମେଳି ହେଉଛନ୍ତି । ଯୁବବର୍ଗଙ୍କ ମଧ୍ୟରେ ଗଞ୍ଜେଇ ସିଗାରେଟର ଚାହିଦା ଅଧିକ ଥିବାରୁ ବ୍ୟବସାୟୀମାନେ ବସ୍ତି ଅଞ୍ଚଳରେ ଗଞ୍ଜେଇ ସିଗାରେଟ ପ୍ରସ୍ତୁତ କରି ତାହାକୁ ରାସ୍ତାକଡ ଦୋକାନରେ ବିକ୍ରି କରୁଛନ୍ତି । ଯୁବକମାନେ ସହଜରେ ଏହାକୁ ପାଇଯାଉଥିବାରୁ ନିଶାଗ୍ରସ୍ତ ହୋଇ ବୁଲୁଛନ୍ତି ।
କନ୍ଧମାଳରୁ ନୟାଗଡ ବାଟ ଦେଇ ରାଜଧାନୀକୁ ଗଞ୍ଜେଇ ଚାଲାଣ ହେଉଛି । ବ୍ୟବସାୟୀମାନେ ମାମଲାରୁ ଖସିବାପାଇଁ ଏହାକୁ ଛୋଟ ଛୋଟ ପୁଡିଆ କରି ବିଭିନ୍ନ ଲୋକଙ୍କ ଘରେ ରଖୁଛନ୍ତି । ଯେତେବେଳେ ଧରାପଡୁଛନ୍ତି ସେମାନଙ୍କ ନିକଟରୁ କିଲୋ ଦୁଇକିଲୋ ଗଞ୍ଜେଇ ବାହାରୁଥିବାରୁ ସହଜରେ ଜାମିନ ପାଇଯାଉଛନ୍ତି । ସେହିଭଳି କେତେକ ବସ୍ତି ଅଞ୍ଚଳରେ ଏବେ ଗଞ୍ଜେଇ ସିଗାରେଟ ପ୍ରସ୍ତୁତି କୁଟୀରଶିଳ୍ପରେ ପରିଣତ ହେଲାଣି ।
ରାଜଧାନୀର ବିଭିନ୍ନ ଅଞ୍ଚଳରୁ ନିଶା ବେପାରୀ ବିଶେଷକରି ଗଞ୍ଜେଇ ବେପାରୀମାନଙ୍କୁ ପୁଲିସ୍ ଗିରଫ କରୁଥିଲେ କୋହଳ ଦଫା ଯୋଗୁଁ ସେମାନେ ସହଜରେ ଜାମିନ ପାଇ ଯାଉଛନ୍ତି । ଏମାନଙ୍କ ଉପରେ ପୁଲିସ୍ ଯେଭଳି ନଜର ରଖିବାକଥା ତାହା କରୁନାହିଁ । ପୂର୍ବରୁ ନିଶା ବେପାରୀଙ୍କୁ ସାବାଡ କରିବାପାଇଁ ପୁଲିସ୍ ଯେଭଳି ସେମାନଙ୍କ ଘରକୁ ମାଟିରେ ମିଶାଇବା ସହିତ କିଛି ନିଶା ବେପାରୀଙ୍କୁ ତଡିପାର କରୁଥିଲା ଏବେ ଆଉ ତାହା ବି ଦେଖିବାକୁ ମିଳୁନାହିଁ ।
ସହରରେ ନିଶା ବ୍ୟବସାୟୀମାନେ ଦିନକୁ ଦିନ ହିଂସ୍ର ହେଉଥିବା ଓ ସେମାନଙ୍କ ସହିତ ଦୁର୍ଦ୍ଦାନ୍ତ ଅପରାଧିମାନେ ଜଡିତ ଥିବାରୁ ସାଧାରଣ ଲୋକେ ସେମାନଙ୍କ ବିରୁଦ୍ଧରେ ପୁଲିସ୍କୁ ଅଭିଯୋଗ କରିବାକୁ ସାହସ କରିପାରୁ ନାହାନ୍ତି । ଅନ୍ୟ ପକ୍ଷରେ ରାଜଧାନୀରେ ଥାନା ପିସିଆର ଠାରୁ ଆରମ୍ଭକରି ସ୍ୱତନ୍ତ୍ର ସ୍କ୍ୱାଡ୍ ଓ ଗୁଇନ୍ଦା ପୁଲିସ୍ ପଇଁତରା ମାରୁଥିବାବେଳେ ନିଶା ବେପାରୀମାନେ ସେମାନଙ୍କ କାରବାର ଜାରି ରଖିଥିବାରୁ ଲୋକଙ୍କ ସନ୍ଦେହ ପୁଲିସ୍ ଉପରେ ହେବା ସହିତ ସେମାନେ ସହଯୋଗ ପାଇଁ ପଛଘୁଞ୍ଚା ଦେଉଛନ୍ତି । ବିଶେଷକରି ପୁଲିସ୍ର ଖବରଦାତା ଥିବା ଓ ନିଶା ବିରୁଦ୍ଧରେ ପୁଲିସ୍କୁ ସୂଚନା ଦେଉଥିବା ସହଦେବକୁ ନିଶା ବେପାରୀମାନେ ବିଚ୍ ରାସ୍ତାରେ ହାଣି ହତ୍ୟା କରିବାପରେ ସାଧାରଣ ଲୋକେ ଏବେ ନିଶା କାରବାରକୁ ରୋକିବାପାଇଁ ପୁଲିସ୍କୁ କେତେଦୂର ସହାୟତା କରିବେ ତାହା ବଡ ପ୍ରଶ୍ନବାଚୀ ହେଲାଣି । (ତଥ୍ୟ)