ଭୁବନେଶ୍ୱର : ସରକାରଙ୍କର ସମସ୍ତ ପ୍ରକାର ପ୍ରୋତ୍ସାହନ ଓ ପ୍ରଚେଷ୍ଟା ସତ୍ୱେ ରାଜ୍ୟରେ ବିଦ୍ୟୁତ୍ ପରିବହନ ଓ ବଣ୍ଟନ ଜନିତ କ୍ଷତି ବଢି ବଢି ଚାଲିଛି । ଟାଟା ପାୱାରର ଟିପିସିଓଡିଏଲ୍ ଇଲାକାରେ ଏହି କ୍ଷତି ସର୍ବାଧିକ ରହିଛି ।
ବିଦ୍ୟୁତ୍ ପରିବହନ ଓ ବଣ୍ଟନ (ଟିଆଣ୍ଡଡି) କ୍ଷତି ହ୍ରାସ ପାଇଁ ରାଜ୍ୟ ସରକାର ବିଶ୍ୱବ୍ୟାଙ୍କ୍ ଠାରୁ ଋଣ ଆଣି ବଣ୍ଟନକାରୀ କମ୍ପାନୀମାନଙ୍କୁ ଯୋଗାଇବା ସହିତ କାପେକ୍ସ ଭଳି ଯୋଜନା କାର୍ଯ୍ୟକାରୀ କରୁଛନ୍ତି । ତେବେ ଏହି କ୍ଷତି କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ଫଳରେ ରାଜ୍ୟରେ ଯେତେ ବିଜୁଳି ଉତ୍ପାଦନ ହେଉଛି ତାହା ଗ୍ରାହକଙ୍କ ନିକଟରେ ପହଞ୍ଚିଲା ବେଳକୁ ସିଂହଭାଗ ନଷ୍ଟ ହେଉଛି । ପରୋକ୍ଷରେ ଏହାର ବୋଝ ବି ଗ୍ରାହକମାନଙ୍କୁ ଉଠାଇବାକୁ ପଡୁଛି ।
ଟିପିସିଓଡିଏଲ୍ ଇଲାକାରେ ପରିବହନ ଓ ବଣ୍ଟନ ଜନିତ କ୍ଷତି ୨୦୨୦-୨୧ ବର୍ଷରେ ୨୫.୯୦ ପ୍ରତିଶତ ରହିଛି । ୨୦୧୯-୨୦ ରେ ଏଡା ୨୩.୧୫ ପ୍ରତିଶତ ଥିଲା । ତେଣୁ ବର୍ଷକ ମଧ୍ୟରେ ଏହା କମିବା ପରିବର୍ତ୍ତେ ବଢିବାରେ ଲାଗିଛି । ସେହିଭଳି ଟିପିଏନ୍ଓଡିଏଲ୍ ଅଞ୍ଚଳରେ ୧୩.୧୯ ପ୍ରତିଶତରୁ ସିଧା ୨୦.୬୩ପ୍ରତିଶତକୁ ବଢିଛି । ଟିପିଡବ୍ଲ୍ୟୁଡିଏଲ୍ ଇଲାକାରେ ଏହା ୧୮.୭୩ ପ୍ରତିଶତରୁ ୨୫.୦୭ ପ୍ରତିଶତକୁ ବୃଦ୍ଧି ପାଇଛି । ତେବେ ଆଶ୍ୱାସନାର ବିଷୟ ହେଉଛି ଟିପିଏସ୍ଓଡିଏଲ୍ ଇଲାକାରେ ଏହା ବର୍ଷକ ମଧ୍ୟରେ ମାତ୍ର ଏକ ପ୍ରତିଶତ ହ୍ରାସ ପାଇଛି । ୨୦୧୯-୨୦ ରେ ଏହି ଇଲାକାରେ କ୍ଷତି ପରିମାଣ ୨୪ ପତିଶତ ଥିବାବେଳେ ୨୦୨୦-୨୧ ରେ ତାହା ୨୩ ପ୍ରତିଶତ ହୋଇଛି ।
ନବେ ଦଶକରେ ରାଜ୍ୟ ସରକାର ବିଶ୍ୱବ୍ୟାଙ୍କ୍ରୁ ପ୍ରାୟ ୮୦୦ କୋଟି ଟଙ୍କାର ଋଣ ଆଣି ବଣ୍ଟନକାରୀ କମ୍ପାନୀଗୁଡିକୁ ସର୍ତ୍ତମୂଳକ ଭାବେ ଦେଇଥିଲେ । ୪ଟି ବଣ୍ଟନକାରୀ କମ୍ପାନୀମଧ୍ୟରୁ ଯିଏ ଭିତ୍ତିଭୂମିରେ ଉନ୍ନତି ଆଣି ଯେତେ ପରିବହନ ଓ ବଣ୍ଟନ ଜନିତ କ୍ଷତି କମାଇବ ସେହି କମ୍ପାନୀକୁ ସେତିକି କମ୍ ସୁଧ ଦେବାକୁ ପଡିବ । ସେତେବେଳ ରାଜ୍ୟ ସରକାରଙ୍କ ନିୟନ୍ତ୍ରଣରେ ଥିବା ସେସୁ ସମେତ ରିଲାୟନ୍ସ ନିୟନ୍ତ୍ରଣରେ ଥିବା ଅନ୍ୟ ତିନିଟି କମ୍ପାନୀ ଏହି ଟଙ୍କାକୁ ନେଇ ଏକ ପ୍ରକାର ଚଳୁ କରିଦେଲେ । ଭିତ୍ତିଭୂମି ବିକାଶ ନକରିବାରୁ କ୍ଷତି କମାଇବାପାଇଁ ଯେଉଁ ଲକ୍ଷ୍ୟଥିଲା ତାହା ପୂରଣ ହୋଇପାରିଲା ନାହିଁ । ଏହି ଋଣର ସୁଧ ମୂଳ ମିଶି ୨ହଜାର କୋଟି ଟଙ୍କାକୁ ଟପିଗଲା ।
ଏବେ ଟାଟା ପାୱାର ହାତକୁ ବିଜୁଳି ବଣ୍ଟନ ଯିବାପରେ ଭିତ୍ତିଭୂମିରେ ଆଖିଦୃଶିଆ ଉନ୍ନତି ପରିବର୍ତ୍ତେ ଲୋକଙ୍କ ବିଦ୍ୟୁତ୍ ମିଟର ବଦଳାଇବା ଉପରେ ଗୁରୁତ୍ୱ ଦିଆଯାଉଛି । ଏପରିକି ଯେଉଁମାନଙ୍କର କାର୍ଯ୍ୟକ୍ଷମ ମିଟର ରହଛି ତାହା ସ୍ଥାନରେ ନୂଆ ମିଟର ଲାଗୁଛି । ଯଦିଓ ବଣ୍ଟନକାରୀ କମ୍ପାନୀମାନେ ସଫେଇ ଦେଉଛନ୍ତି ଯେ ପରିବହନ ଓ ବଣ୍ଟନ ଜନିତ କ୍ଷତିର ବୋଝ ଗ୍ରାହକଙ୍କ ଉପରେ ପଡୁନାହିଁ, କିନ୍ତୁ ପରୋକ୍ଷ ଭାବେ ଏହାର ବୋଝ ରାଜ୍ୟବାସୀ ହିଁ ଉଠାଉଛନ୍ତି ।
ବଳକା ବିଦ୍ୟୁତ୍ ରାଜ୍ୟ ଓଡିଶାର ଗାଁ ଗହଳରେ ଘନ ଘନ ବିଦ୍ୟୁତ୍ କାଟ୍ ଏହାର ଅନ୍ୟତମ କାରଣ ବୋଲି ମତପ୍ରକାଶ ପାଉଛି । ବର୍ତ୍ତମାନ ଟାଟାପାୱାର କର୍ତ୍ତୃପକ୍ଷ ସହରାଞ୍ଚଳରେ ଗୁରୁତ୍ୱ ଦେଉଥିବାବେଳେ ଗାଁ ଗହଳରେ ବିଜୁଳି ବ୍ୟବସ୍ଥା ଅସ୍ଥାୟୀ ଓ ଠିକା କର୍ମଚାରୀଙ୍କ ହାତରେ ଏକ ପ୍ରକାର ଛାଡି ଦେଇଛନ୍ତି । (ତଥ୍ୟ)