ଭୁବନେଶ୍ୱର : ଭୁବନେଶ୍ୱରରୁ ବ୍ୟାଙ୍କକକୁ ବିମାନସେବା ପୁଣି ଥରେ ଆରମ୍ଭ ହେବାକୁ ଯାଉଛି । ପ୍ରାୟ ୩ ମାସ ପରେ ପୁଣି ଭୁବନେଶ୍ୱରରୁ ବ୍ୟାଂକକକୁ ବିମାନ ଉଡ଼ିବ। ଏହି ବିମାନ ସପ୍ତାହକୁ ଦୁଇ ଥର ଚାଲିବ ବୋଲି ଭୁବନେଶ୍ୱର ଆନ୍ତଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ କହିଛନ୍ତି ।
ଏହା ସହ ସେ କହିଛନ୍ତି ଯେ, କୌଣସି କାରଣ ପାଇଁ ବିମାନ ସେବା ବନ୍ଦଥିଲା। ଆଜିଠାରୁ ବିମାନ ନମ୍ବର ୧୦୬୫ ପୁଣିଥରେ ଆରମ୍ଭ ହୋଇଛି । ଆଜି ରାତି ୧୧.୦୫ରେ ବିମାନଟି ଭୁବନେଶ୍ୱରରୁ ବାହାରିଛି। ଆଉ ସେଠାରୁ ଶନିବାର ସକାଳ ୫.୩୦ରେ ବାହାରିବ। ଆସନ୍ତା ୨୫ ତାରିଖରୁ ରାତି ନୁହଁ ଏହି ବିମାନଟି ଦିନରେ ଚାଲିବ। ଶୀତ ଋତୁ ଆସିଲା ପରେ ଦିନ ୧୧ଟାରେ ବିମାନଟି ଭୁବନେଶ୍ୱରରେ ପହଁଞ୍ଚିବ। ଆଉ ଦିନ ଗୋଟାଏରୁ ଭୁବନେଶ୍ୱରରୁ ବାହାରିବ ।
ଭୁବନେଶ୍ୱର ବିମାନ ବନ୍ଦରରୁ ଇଣ୍ଟରନ୍ୟାସନାଲ ଫ୍ଲାଇଟ ବନ୍ଦ ହେବା ପରେ ଏହା ଆନ୍ତଜାତୀୟ ବିମାନ ବନ୍ଦର ପରି ଲାଗୁ ନଥିଲା। ବ୍ୟାଂକକ ବିମାନ ସେବା ଚାଲୁ ହେବା ପରେ ଓଡିଶା ତଥା ଭୁବନେଶ୍ୱର ବିମାନ ବନ୍ଦର ପାଇଁ ଭଲ ଖବର । ବ୍ୟାଂକକ ପାଇଁ ଭୁବନେଶ୍ବରରୁ ଭଲ ଯାତ୍ରୀ ହେଉଛନ୍ତି । ଆଗାମୀ ଦିନରେ ଦୁବାଇ ବିମାନ ସେବା ପାଇଁ ଚେଷ୍ଟା କରାଯାଉଛି । ସେଠାକାର କଣ୍ଡିସନ ଧୀରେ ସୁଧାର ଆସୁଛି ବୋଲି ଭୁବନେଶ୍ୱର ଆନ୍ତଜାତୀୟ ବିମାନ ବନ୍ଦରର ନିର୍ଦ୍ଦେଶକ କହିଛନ୍ତି ।
ଅନ୍ୟପକ୍ଷରେ ବର୍ତ୍ତମାନ ଭୁବନେଶ୍ୱରରୁ ଦୈନିକ ପ୍ରାୟ ୯୦ରୁ ୧୦୦ଟି ବିମାନ ଚଳାଚଳ କରୁଛି । ପ୍ରାୟ ୧୨ରୁ ୧୫ ହଜାର ଯାତ୍ରୀ ପ୍ରତ୍ୟେକ ଦିନ ଯାତାୟାତ କରୁଛନ୍ତି । ଏଭଳି ସ୍ଥିତିରେ ବ୍ୟାଙ୍କକ୍ ରୁଟ୍ ପୁଣି ଖୋଲିବା ଓଡ଼ିଶାର ଆନ୍ତର୍ଜାତିକ ବିମାନ ସଂଯୋଗ ବଢ଼ାଇବା ଦିଗରେ ଏକ ନୂଆ ଆଶା ସୃଷ୍ଟି କରିଛି ।

