ଭୁବନେଶ୍ୱର : ଆଜି ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପରିସରରେ ଆୟୋଜିତ ୬୭ତମ ବନ୍ୟପ୍ରାଣୀ ସପ୍ତାହ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଲେ ଯେ ୨୦୧୪ ମସିହାର ବନ୍ଦ ହୋଇଯାଇଥିବା ଟୟ ଟ୍ରେନ୍ ସୁବିଧା ଆଜି ୪ କୋଟି ୯୮ ଲକ୍ଷ ଟଙ୍କା ବ୍ୟୟରେ ପୁଣି ନୂତନ ଭାବେ ଆରମ୍ଭ ହୋଇଛି । ୧୩ କୋଟି ଟଙ୍କା ବ୍ୟୟରେ ଶିଳାନ୍ୟାସ ହୋଇଥିବା ରୋପ୍-େୱ କାର୍ଯ୍ୟ ୧୮ ମାସ ମଧ୍ୟରେ ଶେଷ ହେବ ।
ମନ୍ତ୍ରୀ ଶ୍ରୀ ଆରୁଖ କହିଛନ୍ତି ଯେ ଓଡ଼ିଶା ହେଉଛି ଏକମାତ୍ର ରାଜ୍ୟ ଯେଉଁଠି ପ୍ରାକୃତିକ ପରିବେଶରେ ତିନୋଟି ପ୍ରଜାତିର କୁମ୍ଭୀର, କଳା ମହାବଳ ବାଘ, ଲକ୍ଷ ଲକ୍ଷ ସଂଖ୍ୟାରେ ବିଦେଶାଗତ ପକ୍ଷୀ, ବିବିଧତାରେ ପରିପୂର୍ଣ୍ଣ ହେନ୍ତାଳ ବନ ଏବଂ ଅଣ୍ଡାଦେବା ପାଇଁ ସୁଦୂର ପ୍ରଶାନ୍ତ ମହାସାଗରରୁ ଆସୁଥିବା ଅଲିଭ୍ ରିଡ୍ଲେ କଇଁଛଙ୍କ ସମାଗମ ଦେଖିବାକୁ ମିଳିଥାଏ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ଅମୂଲ୍ୟ ବନ୍ୟପ୍ରାଣୀଙ୍କ ସୁରକ୍ଷା, ସଂରକ୍ଷଣ ଓ ଅଭିବୃଦ୍ଧି ପାଇଁ ସର୍ବଦା ଗୁରୁତ୍ୱ ଦେଇ ଆସୁଛନ୍ତି । ବିଭିନ୍ନ ବନ୍ୟଜନ୍ତୁ ଓ ଲୁପ୍ତପ୍ରାୟ ପ୍ରଜାତିର ସଂରକ୍ଷଣ ନିମନ୍ତେ ଆମ ରାଜ୍ୟରେ ୧୯ଟି ଅଭୟାରଣ୍ୟ, ୨ଟି ବ୍ୟାଘ୍ର ପ୍ରକଳ୍ପ, ୩ଟି ହସ୍ତୀ ପ୍ରକଳ୍ପ ଓ ଗୋଟିଏ ଲେଖାଏଁ ଜାତୀୟ ଉଦ୍ୟାନ ଓ ଜୈବମଣ୍ଡଳ ସ୍ଥାପନ କରାଯାଇଛି ।
ନନ୍ଦନକାନନରେ ଲୁପ୍ତପ୍ରାୟ ୪୯ ପ୍ରଜାତି ସମେତ ୧୫୬ ପ୍ରଜାତି ବନ୍ୟପ୍ରାଣୀଙ୍କ ସଂରକ୍ଷଣ ଓ ଅଭିବୃଦ୍ଧି ନିମନ୍ତେ ସକି୍ରୟ ପଦକ୍ଷେପ ନିଆଯାଇଛି । ରାଜ୍ୟ ସରକାରଙ୍କ ନିଷ୍ଠାପର ଉଦ୍ୟମ ଓ ବିିଭିନ୍ନ ସଂରକ୍ଷଣ କାର୍ଯ୍ୟକ୍ରମ ଦ୍ୱାରା ରାଜ୍ୟରେ ବଉଳା ଓ ମଗର ପ୍ରଜାତିର କୁମ୍ଭୀର, ଇରାୱାଡ଼ି ଓ ବଟଲ୍ ନୋଜ୍ ଡଲ୍ଫିନ୍, କୃଷ୍ଣସାର ମୃଗ, ଚିତାବାଘ ଓ ବିଦେଶାଗତ ପକ୍ଷୀଙ୍କ ସଂଖ୍ୟା ଉତ୍ସାହଜନକ ଭାବେ ବୃଦ୍ଧି ପାଇଛି ।
ଜନମାନସରେ ବଣ ଓ ବନ୍ୟପ୍ରାଣୀଙ୍କ ପ୍ରତି ସଦିଚ୍ଛା ଜାଗ୍ରତ କରିବା ଓ ଜଙ୍ଗଲ ସନ୍ନିକଟ ଗ୍ରାମବାସୀଙ୍କର ଜଙ୍ଗଲ ଉପରେ ନିର୍ଭରଶୀଳତାକୁ ହ୍ରାସ କରିବା ନିମନ୍ତେ ରାଜ୍ୟର ୧୮ଟି ଜିଲ୍ଲାର ୪୭ଟି ସ୍ଥାନରେ ପରିବେଶ ପର୍ଯ୍ୟଟନ ପ୍ରକଳ୍ପ କାର୍ଯ୍ୟକାରୀ କରାଯାଇ ସ୍ଥାନୀୟ ଅଧିବାସୀଙ୍କ ନିମନ୍ତେ ଜୀବିକା ସୃଷ୍ଟି କରାଯାଇଛି । ବନ୍ୟଜନ୍ତୁମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ବ୍ୟକ୍ତିଙ୍କୁ କ୍ଷତିପୂରଣ ଦେବା ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ଉଦ୍ଦେଶ୍ୟରେ ‘ଅନୁକମ୍ପା’ ନାମକ ଏକ ପୋର୍ଟାଲ ବିକଶିତ କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଆରୁଖ ପ୍ରକାଶ କରିଛନ୍ତି ।
ଉତ୍ସବରେ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର (ଉତ୍ତର) ବିଧାୟକ ସୁଶାନ୍ତ କୁମାର ରାଉତ ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ ନନ୍ଦନକାନନ ଆଜି ସମଗ୍ର ବିଶ୍ୱରେ ନାମ କମାଇଛି । ବିଧାୟକ ସୁରେଶ କୁମାର ରାଉତରାୟ ଧଳାବାଘ ଯୋଗୁଁ ଆଜି ନନ୍ଦନକାନନ ସମଗ୍ର ବିଶ୍ୱରେ ପ୍ରଥମ ସ୍ଥାନରେ ଅଛି ବୋଲି ପ୍ରକାଶ କରିଥିଲେ ।
ଜଙ୍ଗଲ ଓ ପରିବେଶ ବିଭାଗର ସ୍ୱତନ୍ତ୍ର ସଚିବ ଲିଙ୍ଗରାଜ ଓତା କହିଲେ ଯେ ବନ୍ୟପ୍ରାଣୀ ସପ୍ତାହ ପାଳନ ହେଉଛି ବନ୍ୟପ୍ରାଣୀଙ୍କ ପ୍ରତି ସ୍ନେହ, ପ୍ରେମ ଓ ଭକ୍ତି ଜାଗ୍ରତ କରିବାର ଅବସର । ବିଭିନ୍ନ ବନ୍ୟପ୍ରାଣୀ ଯୋଜନା ମାଧ୍ୟମରେ ମାନବ-ବନ୍ୟପ୍ରାଣୀ ସଂଘର୍ଷ ଏବଂ ବନ୍ୟପ୍ରାଣୀଜନିତ ବିଭିନ୍ନ ଦୁର୍ଘଟଣାରେ ମାନବ ଏବଂ ବନ୍ୟପ୍ରାଣୀଙ୍କ ମୃତୁ୍ୟ ହାର କମିଛି ।
ଏହା ଆଗକୁ କିଭଳି ଶୂନ୍ୟ ମୃତାହତରେ ପରିଣତ ହେବ ସେଥିପ୍ରତି ଆମେ ସମସ୍ତେ ବ୍ରତୀ ହେବା ଉଚିତ । ପ୍ରଧାନ ମୁଖ୍ୟ ବନ ସଂରକ୍ଷକ ଶିଶିର କୁମାର ରଥ କହିଲେ ଯେ ପ୍ରକୃତି ଉପାସନା କେବଳ ଆମ ରାଜ୍ୟ ପାଇଁ ସଂସ୍କୃତି ନୁହେଁ ଏହା ଆମର ପରମ୍ପରା ଓ ଐତିହ୍ୟ ମଧ୍ୟ ।