ଭୁବନେଶ୍ୱର : ଜମି ଆବଣ୍ଟନ ସହ ୧୩ ଟି ନୂଆ ପୁଞ୍ଜିନିବେଶ ପ୍ରକଳ୍ପର କାର୍ଯ୍ୟ ଆଜି ତ୍ୱରାନ୍ୱିତ ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ଜମି ଆବଣ୍ଟନ କମିଟି ବୈଠକରେ ଏହି ପ୍ରକଳ୍ପ ଗୁଡିକ ପାଇଁ ଜମି ଆବଣ୍ଟନ କରାଯାଇଛି । ଲୋକସେବା ଭବନଠାରେ ଅନୁଷ୍ଠିତ ଏହି ବୈଠକରେ ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ହେମନ୍ତ କୁମାର ଶର୍ମା ପ୍ରସ୍ତାବିତ ପ୍ରକଳ୍ପଗୁଡିକର ପ୍ରୟୋଜନିୟତା ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଦକ୍ଷତା ବିଷୟରେ ସବିଶେଷ ସୂଚନା ଦେଇଥିଲେ ।
ଜମି ଆବଣ୍ଟନ ପ୍ରସ୍ତାବକୁ ଅନୁମୋଦନ ଦେଇ ପ୍ରକଳ୍ପଗୁଡିକର ତ୍ୱରିତ କ୍ଷେତ୍ରାନ୍ୱୟନ ଓ ନିର୍ଦ୍ଧାରିତ ସମୟ ମଧ୍ୟରେ ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ନିଶ୍ଚିତ କରାଇବା ପାଇଁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ନୂଆ ପ୍ରତିଷ୍ଠା ହେଉଥିବା ଏହି ଶିଳ୍ପ ସଂସ୍ଥାମାନଙ୍କରେ ଅଧିକରୁ ଅଧିକ ଓଡ଼ିଆ ଯୁବକ ଯୁବତୀମାନଙ୍କର ନିଯୁକ୍ତି ଉପରେ ମଧ୍ୟ ଶ୍ରୀ ମହାପାତ୍ର ଗୁରୁତ୍ୱ ଆରୋପ କରିଥିଲେ ।
ଜମି ପାଇଥିବା ଏହି ସଂସ୍ଥାଗୁଡିକ ମୁଖ୍ୟତଃ ପୋଷାକ ପ୍ରସ୍ତୁତି, ଲଜିଷ୍ଟିକ୍ ପାର୍କ, ସଫଟ୍ଓୟାର ପ୍ରସ୍ତୁତି ଓ ଡ଼ିଜିଟାଲ୍ ମାର୍କେଟିଂ, ଖେଳ ସାମଗ୍ରୀ ଉତ୍ପାଦନ, କାର୍ବନ ବ୍ଲକ୍ ଉତ୍ପାଦନ, ପି.ଭି.ସି. ଏବଂ ଏଚ୍.ଡ଼ି.ପି.ଇ ପାଇପ୍ ନିର୍ମାଣ, ଘରୋଇ ସଂରଜାମ ପ୍ରସ୍ତୁତି, ଏବଂ ଡାଟା ସେଣ୍ଟର ଆଦି ସେକ୍ଟର ଅନ୍ତର୍ଭୁକ୍ତ । ଏହି ସଂସ୍ଥାଗୁଡିକ ମାଧ୍ୟମରେ ପ୍ରାୟ ୭୬୬ କୋଟି ଟଙ୍କା ବିନିଯୋଗ ହେବ ଏବଂ ୮୬୦୦ ପ୍ରତ୍ୟକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଏହାଛଡା ଏହି ଶିଳ୍ପାନୁଷ୍ଠାନ ଗୁଡିକ ପାଇଁ କଂଚାମାଲ ଯୋଗାଣ, ପଦାର୍ଥ ପରିବହନ, ବ୍ୟବସାୟ କେନ୍ଦ୍ର, ଗମନାଗମନ ଆଦି ମାଧ୍ୟମରେ ପ୍ରାୟ ୧୫ ହଜାରରୁ ଉର୍ଦ୍ଧ୍ୱଲୋକ ପରୋକ୍ଷ ରୋଜଗାରର ସୁଯୋଗ ପାଇବେ ବୋଲି ଶିଳ୍ପ ବିଶେଷଜ୍ଞ ମାନଙ୍କଠାରୁ ଜଣାପଡିଛି ।
ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ପର୍ଯ୍ୟଟନ ବିଭାଗ ପ୍ରମୁଖ ଶାସନ ସଚିବ ସୁରେନ୍ଦ୍ର କୁମାର, ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଶାସନ ସଚିବ ମନୋଜ କୁମାର ମିଶ୍ର, ଇଡ୍କୋର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭୁପେନ୍ଦ୍ର ପୁନିଆଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।