Home Education ପି.କେ. ନନ୍ଦ ସୋଆର ନୂତନ କୁଳପତି

ପି.କେ. ନନ୍ଦ ସୋଆର ନୂତନ କୁଳପତି

ଭୁବନେଶ୍ୱର : ବିଶିଷ୍ଟ ଗବେଷକ ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ଶୁକ୍ରବାର ଦାୟିତ୍ୱ ଗ୍ରହଣ କରିଛନ୍ତି ।

ସୋଆର ପୂର୍ବତନ ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭ୍‌ଲପ୍‌ମେଂଟ) ଭାବେ କାର୍ଯ୍ୟ ତୁଲାଇଥିବା ପ୍ରଫେସର ନନ୍ଦ କୁଳପତି ଦାୟିତ୍ୱ ଗ୍ରହଣ କରିବା ପୂର୍ବରୁ ବିଶ୍ୱବିଦ୍ୟାଳୟର ଉପ- କୁଳପତି ଭାବେ କାର୍ଯ୍ୟରତ ଥିଲେ ।

ପ୍ରଫେସର ନନ୍ଦ ୧୯୮୪ ମସିହାରେ ବୁର୍ଲା ସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ପୂର୍ବତନ ୟୁନିଭର୍ସିଟି କଲେଜ ଅଫ୍ ଇଞ୍ଜିନିୟରିଂ)ରୁ ଇଲେକ୍ଟ୍ରିକାଲ ଇଞ୍ଜିନିୟରିଂରେ ପ୍ରଥମ ଶ୍ରେଣୀ (ଅନର୍ସ)ରେ ସ୍ନାତକ ହାସଲ କରିଥିବା ବେଳେ ୧୯୮୯ରେ ରାଉରକେଲା ସ୍ଥିତ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଏନ୍‌ଆଇଟି)ରୁ ଇଲେକ୍ଟ୍ରୋନିକ୍‌ସ ସିଷ୍ଟମ୍‌ସ ଆଣ୍ଡ କମ୍ୟୁନିକେସନ୍‌ରେ ସ୍ନାତକୋତର ଡିଗ୍ରୀ ହାସଲ କରିଥିଲେ । ସେ ୧୯୯୬ରେ ଆଇଆଇଟି ବମ୍ବେରୁ କମ୍ପ୍ୟୁଟର ଭିଜନ୍‌ରେ ପିଏଚ୍‌ଡି କରିଥିଲେ ।

୧୯୮୬ରେ ସେ ଏନ୍‌ଆଇଟି ରାଉରକେଲାରେ ଫ୍ୟାକଲ୍ଟି ଭାବେ ଯୋଗ ଦେଇଥିବା ବେଳେ ପରବର୍ତୀ କାଳରେ ସେଠାରେ ତାଙ୍କ ବିଭାଗରେ ପ୍ରଫେସର ଏବଂ ମୁଖ୍ୟ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୦୯ରେ ସେ ସୋଆ ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ରେ ଯୋଗ ଦେଇଥିଲେ । ଏନ୍‌ଆଇଟି ରାଉରକେଲାରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସେ ବିଭିନ୍ନ ଲାବୋରାଟୋରୀ ଆରମ୍ଭ କରିବା ସହ ସେଂଟର ଅଫ୍ ଏକ୍ସଲେନ୍ସ ଅନ୍ ଇଣ୍ଡଷ୍ଟ୍ରିଆଲ୍ ଇଲେକ୍ଟ୍ରୋନିକ୍ସ ଆଣ୍ଡ ରୋବୋଟିକ୍ସର ପ୍ରିନ୍ସିପାଲ୍ ଇନଭେଷ୍ଟିଗେଟର ଭାବେ କାର୍ଯ୍ୟ ତୁଲାଇଥିଲେ ।

ପ୍ରଫେସର ନନ୍ଦ ଇମେଜ୍ ପ୍ରୋସେସିଂ ଆଣ୍ଡ ଆନାଲିସିସ୍‌, ବାୟୋମେଡିକାଲ୍ ଇମେଜ ଆନାଲିସିସ୍‌, ଭିଡିଓ ଟ୍ରାକିଂ, କମ୍ପ୍ୟୁଟର ଭିଜନ୍‌, ସଫ୍ଟ କମ୍ପ୍ୟୁଟିଂ ଆଣ୍ଡ ଇଟ୍ସ ଆପ୍ଲିକେସନ୍ ଓ ଆଡ-ହକ୍ ୱେୟାରଲେସ୍ ସେନ୍ସର ନେଟୱର୍କ୍ସ କ୍ଷେତ୍ରରେ ଅନେକ ଗବେଷଣା କରିଛନ୍ତି । ବର୍ତମାନ ସେ ସୋଆର ଇମେଜ୍ ଆଣ୍ଡ ଭିଡିଓ ଆନାଲିସିସ୍ ଲାବୋରାଟୋରୀର ଗବେଷଣା କାର୍ଯ୍ୟର ତତ୍ୱାବଧାନ କରୁଛନ୍ତି ।