ଭୁବନେଶ୍ୱର : ପିଲାମାନଙ୍କ ଉପରେ ତମାଖୁ ପ୍ରଭାବର ଗୁରୁତର ପରିସ୍ଥିତିକୁ ବିଚାର କରି, ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପିପୁଲ୍ସ୍ କଲ୍ଚରାଲ୍ ସେଣ୍ଟର (ପିକକ୍) ଓ କୋଆଲିସନ୍ ଫର ଟବାକୋ ଫ୍ରି ଓଡିଶାର ମିଳିତ ସହଯୋଗରେ ‘ଶିଶୁଙ୍କ ତମାଖୁ ମୁକ୍ତ ପରିବେଶ-ଶିଶୁମାନଙ୍କ ଏକ ଅଧିକାର’ ଉପରେ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଧୂମ୍ରପାନ କରୁଥିବା ଲୋକଙ୍କ ସସ୍ପର୍ଶରେ ନ ଆଣିବା, ତମାଖୁ ସେବନ ଏବଂ ଧୂମ୍ରପାନରୁ ସୁରକ୍ଷା ଦେଇ ପିଲାମାନଙ୍କ ପାଇଁ ତମାଖୁ ମୁକ୍ତ ପରିବେଶ ଗଠନ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ରହିଥିଲା ।
ରାଜ୍ୟସଭା ସାଂସଦ ମୁଜିବୁଲ୍ଲା ଖାନ ଏବଂ ରାଜ୍ୟସଭା ସାଂସଦ ସୁଲତା ଦେଓ ଏବଂ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ସୁପ୍ରିମକୋର୍ଟ ଆଇନଜୀବି ରଞ୍ଜିତ କୁମାର ସିଂ ଏବଂ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶାଳୟ, ତମାଖୁ ନିୟନ୍ତ୍ରଣ ରାଜ୍ୟ ପରାମର୍ଶଦାତା ଡ଼. ଜି ଏସ୍ ମିଶ୍ର ଏହି ଉତ୍ସବରେ ଯୋଗ ଦେଇଥିଲେ । ପିକକ୍୍ର ସମ୍ପାଦକ ରଞ୍ଜନ କୁମାର ମହାନ୍ତି ସ୍ୱାଗତ ଭାଷଣ ଦେବା ସହ ପିକକ୍୍ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଅନୁରାଧା ମହାନ୍ତି ଧନ୍ୟବାଦ ଜଣାଇଥିଲେ । ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟ ଏବଂ ବସ୍ତିର ୫୦୦ରୁ ଅଧିକ ପିଲା ତମାଖୁ ବିରୋଧରେ ଶପଥ ଗ୍ରହଣ କରିଥିଲେ । କିଶୋରୀ ବାଳିକା ସଂଘର ସଭାପତି ଲକିନା ସ୍ୱାଇଁ ପିଲାମାନଙ୍କ ପକ୍ଷରୁ ମତ ଦେଇଥିଲେ ।
ପିଲାମାନଙ୍କ ମଧ୍ୟରେ ତମାଖୁର ପ୍ରଭାବ ସମ୍ପର୍କରେ ଆଲୋଚନା କରି ମାନ୍ୟବର ରାଜ୍ୟସଭା ସାଂସଦ ଶ୍ରୀ ଖାନ କହିଛନ୍ତି, “ତମାଖୁ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଦଜନକ । ସହଜରେ ମିଳିଯାଉଥିବାରୁ ଆଜିକାଲି ପିଲାମାନେ ତମାଖୁ ସେବନ କରୁଛନ୍ତି । ସେମାନେ ଆମ ଦେଶର ଭବିଷ୍ୟତ ଏବଂ ସେମାନଙ୍କୁ ଏପରି ବିପଦରୁ ରକ୍ଷା କରି ଭବିଷ୍ୟତକୁ ସୁରକ୍ଷା ଦେବା ଆମର ଦାୟିତ୍ୱ । ଆମେ ନିଶ୍ଚିତ କରିବା ଆବଶ୍ୟକ ଯେ ପିଲାମାନେ ଏଥିରୁ ଦୂରରେ ଅଛନ୍ତି ।” ସେ ପିଲାମାନଙ୍କୁ ଉପଦେଶ ଦେଇ କହିଲେ, ବିଦ୍ୟାଳୟ ନିକଟରେ, ଜନସାଧାରଣ ସ୍ଥାନରେ ଓ ନିଜ ପରିବାର ମଧ୍ୟରେ ତମାଖୁ ସେବନ କରୁଥିବା ଲୋକଙ୍କୁ ତମାଖୁ ସେବନ ନ କରିବାକୁ ପିଲାମାନେ ବାରଣ କରିବା ଉଚିତ୍ ।
ପିଲାମାନଙ୍କ ପାଇଁ ତମାଖୁ ମୁକ୍ତ ପରିବେଶର ଗୁରୁତ୍ୱକୁ ପ୍ରକାଶ କରି ରାଜ୍ୟସଭା ସାଂସଦ ସୁଲତା ଦେଓ କହିଛନ୍ତି, “କୁନି କୁନି ପିଲାମାନେ କଞ୍ଚାମାଟି ପରି, ଆମେ ତାଙ୍କୁ ଯାହା ବୁଝେଇବା ସେ ସେୟା ବୁଝିବେ । ପିଲାମାନଙ୍କ ଆଗରେ ତମାଖୁ ସେବନ ବାରଣ କରିବା ଉଚିତ୍ । ଡିଜିଟାଲ୍ ଓ ଓଟିଟି ପ୍ଲାଟଫର୍ମଗୁଡିକ ତମାଖୁକୁ ସାର୍ବଜନୀନ କରିବା ପାଇଁ ପ୍ରମୁଖ ପ୍ଲାଟଫର୍ମ ହୋଇଯାଇଛି କାରଣ ଏଥିରେ କୌଣସି ସେନସର ନାହିଁ । ପିଲାମାନଙ୍କୁ ତମାଖୁ ସେବନରୁ ରକ୍ଷା କରିବାକୁ ପଡିବ, କାରଣ ସେମାନେ ପ୍ରାୟତଃ ବିଦ୍ୟାଳୟ ସ୍ତରରେ ତମାଖୁ ଅଭ୍ୟାସ ସହିତ ଜଡିତ ହୋଇଥାନ୍ତି । କ୍ଷତିକାରକ ପଦାର୍ଥ ବିରୁଦ୍ଧରେ ଆମେ ଏହି ଅଭିଯାନକୁ ବିଦ୍ୟାଳୟ ସ୍ତରରେ ଦୃଢ କରିବା ଉଚିତ୍ । ଆମ ପିଲାମାନେ ଧୂମ୍ରପାନ କରୁଥିବା ବ୍ୟକ୍ତିଙ୍କ ସସ୍ପର୍ଶରୁ କିପରି ନ ଆସି ପାରିବେ ସେଥିପାଇଁ ଆମକୁ ଦୃଷ୍ଟି ଦେବାକୁ ପଡିବ ।”
ବିଶେଷ କରି ୩ ରୁ ୧୧ ବର୍ଷ ବୟସର ପିଲାମାନେ ଅଧିକ ଅସୁରକ୍ଷିତ ଏବଂ ଦୀର୍ଘ ସମୟ ଧରି, ବାରମ୍ବାର ଧୂମପାନ ସଂସ୍ପର୍ଶରେ ଆସିଲେ ସେମାନଙ୍କୁ ବ୍ରୋଙ୍କାଇଟିସ୍ ଏବଂ ନିମୋନିଆ ହେବାର ଅଧିକ ସମ୍ଭାବନା ରହିଥାଏ । ଗ୍ଲୋବାଲ ଆଡଲ୍ଟ୍ ତମାଖୁ ସର୍ଭେ (ଜିଏଟିଏସ୍) ଏବଂ ଜାତୀୟ ଜନଗଣନା ଆନୁମାନିକ ୨୦୨୦ ଆକଳନ ଅନୁଯାୟୀ, ପ୍ରାୟ ୧୫ ବର୍ଷରୁ କମ୍ (୪୬.୫%) ପିଲା ସେମାନଙ୍କ ଘରେ ଧୂମପାନ କରୁଥିବା ଲୋକଙ୍କ ସଂସ୍ପର୍ଶରେ ଆସିଥାନ୍ତି ଯାହା ଆନୁମାନିକ ପ୍ରାୟ ୧୭୦ନିୟୁତ ରହିଛି ।
ପିଲାମାନଙ୍କର ତମାଖୁ ମୁକ୍ତ ଶୈଶବ ଅଧିକାର ଅଛି,ଯଥା ତମାଖୁ ବ୍ୟବହାର ନ କରିବା, ଧୂମ୍ରପାନ ମୁକ୍ତ ପରିବେଶରେ ବଞ୍ଚିବା ଯାହା ସେମାନଙ୍କୁ ଧୂମପାନ କରୁଥିବା ଲୋକଙ୍କ ସଂସ୍ପର୍ଶରେ ଆସିବାକୁ ରକ୍ଷା କରିବା ସହିତ ନିଜେ ଧୂମ୍ରପାନ କରିବା ଠାରୁ ମଧ୍ୟ ରକ୍ଷା କରିବ । ଯଦି ସେମାନେ ତମାଖୁରେ ବ୍ୟବହାରରେ ଅଭ୍ୟସ୍ତ ହୋଇଗଲେ ତେବେ ସେମାନଙ୍କୁ ଏଥିରୁ ନିବୃତ ରହିବା ପାଇଁ ପ୍ରେରିତ କରିବା ଉଚିତ୍ ।