Home Health ପିଲାଙ୍କ କଫ ସିରପ୍ ବ୍ୟବହାର ନେଇ ପରାମର୍ଶ

ପିଲାଙ୍କ କଫ ସିରପ୍ ବ୍ୟବହାର ନେଇ ପରାମର୍ଶ

ଭୁବନେଶ୍ୱର : ପାଞ୍ଚ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ନିରାପତ୍ତା ଓ ଆରୋଗ୍ୟ ନିମନ୍ତେ କଫ ସିରପ୍ ବ୍ୟବହାରକୁ ଅଧିକ ନିୟନ୍ତ୍ରିତ, ସୁଚିନ୍ତିତ ଓ ଯୌକ୍ତିକ କରିବା ପାଇଁ ସରକାର ଉପଦେଶ ଦେଇଛନ୍ତି । ଏହି ପରିପ୍ରେକ୍ଷୀରେ ଭାରତ ସରକାରଙ୍କ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ତରଫରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ସରକାରଙ୍କୁ ଚଳିତ ମାସରେ ଏକ ପରାମର୍ଶମୂଳକ ଚିଠି ଦିଆଯାଇଛି ।

ଏଥିରେ କୁହାଯାଇଛି ଯେ ପିଲାମାନଙ୍କ ମଧ୍ୟରେ ଦେଖାଯାଉଥିବା ଥଣ୍ଡା ଓ କଫ ରୋଗ ପ୍ରାୟତଃ ଆପେଆପେ ଶରୀରର ପ୍ରତିରୋଧକ ଶକ୍ତି ବଳରେ ଭଲ ହୋଇଥାଏ । ସେଥିପାଇଁ ସବୁବେଳେ ବାହ୍ୟ ଔଷଧ ପ୍ରୟୋଗର ବିଶେଷ ଆବଶ୍ୟକତା ନାହିଁ । ଅପରପକ୍ଷେ ଶରୀରର ପର୍ଯ୍ୟାୟ ଜଳଯୋଜନ (ଆଡ଼ିକ୍ୟୁଏଟ ହାଇଡ୍ରେସନ), ବିଶ୍ରାମ ଏବଂ ଆନୁସଙ୍ଗିକ ସହାୟତା ଆଦି ଉପରେ ଅଗ୍ରାଧିକାର ଦିଆଯିବା ଦରକାର ।

୨ ବର୍ଷରୁ କମ ଶିଶୁଙ୍କ ପାଇଁ କଫ ଓ ଥଣ୍ଡା ସିରପ ଦିଆଯିବା ଉଚିତ୍ ନୁହେଁ । ଏହି ସବୁ ଔଷଧ ମଧ୍ୟ ୫ ବର୍ଷରୁ କମ ପିଲାଙ୍କ ପାଇଁ ସୁପାରିଶ ଯୋଗ୍ୟ ନୁହେଁ । ଏପରିକି ୫ ବର୍ଷରୁ ଅଧିକ ବୟସ୍କ ପିଲାଙ୍କ ପାଇଁ ଏସବୁ ପ୍ରକାର ଔଷଧ ଉପଯୁକ୍ତ ପରୀକ୍ଷା ନିରୀକ୍ଷା, ସଂପୃକ୍ତ ପିଲାର ସ୍ଵାସ୍ଥ୍ୟ ଅବସ୍ଥାର ସଠିକ୍ ଆକଳନ ଆଦି ପରେ ଡାକ୍ତରଙ୍କ ସିଧାସଳଖ ତତ୍ତ୍ୱାବଧାନରେ କରାଯିବା ଦରକାର ।

ପିଲା କେତେ ମାତ୍ରାରେ ଔଷଧ କେତେ ଥର ଓ କେତେବେଳେ ଖାଇବ ତାହା ମଧ୍ୟ ଡ଼ାକ୍ତରଙ୍କ ପରାମର୍ଶ ଅନୁସାରେ ନିର୍ଦ୍ଧାରିତ ହେବା ଦରକାର । ଶିଶୁ ରୋଗ ଚିକିତ୍ସା ଓ ଔଷଧ ବଣ୍ଟନ କରୁଥିବା ସମସ୍ତ ସରକାରୀ ଓ ଘରୋଇ ଚିକିତ୍ସାଳୟମାନଙ୍କୁ ଏହି ପରାମର୍ଶ ଅନୁପାଳନ ନିମନ୍ତେ କୁହାଯାଇଛି ।

ସମସ୍ତ ପିତାମାତା, ତତ୍ତ୍ୱାବଧାରକ ଏବଂ ଜନସାଧାରଣଙ୍କୁ ଏ ବିଷୟରେ ସଚେତନ କରାଇବା ସହ ସମସ୍ତ ସ୍ଵାସ୍ଥ୍ୟକେନ୍ଦ୍ର  ଓ ଚିକିତ୍ସାଳୟମାନଙ୍କରେ ଏହାର ଅନୁପାଳନ ନିଶ୍ଚିତ କରାଇବା ପାଇଁ ରାଜ୍ୟ ସରକାରମାନଙ୍କୁ କୁହାଯାଇଛି । ତଦନୁଯାୟୀ ଓଡ଼ିଶା ସ୍ଵାସ୍ଥ୍ୟସେବା ନିର୍ଦ୍ଦେଶାଳୟ ତରଫରୁ ରାଜ୍ୟର ସମସ୍ତ ମେଡିକାଲ କଲେଜ, ହସପିଟାଲ ଅଧିକ୍ଷକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ, ଶିଶୁ ଚିକିତ୍ସା ବିଶେଷଜ୍ଞ ସଂଘ. ଓଡ଼ିଶା ଶାଖା, ଓଡ଼ିଶା ମେଡିକାଲ ସେବା ସଂଘ ଆଦିଙ୍କୁ ପରାମର୍ଶ ଦିଆଯାଇଛି ।