Home Culture ପିପିଲି ରାଜପଥରେ ଲୋକକଳାର ମହାକୁମ୍ଭ

ପିପିଲି ରାଜପଥରେ ଲୋକକଳାର ମହାକୁମ୍ଭ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଏପ୍ରିଲ ୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ପାଳିତ ହେଉଛି ଓଡ଼ିଆ ପକ୍ଷ। ଆଜି ଓଡ଼ିଆ ପକ୍ଷ ପାଳନର ଦଶମ ଦିବସରେ ପୁରୀ ଜିଲ୍ଲାର ପିପିଲି ଠାରେ ରାଜ୍ୟ ସ୍ତରୀୟ ‘ଲୋକକଳା ପାଇଁ ଦିନଟିଏ’ ଉତ୍ସବ ଆୟୋଜିତ ହୋଇଯାଇଛି। ଏହି ଉତ୍ସବରେ ରାଜ୍ୟର ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ସାଂସ୍କୃତିକ ଦଳ ଅଂଶଗ୍ରହଣ କରିଥିଲେ। ୮୦୦ରୁ ଉର୍ଦ୍ଧ୍ୱ କଳାକାରମାନେ ପିପିଲିର ରାଜପଥରେ ଓଡ଼ିଶାର ସମୃଦ୍ଧ ଲୋକକଳାକୁ ପ୍ରଦର୍ଶିତ କରିଥିଲେ। ଏଥିସହ ଜବାହର ବିଦ୍ୟାପୀଠ ଠାରୁ ପଦାପଡ଼ିଆ ପର୍ଯ୍ୟନ୍ତ ଏକ ରାଲିରେ ନିଜର କଳା ଓ ନୃତ୍ୟକୁ ପ୍ରଦର୍ଶିତ କରିଥିଲେ।

ଭଦ୍ରକର ମୋଗଲ ତାମସା ଓ ଲଉଡ଼ି ନୃତ୍ୟ, ବାଲେଶ୍ୱରର ନୀଳଗିରି ଛଉ, ବରଗଡ଼ର ଦୁଲଦୁଲି, ରସରକେଲି, ବଜଶାଲ, ବୌଦ୍ଧର ଦଣ୍ଡନୃତ୍ୟ, ଶବର ଶବରୁଣୀ, ବଲାଙ୍ଗୀରର ବଜନିଆ, ନଚନିଆ, କଟକର ଗୋପାଳ ଲଉଡ଼ି, ପୁରୀର ଘୋଡ଼ାନାଚ ଭଳି ନୃତ୍ୟ ଖୁବ ସୁନ୍ଦର ଭାବେ କଳାକାରମାନେ ରାଜପଥରେ ପରିବେଷଣ କରିଥିଲେ। କାର୍ଯ୍ୟକ୍ରମର ରାଜ୍ୟ ସରକାରଙ୍କ ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ।

ଓଡ଼ିଆ ପକ୍ଷ ହେଉଛି ଓଡ଼ିଆ ଅସ୍ମିତାର ମହାପର୍ବ। ଆଜି ଓଡ଼ିଆ ପକ୍ଷ ପାଳନର ଦଶମ ଦିନଟି ଓଡ଼ିଶାର ଲୋକକଳା ପାଇଁ ସମର୍ପିତ। ସାରା ରାଜ୍ୟରେ ଓଡ଼ିଆ ପକ୍ଷକୁ ବହୁ ଆଡ଼ମ୍ବର ସହକାରେ ପାଳନ କରାଯାଉଛି। ଆମ ଲୋକକଳା ଆମକୁ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି। ଲୋକକଳାର ବିକାଶ ସହ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଆମେ ଯେପରି ବିଶ୍ୱବିଦିତ କରିପାରିବା, ସେ ଦିଗରେ ସମସ୍ତେ ମିଳିମିଶି କାମ କରିବାକୁ ପୂର୍ତ୍ତମନ୍ତ୍ରୀ ଆହ୍ବାନ ଦେଇଥିଲେ।

ସତ୍ୟବାଦୀ ବିଧାୟକ ଓମ୍ ପ୍ରକାଶ ମିଶ୍ର ଏବଂ ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ ଆଜିର କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ସମୃଦ୍ଧ ଲୋକକଳା ଉପରେ ଗୁରୁତ୍ୱାରୋପ କରିବା ସହ ଶ୍ରୀ ଜଗନ୍ନାଥ ସଂସ୍କୃତି ଓଡ଼ିଆମାନଙ୍କୁ ଆଜି ସାରା ବିଶ୍ୱରେ ଏକ ସ୍ୱତନ୍ତ୍ର ପରିଚୟ ପ୍ରଦାନ କରିଛି ବୋଲି କହିଥିଲେ।