ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲ ପରିସରରୁ ପିଜିଆଇଏମଏସକୁ ଅନ୍ୟତ୍ର ସ୍ଥାନାନ୍ତର କରିବାଲାଗି ଏବେ ବିଭିନ୍ନ ମହଲରୁ ଦାବି ହେଉଛି । ପିଜିଆଇଏମଏସ ଲାଗି ସମ୍ପ୍ରସାରଣ ପାଇଁ ଏଠାରେ ପର୍ଯ୍ୟାପ୍ତ ସ୍ଥାନ ନଥିବାବେଳେ କ୍ୟାପିଟାଲ ହସ୍ପିଟାଲ ପରିସରରେ ଅସମ୍ଭବ ଧରଣର ଭିଡ ଲାଗି ରହିଛି ।
ଚଣ୍ଡିଗଡ ଓ ଲକ୍ଷ୍ନୌ ସ୍ଥିତ ପିଜିଆଇଏମଏସରେ ପାଠପଢି ଓ ଗବେଷଣା କରି ଯେଉଁ ଡାକ୍ତରମାନେ ଭୁବନେଶ୍ୱରରେ କାମ କରୁଛନ୍ତି ସେମାନେ କହୁଛନ୍ତି ଯେ କର୍ତ୍ତୃପକ୍ଷ ଚଣ୍ଡିଗଡ ଓ ଲକ୍ଷ୍ନୌ କ୍ୟାମ୍ପସ ଦେଖିଲେ ସେମାନଙ୍କ ଆଖି ଖୋସି ହୋଇଯିବ । ବିଭିନ୍ନ ସ୍ଥାନରେ ପିଜିଆଇଏମଏସ୍ ୫୦ ରୁ ୧୦୦ ଏକର ପର୍ଯ୍ୟନ୍ତ ଜାଗାରେ ସ୍ଥାପିତ ହୋଇଛି । ଏ ପରିପ୍ରେକ୍ଷୀରେ ରାଜଧାନୀ ଉପକଣ୍ଠରେ ଏମ୍ସ ଭଳି ପ୍ରଶସ୍ତ ସ୍ଥାନ ନିରୂପରଣ କରି ସେଠାରେ ପିଜିଆଇଏମଏସ୍ର ନୂଆ କ୍ୟାମ୍ପସ ସ୍ଥାପନ କରାଗଲେ ରୋଗୀସେବା ଶୃଙ୍ଖଳିତ ହେବା ସହ ଡାକ୍ତରମାନେ ବି ଚାପମୁକ୍ତ ହୋଇ ରହିପାରିବେ ।
କ୍ୟାପିଟାଲ ହସ୍ପିଟାଲକୁ ସୁପର ସ୍ପେଶାଲିଷ୍ଟ ଡାକ୍ତରଖାନାରେ ପରିଣତ କରିବାପାଇଁ ସ୍ୱାସ୍ଥ୍ୟ ମିଶନର କିଛି ପୂର୍ବତନ ସଦସ୍ୟ ଖୋଲା ମତବ୍ୟକ୍ତ କରୁଛନ୍ତି । ରାଜଧାନୀର କଳେବର ଯେଉଁଭଳି ବଢୁଛି ଏବଂ କ୍ୟାପିଟାଲ ହସ୍ପିଟାଲ ଉପରେ ଚିକିତ୍ସାର ଚାପ ଯେମିତି ଲାଗି ରହୁଛି ତାହାର ଅଧିକ ଅନୁଧ୍ୟାନ କରାଯିବା ଆବଶ୍ୟକ । ଏ ପରିପ୍ରେକ୍ଷୀରେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ଯେତେ ପ୍ରାଥମିକ ଓ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ରହିଛି ସେଗୁଡିକରେ ବିଭିନ୍ନ ବିଭାଗର ସ୍ପେଶାଲିଷ୍ଟ ଡାକ୍ତର ନିଯୁକ୍ତି ସହ ପର୍ଯ୍ୟାପ୍ତ ଶଯ୍ୟା ବ୍ୟବସ୍ଥା କରାଗଲେ କ୍ୟାପିଟାଲ ହସ୍ପିଟାଲ ଉପରେ ଚାପ କମିପାରନ୍ତା ।
କେବଳ ଭୁବନେଶ୍ୱର ନୁହେଁ, ଆଖପାଖ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରୁ ବି କ୍ୟାପିଟାଲ ହସ୍ପିଟାଲକୁ ରୋଗୀ ରେଫର ହୋଇ ଆସୁଛନ୍ତି । ଜଣେ ରୋଗୀ ଯଦି ନିଜେ ଗାଡି ଚଳାଇ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲକୁ ଆସିବେ ତେବେ ସେ ଡାକ୍ତର ଖୋଜିବା ପରିବର୍ତ୍ତେ ପ୍ରଥମେ କେଉଁଠି ତାଙ୍କ ଗାଡିଟିକୁ ନିରାପଦରେ ରଖିବେ ସେଥିଲାଗି ସ୍ଥାନ ଖୋଜିବାରେ ଯେତିକି ସମୟ ବରବାଦ କରିବେ ସେଥିରେ ତାଙ୍କ ରୋଗ ବଢିଯିବ ।
କ୍ୟାପିଟାଲ ହସ୍ପିଟାଲରେ କର୍କଟ, ହୃଦରୋଗ, ସ୍ନାୟୁରୋଗ ଆଦିର ଚିକିତ୍ସା ବ୍ୟବସ୍ଥା ଥିବାବେଳେ ପର୍ଯ୍ୟାପ୍ତ ସଂଖ୍ୟକ ଡାକ୍ତର ନାହାନ୍ତି କିମ୍ବା ଏଠାରେ ପେଟ୍ ସିଟି ସ୍କାନ ଭଳି ଉନ୍ନତ ପରୀକ୍ଷା ବ୍ୟବସ୍ଥା ବି ନାହିଁ ।
ପିଜିଆଇଏମଏସରେ ଯେଉଁ ଛାତ୍ରଛାତ୍ରୀମାନେ ସ୍ନାତକତ୍ତୋର ମେଡିକାଲ ଡିଗ୍ରୀ ପାଇଁ ଭର୍ତ୍ତି ହେବେ ସେମାନେ କ୍ୟାପିଟାଲ ହସ୍ପିଟାଲର ବାତାବରଣରେ ପାଠପଢିବା କିମ୍ବା ଗବେଷଣା କରିବା ସମ୍ଭବପର ହେବନାହିଁ । ଏହାଛଡା ଏହି ପରିସର ମଧ୍ୟରେ ସମସ୍ତ ଡାକ୍ତର, ଡାକ୍ତରୀ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନଙ୍କ ପାଇଁ କ୍ୱାଟର୍ସ ବ୍ୟବସ୍ଥା ନାହିଁ । ଚଣ୍ଡିଗଡ, ଲକ୍ଷ୍ନୌ ଆଦି ପିଜିଆଇଏମଏସ୍ କ୍ୟାମ୍ପସରେ ପ୍ରାୟ ସମସ୍ତ ଡାକ୍ତର, ଡାକ୍ତରୀ ଶିକ୍ଷକ ଓ ଅନ୍ୟ କର୍ମଚାରୀମାନେ କ୍ୱାଟର୍ସ ନେଇ ରହୁଛନ୍ତି । ଦୂର ଦୂରାନ୍ତରେ ରହି ଏଠାକୁ ଦଉଡି ଡାକ୍ତରଖାନାରେ କାମ କରିବା କଷ୍ଟକର ବ୍ୟାପାର ହୋଇପଡିବ । ଏ ପରିପ୍ରେକ୍ଷୀରେ ରାଜଧାନୀର ଦକ୍ଷିଣ କିମ୍ବା ପୂର୍ବାଞ୍ଚଳରେ ପିଜିଆଇଏମଏସ ପାଇଁ ଯୋଜନାବଦ୍ଧ ଭାବେ ବିସ୍ତୃତ କ୍ୟାମ୍ପସରେ ନୂଆ ପିଜିଆଇଏମଏସ ନିର୍ମାଣ କରାଇଲେ ତାହା ଓଡିଶାର ଗର୍ବ ଓ ଗୌରବ ବଢାଇବା ସହ ରୋଗୀ, ଡାକ୍ତର ଓ ଗବେଷକମାନଙ୍କ ଉପକାରରେ ଆସିପାରନ୍ତା ବୋଲି ମତପ୍ରକାଶ ପାଉଛି । ତେବେ କ୍ୟାପିଟାଲ ହସ୍ପିଟାଲ ପରିସରରେ ପିଜିଆଇଏମଏସ ପାଇଁ ସୌଧ ନିର୍ମାଣ ଚାଲିଛି ବୋଲି ଅଧିକାରୀମାନେ କହୁଛନ୍ତି । (ତଥ୍ୟ)