Home General ପିଚୁ ପେପର ବଢାଉଛି ଗୁଳୁଗୁଳି

ପିଚୁ ପେପର ବଢାଉଛି ଗୁଳୁଗୁଳି

ଭୁବନେଶ୍ୱର : ରାଜଧାନୀ ୪୧ଡିଗ୍ରୀରୁ ଅଧିକ ତାପମାତ୍ରାରେ ଫୁଟୁଥିବାବେଳେ ପୁରୁଣା ସରକାରୀ ଘରେ ରହୁଥିବା ଲୋକେ ଗରମରେ ସିଝି ଯାଉଛନ୍ତି । ବିଶେଷକରି ଯେଉଁସବୁ ଘରର ଛାତ ଉପରେ ପିଚୁ ପେପର ବିଛାଯାଇଛି ସେଠାରେ ଲୋକେ ଗରମରେ ଛଟପଟ ହେଉଛନ୍ତି ।

ପୁରୁଣାକାଳିଆ ଘର ବିଶେଷକରି ସରକାରୀ କ୍ୱାଟର୍ସଗୁଡିକରେ କର୍ତ୍ତୃପକ୍ଷ ପିଚୁ ପେପର ବିଛାଉଛନ୍ତି । ଛାତଗୁଡିକ ଦୁର୍ବଳ ଥିବା ଦର୍ଶାଇ ଏହାକୁ ଭଲ ଭାବେ ମରାମତି କରିବା ବଦଳରେ ପ୍ରତିବର୍ଷ ପିଚୁ ପେପର ବିଛାଯାଉଛି । ଏହି ଛାତ ଉପରେ ପ୍ରଥମେ ଗରମ ପିଚୁର ଗୋଟିଏ ଆସ୍ତରଣ ଦିଆଯିବାପରେ ତାହା ଉପରେ ପିଚୁ ପେପର ବିଛାଯାଉଛି ଓ ଏହା ଉପରେ ପୁଣିଥରେ ଗରମ ପିଚୁ ଲଗାଇ ଦିଆଯାଉଛି ।

ଏହି ପିଚୁ ପେପରଗୁଡିକ ସାମାନ୍ୟ ଖରାରେ ଗରମ ହେବା ସହିତ ଅର୍ଦ୍ଧ ତରଳ ଅବସ୍ଥାରେ ରହୁଛି । ଏବେ ସହରର ତାପାମାତ୍ରା ୪୧ ଡିଗ୍ରୀ ଉପରେ ରହୁଥିବାବେଳେ ପିଚୁଗୁଡିକ ଛାତଉପର ତରଳି ଯାଉଛି । ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି ଯୋଗୁଁ ଏଗୁଡିକୁ ଦିନରାତି ଏହିଭଳି ଅର୍ଦ୍ଧତରଳ ଅବସ୍ଥାରେ ରହିଛି । ତେଣୁ ଏହିସବୁ ଘରେ ରହୁଥିବା ଲୋକେ ଗରମରେ ଛଟପଟ ହେଉଛନ୍ତି । ପିଚୁ ପେପର ଯୋଗୁଁ ଏତେ ଗରମ ହେଉଛି ଯେ ଅଧିକାଂଶ ସ୍ଥାନରେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ବି ଠିକଣା ଭାବେ କାମ କରୁନାହିଁ ।

ପୁରୁଣା ଘରର ଛାତ ସହିତ ନୂଆକରି ଲଗାଯାଉଥିବା ଆଜବେଷ୍ଟସ ଉପରେ ମଧ୍ୟ ଠିକାଦାରମାନେ ପିଚୁ ପେପର ବିଛାଇ ଦେଉଛନ୍ତି । ଗୋଟିଏ ପଟେ ଟିଣ/ଆଲୁମିନିୟମ ଆଜବେଷ୍ଟସ ସାଙ୍ଗକୁ ପିଚୁ ପେପର ଏବେ ଗରମ ଓ ଗୁଳୁଗୁଳିକୁ ବହୁଗୁଣିତ କରିଦେଉଛି । ପିଚୁ ପେପର ବିଛାଇବାର କାରଣ ଦର୍ଶାଯାଉଛି ଯେ ଏହାଦ୍ୱାରା ଆଉ ବର୍ଷାପାଣି ଭିତରକୁ ଯିବ ନାହିଁ । ତେବେ ଛାତଗୁଡିକୁ ସିମେଣ୍ଟ, ବାଲି, ବଜୁରୀ ଆଦି ଦେଇ ଭଲଭାବେ ମରାମତି କରିବା ବଦଳରେ କାହିଁକି ବାରମ୍ବାର ପିଚୁ ପେପର ବିଛାଯାଉଛି ତାହାର ଉତ୍ତର କାହାରି ପାଖରେ ନାହିଁ । ଏହାଦ୍ୱାରା ପୂର୍ତ୍ତ ବିଭାଗ ପ୍ରତିବର୍ଷ ବ୍ୟାପକ ଅର୍ଥ ଖର୍ଚ୍ଚ କରୁଥିବାବେଳେ ସେହିସବୁ ଘରେ ରହୁଥିବା ଲୋକେ କିନ୍ତୁ କଲବଲ ହେଉଛନ୍ତି ।

ଅବସ୍ଥା ଏଭଳି ହୋଇଛି ଯେ ଖରାବେଳେ କୌଣସି ଜରୁରୀ କାର୍ଯ୍ୟରେ ଛାତ ଉପରକୁ ଚାହିଁଲେ ମଧ୍ୟ ଲୋକେ ଯାଇପାରୁ ନାହାନ୍ତି । ପିଚୁ ପେପରଗୁଡିକ ଖରାରେ ତରଳିବା ଯୋଗୁଁ ତାହା ଉପରେ ଚାଲିବା କଷ୍ଟକର । ଚପଲ ପିନ୍ଧି ମଧ୍ୟ ଯାଇ ହେଉନାହିଁ ।

ନିର୍ମାଣ କ୍ଷେତ୍ରରେ ଦିନକୁ ଦିନ ନୂଆ ନୂଆ ଜ୍ଞାନକୌଶଳ ଆସୁଥିବାବେଳେ ବର୍ଷ ବର୍ଷ କୋଠାଘରେ ପିଚୁ ପେପର ବିଛାଇବା ଏବେ ପ୍ରଶ୍ନବାଚୀ ସୃଷ୍ଟି କଲାଣି । ଏହାଦ୍ୱାରା ସରକାରଙ୍କ ରାଜକୋଷରୁ ବ୍ୟାପକ ଅର୍ଥ ବ୍ୟୟ ହେଉଥିବାବେଳେ ସେହିସବୁ ଘରେ ରହୁଥିବା ଲୋକେ ଗରମ ଓ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି । ସେହିଭଳି ବ୍ୟାପକ ଉତ୍ତାପ ଯୋଗୁଁ ଘରେ ରହୁଥିବା ବୈଦ୍ୟୁତିକ ଆସବାବପତ୍ର ମଧ୍ୟ ଅଳ୍ପଦିନରେ ଖରାପ ହେବାରେ ଲାଗିଛି ।

ଉଲ୍ଲେଖନୀୟ ଯେ ରାଜଧାନୀରେ ଥିବା ପୁରୁଣାକାଳିଆ ଘରଗୁଡିକୁ ଥଣ୍ଡା ରଖିବାପାଇଁ ସେତେବେଳେ କାନ୍ଥରେ ନାଲି ମାଟିର ପ୍ରଲେପ ସହିତ ଛାତରେ ସ୍ୱତନ୍ତ୍ର ଭାବେ ଛୋଟ ଛୋଟ ଇଟାଖଣ୍ଡ ଦିଆଯାଇଥିଲା । କାରଣ ସେତେବେଳେ ଶୀତତାପ ନିୟନ୍ତ୍ରିତ ଯନ୍ତ୍ରର ସେତେଟା ପ୍ରଚଳନ ନଥିଲା । ହେଲେ ଏବେ ଏହିସବୁ ଛାତକୁ ଭଲଭାବେ ମରାମତି କରିବା ବଦଳରେ ପିଚୁ ପେପର ବିଛାଇବା ଯୋଗୁଁ ଖରାଦିନେ ନାହିଁ ନଥିବା କଲବଲ ହେଉଛନ୍ତି । (ତଥ୍ୟ)