ଭୁବନେଶ୍ଵର : ଶିଶୁ ମାନଙ୍କ ମଧ୍ୟରେ ରହିଥିବା ଅନ୍ତର୍ନିହିତ ପ୍ରତିଭାର ବିକାଶ ନିମନ୍ତେ ସବୁ ସ୍ତରରେ ଉଦ୍ୟମ ହେବା ଆବଶ୍ୟକ । ଅଧ୍ୟୟନ ସହିତ ସେମାନେ ସମାଜର ହିତସାଧନ ନିମନ୍ତେ ମୂଳରୁ ନିଜକୁ ଗଢି ତୋଳିବା ଉଚିତ ବୋଲି ପିକକ୍ ଶିଶୁମେଳାର ଉଦ୍ଘାଟନ ଉତ୍ସବରେ ବିଷିଶ୍ଟ ବକ୍ତାମାନେ ମତ ବ୍ୟକ୍ତ କରିଛନ୍ତି ।
ଶୁକ୍ରବାର ସନ୍ଧ୍ୟାରେ ଏକାମ୍ର ହାଟ ମୁକ୍ତ ମଞ୍ଚରେ ପିପୁଲସ୍ କଲ୍ଚରାଲ ସେଣ୍ଟର (ପିକକ୍) ଦ୍ଵାରା ଆରମ୍ଭ ହୋଇଛି ୩୩ ତମ ପିକକ୍ ଶିଶୁମେଳା। ଏହି ମେଳାକୁ ଆନୁଷ୍ଠାନିକ ଭାବରେ ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦ୍ଘାଟନ କରି ପିଲାମାନଙ୍କୁ ଉତ୍ସାହିତ କରିବା ସହ ଶିଶୁମାନେ ନିଜର ଭବିଷ୍ୟତକୁ ସୁଦୃଢ କରିବା ନିମନ୍ତେ ମୁଳରୁ ଯତ୍ନବାନ ହେବାକୁ ସେମାନେ ପରାମର୍ଶ ଦେଇଛନ୍ତି ।
ଏହି ଉତ୍ସବ ରେ ଯୋଗଦେଇ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା କହିଥିଲେ ଯେ ପିଲାମାନେ ନିଜ ଭିତରେ ଥିବା ମଣିଷ କୁ ଚିହ୍ନିବା ସହିତ ଏହାର ପରିପ୍ରକାଶ ନିମନ୍ତେ ସୁଯୋଗ ପାଇବା ଆବଶ୍ୟକ । ଭୁବନେଶ୍ଵର ମହାନଗରନିଗମର ମେୟର ସୁଲୋଚନା ଦାସ ଶିଶୁ ଅଧିକାର ସୁରକ୍ଷା ନିମନ୍ତେ ପିକକ ଅନୁଷ୍ଠାନର ନିରନ୍ତର ଉଦ୍ୟମକୁ ଉଚ୍ଚ ପ୍ରଶଂସା କରିଥିଲେ । ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ମନ୍ଦାକିନୀ କର ପିଲାମାଙ୍କର ବର୍ତ୍ତମାନକୁ ସୁରକ୍ଷିତ କରିବା ପାଇଁ ଆହ୍ୱନ ବେଇଥିଲେ ଓ ନିଜ ପିଲାର ପ୍ରତିଭାକୁ ଚିହ୍ନିବାପାଇଁ ପରାମର୍ଶ ଦେଇଥିଲେ ।
ପିକକ୍ ଶିଶୁମେଳା କମିଟିର ଅଧ୍ୟକ୍ଷ ତଥା ବରିଷ୍ଟ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ଉତ୍ସବରେ ସମ୍ପାଦକ ରଞ୍ଜନ କୁମାର ମହାନ୍ତି ସମସ୍ତଙ୍କୁ ସ୍ଵାଗତ ଜଣାଇବା ସହ ୩୩ ବର୍ଷର ଅଭିଜ୍ଞତା କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୟୁନିସେଫର ରାଧିକା ଶ୍ରୀବାସ୍ତବ, ପିକକ୍ ର ଅଧ୍ୟକ୍ଷା ମୀନାକ୍ଷୀ ପଣ୍ଡା, ପିକକ୍ ର ଶିଶୁ ମାନଙ୍କର ଖେଳ ଅଧିକାର ପ୍ରସାର ପାଇଁ ଉଦ୍ଦିଷ୍ଟ ଗୁଡୱିଲ ଆମ୍ବାସଡର ଅଂଶିକା ରାଉତରାୟ ପ୍ରମୁଖ ଉତ୍ସବରେ ବକ୍ତବ୍ୟ ରଖିଥିଲେ। ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ଅନୁରାଧା ମହାନ୍ତି ଧନ୍ୟବାଦ ଅର୍ପଣ କରିବା ଅବସରରେ ଶିଶୁମେଳା ର ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।
ଏହି ଅବସରରେ ୟୁନିସେଫର ସହଯୋଗରେ ଶିଶୁ ସାମ୍ବାଦିକ ମାନଙ୍କଦ୍ୱାରା ପ୍ରସ୍ତୁତ “ମୋ କଥା ଶୁଣ” ପୁସ୍ତକର ପ୍ରଥମ ସଂସ୍କରଣ ଶିଶୁ ସାମ୍ବାଦିକ ଶୁଭେନ୍ଦୁ ଶେଖର ଦାସ ଓ ଇପ୍ସିତା ମହାନ୍ତି ତଥା ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଆଜି ପ୍ରଥମ ସଂଧ୍ୟାରେ ଆକର୍ଷଣୀୟ ଓଡିଶୀ ପୋଷାକରେ ସୁସଜ୍ଜିତ ପିଲାମାନଙ୍କ ର ନୃତ୍ୟ ଦର୍ଶକଙ୍କୁ ଖୁବ ଆକୃଷ୍ଟ କରିଥିଲା । ଆବୃତ୍ତି ଓ ଚିତ୍ରାଙ୍କନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ମାନଙ୍କୁ ଉତ୍ସବରେ ପୁରସ୍କୃତ କରଯାଇଥିଲା । ଏହି ଅବସରରେ ଦଶାବତାର ନାଟ୍ୟ ଶାଳା ଓ ଦିବ୍ୟ ଜ୍ୟୋତି ସ୍ମୃତି ପୀଠ ର ଶିଶୁ କଳାକାର ମାନଙ୍କ ଦ୍ଵାରା ଆକର୍ଷଣୀୟ ସଂସ୍କୃତିକ କାର୍ଯ୍ୟକ୍ରମ ର ପରିଚାଳନା କରଯାଇଥିଲା । ପିକକ୍ ର ରତ୍ନା ଦାଶ, ଜ୍ୟୋତିଶଙ୍କର ମହାନ୍ତି, ସମର କୁମାର ପଟ୍ଟନାୟକ, ସନ୍ଧ୍ୟାରାଣୀ କାନୁନଗୋ ପ୍ରମୁଖ କାର୍ଯ୍ୟକ୍ରମ ର ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମ ପ୍ରତ୍ୟେକ ସନ୍ଧ୍ୟାରେ ୨୦ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।