ଭୁବନେଶ୍ୱର : ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ରେ ବର୍ତ୍ତମାନ ସୁଦ୍ଧା ଓଡିଶାକୁ ୨୮ଲକ୍ଷ ୪୯ ହଜାରରୁ ଅଧିକ ଘର ମଞ୍ଜୁର ହୋଇଥିବାବେଳେ ଏଥିରୁ ୨୫ ଲକ୍ଷ ଘରର ନିର୍ମାଣ ସମ୍ପୂର୍ଣ୍ଣ ହୋଇଛି । ସାଂସଦ ମମତା ମହନ୍ତଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଜ୍ୟସଭାରେ ଏହି ସୂଚନା ଦେଇଚନ୍ତି ଗ୍ରାମ୍ୟ ଉନ୍ନୟନ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଚନ୍ଦ୍ର ଶେଖର ପେମାସାନି ।
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଗତବର୍ଷ ଶେଷ ସୁଦ୍ଧା ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁହିକୁ ଏହି ଯୋଜନାରେ ୪କୋଟି ୧୫ଲକ୍ଷ ଘର ମଞ୍ଜୁର ହୋଇଛି । ଏଥିରୁ ୨.୯୩ କୋଟି ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି । ଏଥି ମଧ୍ୟରେ ଓଡିଶା ପାଇଁ ୨୮,୪୯,୮୮୯ ଟି ଘରକୁ ଅନୁମତି ମିଳିଥିବାବେଳେ ୨୮,୦୭,୪୫୯ ଟି ଘରକୁ ମଞ୍ଜୁରୀ ପ୍ରଦାନ କରାଯାଇଥିଲା । ଏଥି ମଧ୍ୟରୁ ୨୫,୦୪,୫୭୪ଟି ଘରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଛି ।
ରାଜ୍ୟର ୧୩ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାପାଇଁ ମଞ୍ଜୁର ହୋଇଥିବା ବାସଗୃହ ଓ ନିର୍ମାଣ ସରିଥିବା ଘର ସଂକ୍ରାନ୍ତରେ ସୂଚନା ଦେଇ ମନ୍ତ୍ରୀ କହିଛନ୍ତି ଯେ ମୟୁରଭଞ୍ଜ ଜିଲ୍ଲାକୁ ସର୍ବାଧିକ ୩,୫୦,୧୭୭ଟି ଘର ମଞ୍ଜୁର ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ଜିଲ୍ଲାରେ ୨,୯୧,୪୬୦ଟି ଘରର ନିର୍ମାଣ କାର୍ଯ୍ୟ ସରିଛି । ସେହିଭଳି କେନ୍ଦୁଝର ଜିଲ୍ଲାପାଇଁ ୧,୭୨,୪୮୭ଟି ଘର ମଞ୍ଜୁର ହୋଇଥିବାବେଳେ ଏଥି ମଧ୍ୟରୁ ୧,୫୨,୫୫୫ଟି ଘରର ନିର୍ମାଣ ସରିଛି ।
ଅନ୍ୟ ଆଦିବାସୀ ବହୁଳ ଜିଲ୍ଲା ମଧ୍ୟରେ ବାଲେଶ୍ୱର, କଳାହାଣ୍ଡି, ନବରଙ୍ଗପୁର ଓ ସୁନ୍ଦରଗଡରେ ଏକ ଲକ୍ଷରୁ ଅଧିକ କରି ଘର ମଞ୍ଜୁର ହୋଇଛି । ସବୁଠାରୁ କମ୍ ମାତ୍ର ୪୩,୩୬୨ଟି ଘର ମାଲକାନଗିରି ଜିଲ୍ଲାପାଇଁ ମଞ୍ଜୁର ହୋଇଥିବାବେଳେ ଏଥିରୁ ୩୫,୩୮୫ଟି ଘରର ନିର୍ମାଣ କାର୍ଯ୍ୟ ସରିଥିବା ଜଣାଯାଇଛି । ସେହିଭଳି ଗଜପତି ଜିଲ୍ଲାପାଇଁ ୪୩,୩୭୨ଟି ଘର ମଞ୍ଜୁର ହୋଇଥିବାବେଳେ ଏଥିରୁ ୩୩,୯୪୭ଟି ଘରର ନିର୍ମାଣ କାର୍ଯ୍ୟ ସମାପ୍ତ ହୋଇଛି ।
ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ସମସ୍ତଙ୍କୁ ବାସଗୃହ ଯୋଗାଣ ଲାଗି କେନ୍ଦ୍ର ସରକାର ୨୦୧୬ ମସିହାରେ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା (ଗ୍ରାମୀଣ)ର ଆରମ୍ଭ କରିଥିଲେ । ଗାଁ ଗହଳର ଲୋକଙ୍କଆବଶ୍ୟକତାକୁ ଦେଖି ସମସ୍ତ ସୁବିଧା ସହିତ ୨.୯୫ କୋଟି ଘର ଯୋଗାଇ ଦିଆଯାଇଥିଲା । ତେବେ କେନ୍ଦ୍ର କ୍ୟାବିନେଟ୍ ଏହି ଯୋଜନାର ଅବଧିକୁ ୨୦୨୪-୨୫ ରୁ ୨୦୨୮-୨୯ ପର୍ଯ୍ୟନ୍ତ ବଢାଇବା ସହିତ ଆଉ ୨ କୋଟି ଘର ମଞ୍ଜୁର କରିଛନ୍ତି ।
ଯୋଜନା କାର୍ଯ୍ୟକାରିତାର ତଦାରଖ ପାଇଁ ଆୱାସସଫ୍ଟ ଏବଂ ଆୱାସଆପ୍ ଇ-ଗଭର୍ଣ୍ଣାନ୍ସ ମଡେଲ ବ୍ୟବହାର କରାଯାଉଛି । ଏହା ଦ୍ୱାରା ଗାଁ ଗହଳରେ କେନ୍ଦ୍ରୀୟ ଯୋଜନାରେ କେତେ ଘର କେଉଁ ସମୟ ମଧ୍ୟରେ ନିର୍ମାଣ ହେଉଛି ତାହାର ସଠିକ ସୂଚନା ମିଳିପାରୁଛି । ହିତାଧିକାରୀମାନଙ୍କ ଇ-କେୱାସି ସହିତ ଆଧାର ଏବଂ ଏଆଇ ଆଧାରିତ ଯାଞ୍ଚ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି । (ତଥ୍ୟ)

