ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ସୂର୍ଯ୍ୟ ଘର ମୁକ୍ତ ବିଜୁଳି ଯୋଜନାର ବ୍ୟାପକ ପ୍ରଚାର ପ୍ରସାର ସତ୍ୱେ ଓଡିଶାରେ ବର୍ତ୍ତମାନ ସୁଦ୍ଧା ମାତ୍ର ୧୪୩୩ ଜଣ ଏହି ଯୋଜନାରେ ନିଜ ଘରର ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରିଛନ୍ତି । ଓଡିଶାରେ ଏହି ଯୋଜନାର କାର୍ଯ୍ୟକାରିତା ନେଇ ସଂସଦରେ ନୂତନ ଏବଂ ଅକ୍ଷୟଶକ୍ତି ଏବଂ ଶକ୍ତି ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ୟଶୋ ନାଏକ ରାଜ୍ୟସଭାରେ ଦେଇଥିବା ଉତ୍ତରରୁ ଏହା ଜଣାପଡିଛି ।
ବିଜେଡି ସାଂସଦ ନିରଞ୍ଜନ ବିଶିଙ୍କ ଏକ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ଜାନୁଆରୀ ୨୪ ତାରିଖ ସୁଦ୍ଧା ରାଜ୍ୟରେ ମାତ୍ର ୧୪୩୩ ଜଣ ଏହି ଯୋଜନାରେ ନିଜ ଘରର ଛାତ ଉପରେ ସୌର ପ୍ୟାନେଲ ଖଞ୍ଜିଛନ୍ତି । ତେବେ ଏହି ତାଲିକାରେ କନ୍ଧମାଳ ଜିଲ୍ଲାରେ ମାତ୍ର ଜଣେ ହିତାଧିକାରୀ ଅଛନ୍ତି । ରାୟଗଡା ଜିଲ୍ଲାରେ ୨ଜଣ ହିତାଧିକାରୀ ଘର ଉପରେ ସୌରଶକ୍ତି ପ୍ରକଳ୍ପ ବସାଇଥିବାବେଳେ ଜଗତ୍ସିଂହପୁର ଓ ବୌଦ୍ଧରେ ୩ଜଣ କରି ଏବଂ ଦେବଗଡ ଜିଲ୍ଲାରେ ୪ଜଣ ହିତାଧିକାରୀ ରହିଛନ୍ତି ।
ସବୁଠାରୁ ଅଧିକ ୬୨୮ ଜଣ ହିତାଧିକାରୀ ଖୋରଧା ଜିଲ୍ଲାରେ ଥିବାବେଳେକଟକରେ ୧୧୩, ଗଞ୍ଜାମରେ ୧୧୦, ସୁନ୍ଦରଗଡରେ ୧୦୨ ଜଣ ହିତାଧିକାରୀ ଅଛନ୍ତି । ସମ୍ବଲପୁରରେ ୫୩ଜଣ ଓ ବଲାଙ୍ଗିରରେ ୬୩ଜଣ ଅଧିକାରୀ ରହିଛନ୍ତି ।
ମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ଦେଶର ପ୍ରତି ଜିଲ୍ଲାରେ ଗୋଟିଏ ମଡେର ସୌର ଗ୍ରାମ ପ୍ରତିଷ୍ଠା ହେବ । ଏହାକୁ ଏକ ଆହ୍ୱାନ ଭାବେ ନେଇ କାର୍ଯ୍ୟ କରିବାକୁ ଗତବର୍ଷ ଅଗଷ୍ଟ ମାସରେ ମନ୍ତ୍ରାଳୟ ପକ୍ଷରୁ ମାର୍ଗଦର୍ଶିକା ପ୍ରସ୍ତୁତ ହୋଇଛି । ତେବେ ଓଡିଶା ବିଦ୍ୟୁତ୍ ନିୟାମକ ଆୟୋଗର ନିର୍ଦ୍ଦେଶାବଳୀ ଅନୁଯାୟୀ ହିତାଧିକାରୀମାନେ ସେମାନଙ୍କର ବଳିକା ସୌରଶକ୍ତିକୁ ବିଦ୍ୟୁତ୍ ବଣ୍ଟନକାରୀ କମ୍ପାନୀକୁ ବିକ୍ରି କରିବାର କୌଣସି ବ୍ୟବସ୍ଥା ନାହିଁ । ଏହି ସୌରଶକ୍ତିକୁ ଗ୍ରିଡ୍କୁ ପ୍ରଦାନ କରାଯିବ ଏ ବାବଦୀୟ ଅର୍ଥ ହିତାଧିକାରୀଙ୍କ ନିୟମିତ ବିଜୁଳି ବିଲ୍ରେ ଆଡଜଷ୍ଟ ହେବ ।
ତେବେ ସୌରଶକ୍ତି ଉପରେ ସଂସଦରେ ଅନ୍ୟଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି ଯେ ୨୦୨୬-୨୭ ବର୍ଷରେ ଦେଶର ଏକ କୋଟି ଘରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନର ଲକ୍ଷ୍ୟ ରଖାଯାଇଛି । ଏ ବାବଦରେ କେନ୍ଦ୍ର ସରକାର ୭୫ହଜାର କୋଟି ଟଙ୍କା ବ୍ୟୟ କରିବେ ଏବଂ ସେହିସବୁ ହିତାଧିକାରୀମାନେ ଆଗାମୀ ୨୫ବର୍ଷ ପର୍ଯ୍ୟନ୍ତ ଏହି ପ୍ରକଳ୍ପରୁ ବିଜୁଳି ପାଇପାରିବେ ।
ବର୍ତ୍ତମାନ ସୁଦ୍ଧା ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରିଥିବା ହିତାଧିକାରୀଙ୍କ ସଂଖ୍ୟା ଆନ୍ଧ୍ରପ୍ରଦେଶରେ ସର୍ବାଧିକ ରହିଛି । ଏହି ରାଜ୍ୟରେ ୧୦ହଜାରରୁ ଅଧିକ ହିତାଧିକାରୀ ଏହା ସ୍ଥାପନ କରିଥିବାବେଳେ ପଡୋଶୀ ପଶ୍ଚିମବଙ୍ଗରେ ଏହି ସଂଖ୍ୟା ୩୭୦ ଏବଂ ଝାଡଖଣ୍ଡରେ ୧୫୨ ରହିଛି । ତେବେ ଛତିଶଗଡରେ ପାଖାପାଖି ୧୭ଶହ ହିତାଧିକାରୀ ଏହି ଯୋଜନାରୁ ଲାଭ ଉଠାଇ ନିଜ ଘରର ଛାତ ଉପରେ ସୌରଶକ୍ତି ପ୍ରକଳ୍ପ ସ୍ଥାପନ କରିଥିବା ଜଣାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ସମଗ୍ର ଦେଶରେ ୮ଲକ୍ଷ ୪୬ହଜାରରୁ ଅଧିକ ଉପଭୋକ୍ତା ରହିଥିବା କେନ୍ଦ୍ରମନ୍ତ୍ରୀଙ୍କ ଉତ୍ତରରୁ ଜଣାପଡିଛି । (ତଥ୍ୟ)