Home Agriculture ପିଏମ୍‍-କିଷାନରୁ ଓଡିଶା ଚାଷୀ ପାଇଛନ୍ତି ୫୯୬୯ କୋଟି

ପିଏମ୍‍-କିଷାନରୁ ଓଡିଶା ଚାଷୀ ପାଇଛନ୍ତି ୫୯୬୯ କୋଟି

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‍-କିଷାନ) ଯାଜନାରେ କେନ୍ଦ୍ର ସରକାର ୩୯.୩୬ଲକ୍ଷରୁ ଅଧିକ କୃଷକଙ୍କ ପାଇଁ ୫୯୬୯.୬୧ କୋଟି ଟଙ୍କା ମଞ୍ଜୁର କରିଛନ୍ତି । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଲୋକସଭାରେ ଏହି ସୂଚନା ଦେଇଛନ୍ତି ।

କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ପିଏମ୍‍-କିଷାନ ଯୋଜନା ସମସ୍ତ ଜମି ଥିବା ଯୋଗ୍ୟ ଚାଷୀମାନଙ୍କୁ ରୋଜଗାର ସହାୟତା ଲକ୍ଷ୍ୟ ନେଇ ଆରମ୍ଭ ହୋଇଛି । ଜମିଦାର ଓ କରଜଦାତାମାନଙ୍କ କବଳରୁ ଚାଷୀଙ୍କୁ ରକ୍ଷା କରିବାପାଇଁ କେନ୍ଦ୍ର ସରକାର ଏହି ଯୋଜନା କରିଛନ୍ତି । ସମଗ୍ର ଦେଶରେ ୨୦୧୮ ଡିସେମ୍ବର ପହିଲାରୁ ଏହି ଯୋଜନା ଆରମ୍ଭ ହୋଇଛି । ଏଥିରେ ପ୍ରତ୍ୟେକ ଚାଷୀଙ୍କୁ ବର୍ଷକୁ ୩ଟି କିସ୍ତିରେ ୬୦୦୦ ଟଙ୍କାର ସହାୟତା ଯୋଗାଇ ଦିଆଯାଇଛି । ଏହି ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ୍‍ ଖାତାକୁ ସିଧାସଳଖ ପଠାଯାଉଛି ।

ଓଡିଶାରେ ଚଳିତବର୍ଷ ଫେବୃୟାରୀ ୩ତାରିଖ ସୁଦ୍ଧା ୩୯,୩୬,୭୩୧ ଚାଷୀଙ୍କ ପାଇଁ ୫୯,୬୯,୬୧,୦୦୦ ଟଙ୍କା ମଞ୍ଜୁର ହୋଇଥିବା କେନ୍ଦ୍ରମନ୍ତ୍ରୀ ଶ୍ରୀ ତୋମାର କହିଛନ୍ତି । ଏହି ସୂଚନା ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲାର ୨,୯୦,୭୧୭ ଚାଷୀଙ୍କ ପାଇଁ ସର୍ବାଧିଖ ୪୫୧.୪୩ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ସବୁଠାରୁ କମ୍‍ ଝାରସୁଗୁଡା ଜିଲ୍ଲାରେ ୩୭,୦୪୫ ଚାଷୀଙ୍କ ପାଇଁ ୫୯.୭୪ କୋଟି ଟଙ୍କା ମଞ୍ଜୁର ହୋଇଛି ।

ଅନୁରୂପ ଭାବେ ଅନୁଗୁଳର ୧,୫୦,୮୦୬ ଚାଷୀଙ୍କ ପାଇଁ ୨୨୨.୨୯ କୋଟି ଟଙ୍କା ମଞ୍ଜୁର ହୋଇଥିବାବେଳେ ବଲାଙ୍ଗିରର ୨,୧୦,୫୨୮ ଚାଷୀଙ୍କ ପାଇଁ ୩୨୫.୨୮କୋଟି ଟଙ୍କା, ବାଲେଶ୍ୱରର ୨,୪୨,୮୩୪ ଚାଷୀଙ୍କ ପାଇଁ ୩୬୭.୦୯ କୋଟି ଟଙ୍କା, ବରଗଡର ୧,୫୫,୨୩୯ ଚାଷୀଙ୍କ ପାଇଁ ୨୩୪.୭୪ କୋଟି ଟଙ୍କା, ଭଦ୍ରକର ୧,୫୨,୨୮୯ ଚାଷୀଙ୍କ ପାଇଁ ୨୨୩.୨୪ କୋଟି ଟଙ୍କା ଏବଂ ବୌଦର ୫୮,୪୪୯ ଚାଷୀଙ୍କ ପାଇଁ ୯୧.୧୨ କୋଟି ଟଙ୍କା ମଞ୍ଜୁର ହୋଇଛି ।

ସେହିଭଳି କେନ୍ଦ୍ର ସରକାର କଟକ ଜିଲ୍ଲାର ଚାଷୀଙ୍କ ପାଇଁ ୨୯୦.୨୭ କୋଟି, ଦେବଗଡ ଜିଲ୍ଲାର ଚାଷୀଙ୍କ ପାଇଁ ୬୭.୯୮ କୋଟି, ଢେଙ୍କାନାଳ ଜିଲ୍ଲାର ଚାଷୀଙ୍କ ପାଇଁ ୧୭୩.୧୧ କୋଟି, ଗଜପତି ଚାଷୀଙ୍କ ପାଇଁ ୯୧.୧୫କୋଟି, ଜଗତ୍‍ସିଂହପୁର ଜିଲ୍ଲାର ଚାଷୀଙ୍କ ପାଇଁ ୧୭୭.୧୪ କୋଟି, ଯାଜପୁର ଜିଳ୍ଲାର ଚାଷୀଙ୍କ ପାଇଁ ୨୨୧.୭୯ କୋଟି, କଳାହାଣ୍ଡି ଜିଲ୍ଲାର ଚାଷୀଙ୍କ ପାଇଁ ୨୩୦.୮୭ କୋଟି, କନ୍ଧମାଳ ଜିଲ୍ଲାର ଚାଷୀଙ୍କ ପାଇଁ ୧୪୦.୪୫ କୋଟି, କେନ୍ଦ୍ରାପଡା ଜିଲ୍ଲାର ଚାଷୀଙ୍କ ପାଇଁ ୨୧୯.୪୦ କୋଟି ଓ କେନ୍ଦୁଝର ଜିଲ୍ଲାର ଚାଷୀଙ୍କ ପାଇଁ ୩୩୭.୧୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି ।

ଖୋରଧା ଜିଲ୍ଲାର ଚାଷୀମାନେ ୧୩୩.୯୦ କୋଟି ଟଙ୍କା ପାଇଥିବାବେଳେ କୋରାପୁଟର ଚାଷୀମାନେ ୧୫୮.୭୫କୋଟି, ମାଲକାନଗିରିର ଚାଷୀମାନେ ୯୦.୧୧କୋଟି, ଗଞ୍ଜାମର ଚାଷୀମାନେ ୩୪୭.୬୯ କୋଟି, ନବରଙ୍ଗପୁରର ଚାଷୀମାନେ ୧୮୩.୦୧ କୋଟି, ନୟାଗଡର ଚାଷୀମାନେ ୧୩୬.୨୬କୋଟି ଏବଂ ନୂଆପଡାର ଚାଷୀମାନେ ୧୩୫.୨୬ କୋଟି ଟଙ୍କା ପାଇଛନ୍ତି ।

ଅନୁରୂପ ଭାବେ ପୁରୀ ଜିଲ୍ଲାର ଚାଷୀମାନେ ୨୪୨.୩୩ କୋଟି ଟଙ୍କା ପାଇଥିବାବେଳେ ରାୟଗଡାର ଚାଷୀମାନେ ୧୧୬.୦୧ କୋଟି ପାଇଛନ୍ତି । ସମ୍ବଲପୁର, ସୋନପୁର ଓ ସୁନ୍ଦରଗଡର ଯୋଗ୍ୟ ଚାଷୀମାନେ ଯଥାକ୍ରମେ ୧୨୪.୯୪ କୋଟି, ୧୦୩.୪୭କୋଟି ଏବଂ ୨୭୩.୫୬ କୋଟି ଟଙ୍କା କେନ୍ଦ୍ର ସରକାରଙ୍କ ପିଏମ୍‍-କିଷାନ ଯୋଜନାରେ ପାଇଥିବା ମନ୍ତ୍ରୀ ଉଲ୍ଲେଖ କରିଛନ୍ତି । (ତଥ୍ୟ)