Home Excise ପିଉଛନ୍ତି ୧୧୫ କୋଟି ପାଉଚ୍‍ ମଦ

ପିଉଛନ୍ତି ୧୧୫ କୋଟି ପାଉଚ୍‍ ମଦ

ଭୁବନେଶ୍ୱର : ମଦୁଆମାନଙ୍କ ଚାହିଦା ମେଣ୍ଟାଇବାପାଇଁ ସରକାର ଲାଇସେନ୍ସପ୍ରାପ୍ତ ଦୋକାନମାନଙ୍କ ଜରିଆରେ ବର୍ଷକୁ ପାଖପାଖି ୧୧୫ କୋଟି ପାଉଚ୍‍ ଦେଶୀମଦ ଓଡିଶାରେ ଯୋଗାଯାଉଛି । ଏହି ପରିମାଣ ବିଗତବର୍ଷମାନଙ୍କ ତୁଳନାରେ ବଢି ବଢି ଚାଲିଛି ।

ସରକାରୀ ତଥ୍ୟ ମୁତାବକ କେବଳ ୨୦୨୩-୨୪ ବର୍ଷରେ ୧୧୪,୯୨,୧୬,୫୧୫ ଟି ପାଉଚ୍‍ରେ ଦେଶୀମଦ ବିକ୍ରୟ ହୋଇଛି । ପ୍ରତି ପାଉଚ୍‍ରେ ୨୦୦ ମିଲିଲିଟର କରି ଦେଶୀମଦ ରଖାଯାଉଛି । କେବଳ ଗତବର୍ଷରେ ରାଜ୍ୟର ୨୨ଟି ଜିଲ୍ଲାରେ ୧୬,୪୧,୭୩୮ କୁଇଣ୍ଟାଲ ମହୁଆଫୁଲ ମଦ ତିଆରିପାଇଁ ବ୍ୟବହୃତ ହୋଇଛି । ଏହି ବର୍ଷରେ ୨୨,୯୮,୪୩,୩୦୩ ବିୟର ଲିଟର ଦେଶୀମଦ ଉତ୍ପାଦନ କରାଯାଇଥିଲା । ଏହାଛଡା ଆଉ ୬,୮୯,୫୨,୯୯୧ ଲଣ୍ଡନପ୍ରୁଫ୍‍ ଲିଟର ଦେଶୀମଦ ବି ଆମ ରାଜ୍ୟରେ ଉତ୍ପାଦିତ ହୋଇଥିବା ସରକାରୀ ତଥ୍ୟରୁ ଜଣାପଡିଛି ।

ବରଗଡ ଭଳି ଛୋଟିଆ ଜିଲ୍ଲାରେ ସର୍ବାଧିକ ୧୬,୮୯,୬୫,୩୦୦ ପାଉଚ୍‍ ଦେଶୀମଦ ବିକ୍ରୟ କରାଯାଇଥିବାବେଳେ କଳାହାଣ୍ଡିରେ ୧୨ଲକ୍ଷରୁ ଅଧିକ, ବଲାଙ୍ଗିରରେ ସାଢେ ୧୧ଲକ୍ଷ, ସମ୍ବଲପୁରରେ ୮.୭୦ଲକ୍ଷ, ଗଞ୍ଜାମରେ ୯.୩୯ଲକ୍ଷ, ଅନୁଗୁଳରେ ପାଖାପାଖି ୯ଲକ୍ଷ ପାଉଚ୍‍ ଦେଶୀମଦ ଯୋଗାଯାଇଛି ।

ରାଜ୍ୟରେ ମଦ ବନ୍ଦ କରିବାପାଇଁ କୌଣସି ଯୋଜନା ସରକାରଙ୍କର ନାହିଁ ବୋଲି ସଦ୍ୟ ସମାପ୍ତ ବିଧାନସଭା ଅଧିବେଶନକାଳରେ କୁହାଯାଇଛି । ବିହାର ଓ ଗୁଜୁରାଟରେ ସମ୍ପୂର୍ଣ୍ଣ ମଦ ବନ୍ଦ କରାଯାଇଥିବାବେଳେ ଓଡିଶାର ସୀମାନ୍ତବର୍ତ୍ତୀ ରାଜ୍ୟ ପଶ୍ଚିମବଙ୍ଗ, ଆନ୍ଧ୍ର, ଛତିଶଗଡ, ତେଲେଙ୍ଗାନା ଓ ଝାଡଖଣ୍ଡ ଆଦିରେ ସମ୍ପୂର୍ଣ୍ଣ ମଦ ବନ୍ଦହୋଇ ନଥିବାରୁ ସେସବୁ ରାଜ୍ୟରୁ ଚୋରା, ବେଆଇନ୍‍ ଓ ବିନା ଟିକସ ପଇଠରେ ଓଡିଶାକୁ ବେଆଇନ୍‍ ମଦ ଓ ମାଦକଦ୍ରବ୍ୟ ଆସିବାର ଆଶଙ୍କା ରହିଛି । ଏ ପରିପ୍ରେକ୍ଷୀରେ ଓଡିଶାର ଲୋକମାନଙ୍କ ସ୍ୱାସ୍ଥ୍ୟ, ଆର୍ଥିକ ସ୍ଥିତି ଓ ଧନଜୀବନ ହାନି ଘଟିବା ସମ୍ଭାବନାକୁ ଏଡାଇ ଦିଆଯାଇନପାରେ । ତେଣୁ ରାଜ୍ୟ ସରକାର ମଦ ଓ ମାଦକଦ୍ରବ୍ୟର ନିୟନ୍ତ୍ରଣ କରି ଲାଇସେନ୍ସପ୍ରାପ୍ତ ମଦଦୋକାନ ଜରିଆରେ ଉତ୍ତମ ଓ ନିରାପଦ ପାନୀୟ ଯୋଗାଇବା ବ୍ୟବସ୍ଥା କରୁଥିବା ସରକାର କହିଛନ୍ତି ।

ଏବେ ରାଜ୍ୟରେ ୧୫୮ଟି ଦେଶୀମଦ, ୧୦୩୦ଟି ବିଦେଶୀ ଠିପିବନ୍ଦ ମଦଦୋକାନ, ୧୫୧ଟି ବିଦେଶୀ ଠିପିଖୋଲା ମଦଦୋକାନ, ୪୮୯ଟି ମହୁଲି ଭାଟି ମଦଦୋକାନ ରହିଛି । ରାଜ୍ୟରେ ଥିବା ୧୭ଟି ଡ୍ୟାନ୍ସବାର୍‍ର ଏବର୍ଷ ନବୀକରଣ କରାଯାଇ ନାହିଁ । ୨୦୨୩-୨୪ ଆର୍ଥିକ ବର୍ଷରେ ମଦରୁ ବାର୍ଷିକ ୭୨୧୬ କୋଟି ଟଙ୍କା ରାଜସ୍ୱ ମିଳିଥିବାବେଳେ ଚଳିତ ଆର୍ଥିକ ବର୍ଷର ଗତମାସ ସୁଦ୍ଧା ଏଥିରୁ ୨୭୪୨ କୋଟି ଟଙ୍କା ରାଜସ୍ୱ ମିଳିଛି ।

ଓଡିଶାରେ ମଦ ତିଆରି ଓ ବୋତଲରେ ଭର୍ତ୍ତି ପାଇଁ ଅନ୍ୟୁନ ୨୫ଟି କାରଖାନା ରହିଛି । ମଦ ତିଆରିରେ ବ୍ୟବହୃତ ବିଭିନ୍ନ ଦ୍ରବ୍ୟର ଗୁଣ ଓ ମାନକୁ ବିଭାଗୀୟ ରସାୟନିକ ପରୀକ୍ଷାଗାରଗୁଡିକରେ ନିୟମିତ ଯାଞ୍ଚ କରାଯାଉଛି । ରାଜ୍ୟ ସରକାରଙ୍କ ସ୍ୱକାରୋକ୍ତି ଅନୁଯାୟୀ ବିଗତ ଦୁଇଟି ଆର୍ଥିକ ବର୍ଷରେ ବିଷାକ୍ତ ମଦ୍ୟପାନ କରି ଜଣେ ହେଲେ ଲୋକ ମରିଥିବାର ନଜିର ନାହିଁ । ତେବେ ଗଣମାଧ୍ୟମରେ ପ୍ରକାଶିତ ତଥ୍ୟ ମୁତାବକ ଚଳିତ ଆର୍ଥିକ ବର୍ଷରେ କେବଳ ଚିକିଟି ମଦମୃତ୍ୟୁ ଦୁର୍ଘଟଣାରେ ଅନ୍ୟୁନ ୫ଜଣ ମରି ସାରିଲେଣି । (ତଥ୍ୟ)