Home Administration ପିଇଓ ନଥିବାରୁ ବିକାଶ ଧିମା

ପିଇଓ ନଥିବାରୁ ବିକାଶ ଧିମା

ଭୁବନେଶ୍ୱର : ପଞ୍ଚାୟତ ସ୍ତରରେ ବିକାଶମୂଳକ କାର୍ଯ୍ୟ ମୁଖ୍ୟତଃ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଉପରେ ନିର୍ଭର କରୁଥିବାବେଳେ ସମସ୍ତ ପଞ୍ଚାୟତରେ ଜଣେ କରି ପିଇଓ ନାହାନ୍ତି । ଦେଢ ହଜାରରୁ ଅଧିକ ପଞ୍ଚାୟତରେ ପିଇଓମାନେ ଅତିରିକ୍ତ ଦାୟିତ୍ୱରେ କାର୍ଯ୍ୟ ତୁଲାଉଥିବାରୁ ବିକାଶର ଗତି ମନ୍ଥର ହେବା ସହିତ ତଳ ସ୍ତରରେ ଅର୍ଥ ଖର୍ଚ୍ଚ ସହଜ ହେଉନାହିଁ ।

ଗାଁ ଗହଳରେ ଭିତ୍ତିଭୂମି ବିକାଶ ଠାରୁ ଆରମ୍ଭକରି ଭତ୍ତା ପ୍ରଦାନ ପର୍ଯ୍ୟନ୍ତ ସବୁ କାର୍ଯ୍ୟରେ ପିଇଓମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ତେବେ ସବୁ ପଞ୍ଚାୟତରେ ନିୟମିତ ପିଇଓ ନାହାନ୍ତି । ଦେଢ ହଜାରରୁ ଅଧିକ ପଞ୍ଚାୟତରେ ପିଇଓମାନେ ଅତିରିକ୍ତ ଭାବେ ଦାୟିତ୍ୱ ତୁଲାଉଛନ୍ତି । ଏମାନେ କେଉଁଦିନ କେଉଁ ପଞ୍ଚାୟତରେ କାର୍ଯ୍ୟ କରୁଛନ୍ତି ତାହା ସାଧାରଣ ଲୋକେ ତ ଦୂରରକଥା ଖୋଦ ସରପଞ୍ଚମାନେ ଜାଣିପାରୁ ନାହାନ୍ତି । ଜଣେ ଜଣେ ପିଇଓ ତ ଦୁଇରୁ ଅଧିକ ପଞ୍ଚାୟତ ଦାୟିତ୍ୱରେ ରହୁଛନ୍ତି ।

କଟକ ଜିଲ୍ଲାର ୧୨୦ଟି ପଞ୍ଚାୟତ ଅତିରିକ୍ତ ପିଇଓଙ୍କ ହାତରେ ଚାଲିଥିବାବେଳେ ମୟୁଭଞ୍ଜ ଜିଲ୍ଲାରେ ଏହି ସଂଖ୍ୟା ୯୦, ଯାଜପୁରରେ ୮୧, ଖୋରଧାରେ ୮୦, କେନ୍ଦ୍ରାପଡାରେ ୭୨, ନବରଙ୍ଗପୁରରେ ୭୦, ଭଦ୍ରକରେ ୬୬, ଜଗତ୍‍ସିଂହପୁର ଜିଲ୍ଲାରେ ୬୫ ରହିଛି । ସବୁ ଜିଲ୍ଲାରେ ଏକାଧିକ ପଞ୍ଚାୟତ ଅତିରିକ୍ତ ପିଇଓଙ୍କ ହାତରେ ଚାଲିଥିବା ଦେଖିବାକୁ ମିଳୁଛି ।

ଅତିରିକ୍ତ ଦାୟିତ୍ୱରେ ଥିବା ପିଇଓମାନଙ୍କର ଅଧିକାଂଶ ସମୟ ରାସ୍ତାରେ ଯାଉଥିବା ନେଇ ମଧ୍ୟ ଅଭିଯୋଗ ହେଉଛି । ଏ ପଞ୍ଚାୟତରୁ ସେ ପଞ୍ଚାୟତ ଧାଇଁ ଧାଇଁ ବେଳ ଯାଉଛି । ଅତିରିକ୍ତ ଦାୟିତ୍ୱ ପାଇଁ ସବୁଠାରୁ ଅଧିକ ହଇରାଣ ହେଉଛନ୍ତି ଭତ୍ତାଧାରୀମାନେ । ଅନେକ ସ୍ଥାନରେ ଭତ୍ତା ପାଇଁ ଆବେଦନ କିମ୍ବା ଅଭିଯୋଗ କରିବାକୁ ପିଇଓଙ୍କର ଦେଖାଦର୍ଶନ ମିଳୁନାହିଁ । ଗାଁ ଗହଳର ଲୋକେ କାମଧନ୍ଦା ଛାଡି ସେମାନଙ୍କୁ ଅପେକ୍ଷା କରୁଛନ୍ତି ।

ଏହାଛଡା ଶତାଧିକ ପିଇଓଙ୍କ ବିରୁଦ୍ଧରେ ବିଭାଗୀୟ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଚାଲିଛି । କଳାହାଣ୍ଡିରେ ଏମାନଙ୍କ ସଂଖ୍ୟା ୨୮ ଥିବାବେଳେ ନବରଙ୍ଗପୁର ଜିଲ୍ଲାରେ ୨୫, କନ୍ଧମାଳ ଜିଲ୍ଲାରେ ୨୪, ମୟୁରଭଞ୍ଜରେ ୨୨, ନୟାଗଡ ଓ ବାଲେଶ୍ୱର ଓ ସୁବର୍ଣ୍ଣପୁରରେ ୧୭କରି ରହିଛି । ତେବେ ଭଦ୍ରକ ଓ ମାଲକାନଗିରି ଜିଲ୍ଲାରେ କୌଣସି ପିଇଓଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନଥିବା ଜଣାଯାଇଛି ।

ପୂର୍ବ ସରକାର ସମୟରେ ଏହି ପ୍ରସଙ୍ଗ ବାରମ୍ବାର ଉଠିଥିଲେ ମଧ୍ୟ ନୂତନ ପିଇଓ ନିଯୁକ୍ତ ବଦଳରେ ଏକାଧିକ ପଞ୍ଚାୟତରେ କାମଚଳା ବ୍ୟବସ୍ଥା ହୋଇଥିଲା । ବର୍ତ୍ତମାନ ନୂଆ ସରକାର କେବେ ସୁଦ୍ଧା ପ୍ରତି ପଞ୍ଚାୟତରେ ଜଣେ କରି ପିଇଓ ନିଯୁକ୍ତି କରିବେ ତାହା ଉପରେ ସମସ୍ତଙ୍କ ନଜର । (ତଥ୍ୟ)