Home Agriculture ପିଆଜ ଚିନ୍ତା ବଢିଲା

ପିଆଜ ଚିନ୍ତା ବଢିଲା

ଭୁବନେଶ୍ୱର : ରାଜ୍ୟରେ ଆଳୁ ସଙ୍କଟ ସମସ୍ୟାରୁ ଧିରେ ଧିରେ ଆଶ୍ୱସ୍ତି ମିଳୁଥିବାବେଳେ ଏବେ ପିଆଜ ଚିନ୍ତା ପଢିବାରେ ଲାଗିଛି । ଦୁଇ ଦିନ ହେଲା ନାସିକରୁ ପିଆଜ ଆସିବା ବନ୍ଦ ହୋଇ ଏହାର ଦର ବଢି ଚାଲିଛି ।

ପଶ୍ଚିମବଙ୍ଗରୁ ଆଳୁ ଆସିବା ବନ୍ଦ ହେବାପରେ ରାଜ୍ୟରେ ଆଳୁ ସଙ୍କଟ ଦେଖାଦେଇଥିଲା । ଆଳୁର କିଲୋପିଛା ଦର ଖୁଚୁରା ବଜାରରେ ୬୦ ଟଙ୍କା ଛୁଇଁଥିବାବେଳେ ସ୍ଥିତିର ମୁକାବିଲା ପାଇଁ ରାଜ୍ୟ ସରକାର ଉତ୍ତରପ୍ରଦେଶ ଓ ଦିଲ୍ଲୀରୁ ଆଳୁ ଆଣିଥିଲେ । ଏବେ ପଶ୍ଚିମବଙ୍ଗରୁ ଆଳୁ ଆସିବା ସହିତ ରାଜଧାନୀର ଆଳୁ ଗଦିରେ କିଲୋପିଛା ଦର ୨୭ ଟଙ୍କା ରହିଛି । ରାଜ୍ୟ ସରକାର ମଧ୍ୟ ଉତ୍ତରପ୍ରଦେଶ ଓ ଦିଲ୍ଲୀରୁ ଆଣିଥିବା ଆଳୁକୁ ଡିଲରମାନଙ୍କ ଜରିଆରେ ୧୦୦ ଟଙ୍କାରେ ୩କିଲୋ କରି ବିକୁଛନ୍ତି ।

ଆଳୁ ଦର ବୃଦ୍ଧିରେ ସରକାର ବ୍ରେକ୍‍ ଲଗାଇଥିବାବେଳେ ପିଆଜ ଦର କିନ୍ତୁ କିଲୋପିଛା ୫୦ ଟଙ୍କା ଛୁଇଁଲାଣି । ମିଳିଥିବା ସୂଚନା ଅନୁଯାୟୀ ଦୁଇ ଦିନ ହେଲା ପିଆଜ ମଣ୍ଡି ମହାରାଷ୍ଟ୍ରର ନାସିକୁ ଓଡିଶାକୁ ପିଆଜ ଆସିବା ଅଟକି ଯାଇଛି । ଫଳରେ ଦର ବଢି ଚାଲିଛି । ପାଇକାରୀ ବଜାରରେ ଏହାର କିଲୋପିଛା ଦର ୪୦ ଟଙ୍କା ପାଖପାଖି ହୋଇଗଲାଣି ।

ତେବେ ଯାହା ସୂଚନା ମିଳୁଛି ନାସିକରୁ କିଭଳି ଶୀଘ୍ର ପିଆଜ ଆସି ପହଞ୍ଚିବ ସେଥିପାଇଁ କର୍ତ୍ତୃପକ୍ଷ ଜୋରଦାର ଉଦ୍ୟମ ଚଳାଇଛନ୍ତି । ଦିନେ ଦୁଇ ଦିନ ମଧ୍ୟରେ ଏହି ସମସ୍ୟାର ସମାଧାନ ନେଇ କର୍ତ୍ତୃପକ୍ଷ ଆଶାବାଦୀ ଅଛନ୍ତି । ଯଦି ନାସିକରୁ ପିଆଜ ଆସିବାରେ ବିଳମ୍ବ ହେବ ତେବେ ଓଡିଶାରେ ଆଳୁ ଭଳି ସ୍ଥିତି ଉପୁଜିିବ ବୋଲି ବ୍ୟବସାୟୀମାନେ କହୁଛନ୍ତି ।

ଉଲ୍ଲେଖନୀୟ ଯେ ପ୍ରାୟ ପ୍ରତିବର୍ଷ ଆଳୁ ଓ ପିଆଜକୁ ନେଇ ରାଜ୍ୟରେ ଏଭଳି ସମସ୍ୟା ଲାଗି ରହୁଛି । ଉଭୟ ଅତ୍ୟାବଶ୍ୟକ ସାମଗ୍ରୀରେ ଆମେ ସ୍ୱାବଲମ୍ବି ନହେବା ଫଳରେ ଏଭଳି ଦଶା ଭୋଗିବାକୁ ପଡୁଛି । ବର୍ଷକୁ ଆମ ରାଜ୍ୟପାଇଁ ପ୍ରାୟ ୧୪ଲକ୍ଷ ମେଟ୍ରିକ ଟନ୍‍ ଆଳୁ ଆବଶ୍ୟକ ହେଉଥିବାବେଳେ ଆମର ଫଳୁଛି ୩ଲକ୍ଷ ମେଟ୍ରିକ ଟନ୍‍ରୁ କମ୍‍ । ତେଣୁ ବର୍ଷସାରା ଆଳୁ ପାଇଁ ଆମେ ମୁଖ୍ୟତଃ ପଡୋଶୀ ପଶ୍ଚିମବଙ୍ଗ ଭଳି ରାଜ୍ୟ ଉପରେ ନିର୍ଭରଶୀଳ । ଓଡିଶାକୁ ଲାଗିଥିବା ପଶ୍ଚିମବଙ୍ଗର ପାଞ୍ଚଟି ଜିଲ୍ଲାର ଚାଷୀମାନେ ଓଡିଶାର ଆଳୁ ବଜାରକୁ ନିୟନ୍ତ୍ରଣ କରୁଛନ୍ତି । ରାଜ୍ୟ ସରକାର କୋଟି କୋଟି ଟଙ୍କା ବ୍ୟୟରେ ଆଳୁ ମିଶନ ଜରିଆରେ ଓଡିଶାକୁ ଆଳୁ କ୍ଷେତ୍ରରେ ସ୍ୱାବଲମ୍ବୀ ପାଇଁ ଯେଉଁ ଯୋଜନା କରିଥିଲେ ତାହା ଫେଲ୍‍ ମାରିଛି ।

ସେହିଭଳି ରାଜ୍ୟରେ ବାର୍ଷିକ ପ୍ରାୟ ୪ଲକ୍ଷ ମେଟ୍ରିକ ଟନ୍‍ ପିଆଜ ଆବଶ୍ୟକ ହେଉଛି । ଓଡିଶାର ଚାଷୀମାନେ ପାଖାପାଖି ସେତିକି ପିଆଜ ବି ଫଳାଉଛନ୍ତି । ହେଲେ ସଂରକ୍ଷଣର ଅଭାବ ଯୋଗୁଁ ଅମଳ ସମୟରେ ଓଡିଶାର ପିଆଜ ଅନ୍ୟ ରାଜ୍ୟକୁ ଚାଲିଯାଉଥିବାବେଳେ ଓଡିଶା ବର୍ଷସାରା ପିଆଜ ପାଇଁ ମହାରାଷ୍ଟ୍ରର ନାସିକ ଉପରେ ନିର୍ଭରଶୀଳ । ସେଠାକାର ପିଆଜ ବ୍ୟବସାୟୀମାନେ ଓଡିଶାର ପିଆଜ ବଜାରକୁ ବର୍ଷସାରା ନିୟନ୍ତ୍ରଣ କରୁଛନ୍ତି ।

ସରକାର ତ୍ୱରିତ ପଦକ୍ଷେପ ଯୋଗୁଁ ରାଜ୍ୟର ଖାଉଟିମାନେ ଆଳୁ ସମସ୍ୟାରୁ ମୁକୁଳିଥିବାବେଳେ ପିଆଜ ଦର ଯେଭଳି ବଢିବାରେ ଲାଗିଛି ତାହା ଆଗମୀ ଦିନରେ କି ପ୍ରକାର ସ୍ଥିତି ଉପୁଜଯାଇବ ତାହା ଉପରେ ଏବେ ସମସ୍ତଙ୍କ ନଜର । (ତଥ୍ୟ)