ଭୁବନେଶ୍ୱର : ଖାଉଟିମାନଙ୍କ ଚାହିଦା ତୁଳନାରେ ରାଜ୍ୟରେ ଅଧିକ ପିଆଜ ଉତ୍ପାଦନ ହେଉଛି । ତେବେ ରବି ଋତୁରେ ଉତ୍ପାଦିତ ହେଉଥିବା ଏହି ପିଆଜକୁ ସାଇତି ରଖାଯାଇ ପାରୁନଥିବାରୁ ରାଜ୍ୟ ବାହାରୁ ପିଆଜ ଆମଦାନୀ କରିବାକୁ ପଡୁଛି ।
ରାଜ୍ୟରେ ପିଆଜ ଉତ୍ପାଦନ ନେଇ ବିଜପି ବିଧାୟକ ମୋହନ ଚରଣ ମାଝି ପଚାରିଥିବା ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ଖାଉଟିମାନଙ୍କ ଚାହିଦା ତୁଳନାରେ ବି ଋତୁରେ ଅଧିକପିଆଜ ଉତ୍ପାଦିତ ହେଉଛି । ୨୦୧୫-୧୬ ବର୍ଷରେ ରାଜ୍ୟରେ ୩.୭୮ ଲକ୍ଷ ମେଟ୍ରିକ ଟନ୍ ପିଆଜ ଉତ୍ପାଦନ ହୋଇଥିବାବେଳେ ୨୦୨୦-୨୧ ବର୍ଷରେ ଏହା ୩.୫୦ଲକ୍ଷ ଟନ୍ ହୋଇଥିଲା । ତେବେ ୨୦୨୧-୨୨ରେ ପିଆଜ ଉତ୍ପାଦନ ୩.୬୮ଲକ୍ଷ ମେଟ୍ରିକ ଟନ୍ ହୋଇଥିଲା ।
ମନ୍ତ୍ରୀ କହିଛନ୍ତି ଯେ ରବି ଋତୁରେ ଅଧିକ ପିଆଜ ଉତ୍ପାଦନ ହୋଇଥାଏ । ଏହାକୁ ବର୍ଷସାରା ସାଇତି ରଖାଯାଇ ପାରେ ନାହିଁ । ସେଥିପାଇଁ ବାହାର ରାଜ୍ୟରୁ ପିଆଜ ଆମଦାନୀ ହେଉଛି । ପିଆଜକୁ ସାଇତି ରଖି ଆମଦାନୀ ହ୍ରାସ ଲାଗି ଜାତୀୟ ଉଦ୍ୟାନ କୃଷି ମିଶନ ଯୋଜନାରେ ୨୫ ଟନ୍ ପିଆଜ ସାଇତା ଗୃହ ପାଇଁ ଶତକଡା ୫୦ଭାଗ ବା ସର୍ବାଧିକ ୮୭,୫୦୦ ଟଙ୍କାର ରିହାତି ପ୍ରଦାନ କରାଯାଉଛି ।
ସେହିଭଳି ଖରିଫ ଋତୁରେ ଅଧିକ ପିଆଜ ଚାଷ ପାଇଁ ରାଜ୍ୟ ଯୋଜନାରେ ସରକାର ହେକ୍ଟର ପିଛା ୫୮ହଜାର ଟଙ୍କାର ସହାୟତା ପ୍ରଦାନ କରୁଛନ୍ତି । ରବି ଋତୁରେ ଅଧିକ ପିଆଜ ଚାଷପାଇଁ ମଧ୍ୟ ଅନୁରୂପ ପରିମାଣର ସହାୟତା ଯୋଗାଇ ଦିଆଯାଉଛି । ଏହାଛଡା ସମବାୟ ବିଭାଗ ତରଫରୁ ଅଧିକ ପିଆଜ ଉତ୍ପାଦନ ହେଉଥିବା ଅଞ୍ଚଳରେ ପିଆଜ ସାଇତି ରଖିବାପାଇଁ ମଧ୍ୟମରୁ ବଡ ଧରଣର ପିଆଜ ସାଇତା ଗୃହତିଆରି ପାଇଁ ପ୍ରଚେଷ୍ଟା ଜାରି ରହିଛି । (ତଥ୍ୟ)