Home Agriculture ପିଆଜର ଉତ୍ପାଦନ ବଢୁଛି

ପିଆଜର ଉତ୍ପାଦନ ବଢୁଛି

ଭୁବନେଶ୍ୱର : ପିଆଜ ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ବଳକା ରାଜ୍ୟରେ ପରିଣତ ହୋଇଥିବାସ୍ଥଳେ ଉତ୍ପାଦିତ ପିଆଜର ସଂରକ୍ଷଣ ଓ ପରିଚାଳନା କ୍ଷେତ୍ରରେ ଲାଗି ରହିଥିବା ତ୍ରୁଟିବିଚ୍ୟୁତି ଯୋଗୁ ଓଡ଼ିଶାକୁ ମହାରାଷ୍ଟ୍ର, ଆନ୍ଧ୍ର ସମେତ ଅନ୍ୟ ରାଜ୍ୟମାନଙ୍କ ଉପରେ ନିର୍ଭର କରିବାକୁ ପଡୁଛି ।

ରାଜ୍ୟରେ ଗତ ରବି ଋତୁରେ ଉତ୍ପାଦିତ ପିଆଜକୁ ଚାଷୀମାନେ ଯାଚି ଗୁଞ୍ଜି କିଲୋ ୫ରୁ ୧୦ଟଙ୍କା ଦରରେ ବେପାରୀଙ୍କ ହାତରେ ଟେକି ଦେଇଥିବାବେଳେ ଏବେ ସେହି ଚାଷୀମାନେ ପଖାଳ ଖାଇବା ପାଇଁ କିଲୋ ୬୦ରୁ ୭୦ଟଙ୍କାରେ ଖୋଲା ବଜାରରୁ କିଣିବାକୁ ବାଧ୍ୟ ହେଉଛନ୍ତି । ସତେଯେମିତି ପିଆଜ ନାଁ ଶୁଣିଲେ ଲୋକଙ୍କ ଆଖିରୁ ଲୁହ ଝରୁଛି ।

ଓଡ଼ିଶାର ପିଆଜ ଚାହିଦା ବର୍ଷକୁ ପ୍ରାୟ ୩ଲକ୍ଷ ୭୫ ହଜାର ମେଟ୍ରିକ୍‍ଟନ୍‍ । କୃଷି ବିଶେଷଜ୍ଞମାନେ କହୁଛନ୍ତି ଯେ ଓଡ଼ିଶାରେ ଏବେ ବାର୍ଷିକ ୪ଲକ୍ଷ ମେଟ୍ରିକ୍‍ଟନ୍‍ରୁ ଅଧିକ ପିଆଜ ଉତ୍ପାଦନ ହେଉଛି । ଉତ୍ପାଦିତ ପିଆଜର ମୁଖ୍ୟାଶଂ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ କିଣି ନେଉଥିବାବେଳେ ଚାହିଦା ମେଣ୍ଟାଇବା ପାଇଁ ଓଡ଼ିଶାକୁ ବାର୍ଷିକ ୨ଲକ୍ଷ ମେଟ୍ରିକ୍‍ଟନ୍‍ରୁ ଅଧିକ ପିଆଜ ଆଣିବାକୁ ପଡୁଛି । ଓଡ଼ିଶାର ଅବିଭକ୍ତ କୋରାପୁଟ, ବଲାଙ୍ଗୀର, ଫୁଲବାଣୀ, କଳାହାଣ୍ଡି, ଢେଙ୍କାନାଳ, ସମ୍ବଲପୁର, ସୁନ୍ଦରଗଡ଼, କେନ୍ଦୁଝର ଆଦି ଜିଲ୍ଲାରେ ଭଲ ପିଆଜ ଉତ୍ପାଦିତ ହୋଇଥାଏ । ଅନ୍ୟ ଜିଲ୍ଲାରେ ବି ଚାଷୀମାନେ ପିଆଜ ଚାଷ କରନ୍ତି ।

ମହାରାଷ୍ଟ୍ରର ନାସିକ୍‍ ଅଞ୍ଚଳରେ ବର୍ଷରେ ୩ ଥର ପିଆଜ ଚାଷ ହେଉଥିବାବେଳେ ଓଡ଼ିଶାରେ କିନ୍ତୁ କେବଳ ଶୀତଦିନେ ପିଆଜ ଚାଷ ହେଉଛି । ରାଜ୍ୟର ପାହାଡିଆ ଅଞ୍ଚଳ ଓ କମ୍‍ ବୃଷ୍ଟିପାତ ଅଞ୍ଚଳରେ ଏମିତିକି ଉପକୂଳବର୍ତ୍ତୀ ଜିଲ୍ଲାର ଢିପ ଜମିରେ ବି ବର୍ଷରେ ଏକାଧିକ ବାର ପିଆଜ ଚାଷ କରାଯାଇପାରିବ ବୋଲି କୃଷି ବିଜ୍ଞାନୀମାନେ ମତ ଦେଉଛନ୍ତି । ଏହାଛଡ଼ା ଉତ୍ପାଦିତ ପିଆଜ ସବୁକୁ ସରକାର ବିଭିନ୍ନ ସଂସ୍ଥା ମାଧ୍ୟମରେ କିଣିନେଇ ସଂରକ୍ଷିତ କରି ରଖିଲେ ଚାଷୀ ଉପଯୁକ୍ତ ମୂଲ୍ୟ ପାଇବା ସହିତ ଖାଉଟୀମାନେ ବି ପିଆଜ ଯନ୍ତ୍ରଣାରୁ ମୁକ୍ତି ପାଆନ୍ତେ ।

ଅବଶ୍ୟ ଭାରତ ସରକାରଙ୍କ ନାଫେଡ୍‍ ସଂସ୍ଥା ଚାଷୀମାନଙ୍କଠାରୁ ବାଛି ବାଛି ଉନ୍ନତମାନର ପିଆଜରୁ କିଛି ଉତ୍ପାଦନ ସମୟରେ କିଣି ନେଉଛି । ତେବେ ବ୍ୟବସାୟୀମାନେ ଅଭିଯୋଗ କରୁଛନ୍ତି ଯେ ଛୋଟ ବ୍ୟବସାୟୀମାନଙ୍କୁ ନାଫେଡ୍‍ ପିଆଜ ନ ଯୋଗାଇ ପ୍ରାୟତଃ କର୍ପୋରେଟ୍‍ ସଂସ୍ଥାମାନଙ୍କୁ ସୁହାଇବା ଭଳି ଅଧିକ ପରିମାଣର ପିଆଜ ଯୋଗାଉଥିବାରୁ ସେମାନେ ସାଧାରଣ ଲୋକଙ୍କ ତଣ୍ଟି ଚିପି କୃତ୍ରିମ ଦରବୃଦ୍ଧି ଘଟାଇ ବେଶ୍‍ ମୁନାଫା ଉଠାଉଛନ୍ତି ।

ଓଡ଼ିଶାରେ ଆଗରୁ ପ୍ରଚୁର ପରିମାଣରେ ଦେଶୀ କୋଲା ପିଆଜ ଉତ୍ପାଦିତ ହେଉଥିଲା ଏବଂ ଏହା ଅଧିକ ଦିନ ପର୍ଯ୍ୟନ୍ତ ସଂରକ୍ଷିତ ହୋଇ ରହିପାରୁଥିଲା । ପିଆଜ କୋଲା ପୋତି ଘର ବାରିରେ ବି ଲୋକେ ଉତ୍ପାଦନ କରିପାରୁଥିଲେ । କିନ୍ତୁ ଓଲି ପିଆଜ ଚାଷକୁ ପ୍ରୋତ୍ସାହନ ଦିଆଯିବାପରେ କୋଲା ପିଆଜ ଚାଷ କମିଯାଇଛି । ତେବେ କେତେକ ରାଜ୍ୟରେ ପିଆଜ କିଲୋ ଶହେ ଟଙ୍କାରେ ପହଞ୍ôଚଥିବା ଖବର ପ୍ରକାଶ ପାଉଥିବାରୁ ଓଡ଼ିଶାରେ ବି ଦର ଆହୁରି ବଢିବା ଆଶଙ୍କା କରାଯାଉଛି । ଅବଶ୍ୟ ରାଜଧାନୀ ଭୁବନେଶ୍ୱର ସମେତ ଆଉ କେତେକ ଅଞ୍ଚଳରେ ନାଫେଡ୍‍ ଶସ୍ତାରେ ପିଆଜ ଯୋଗାଉଛି । କିନ୍ତୁ ଏହା ସମୁଦ୍ରକୁ ଶଙ୍ଖେ ଭଳି । ନାଫେଡ୍‍ ଯଦି କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଶସ୍ତାରେ ପିଆଜ ଯୋଗାନ୍ତା ଓ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତାହାର ମୂଲ୍ୟବୃଦ୍ଧି ଓ ଅନ୍ୟାନ୍ୟ କଳା କାରବାର ଉପରେ ନଜର ରଖନ୍ତେ ତେବେ ପିଆଜ ଦର ୩୦ ଟଙ୍କା ଭିତରେ ସୀମିତ ରହିପାରନ୍ତା ବୋଲି ଛୋଟ ବ୍ୟବସାୟୀମାନେ କହୁଛନ୍ତି ।

ଅବଶ୍ୟ ବେଆଇନ ମହଜୁଦକାରୀ ଓ ଦରବୃଦ୍ଧିରୁ ଫାଇଦା ଉଠାଉଥିବା ଅସାଧୁ ବ୍ୟକ୍ତିବିଶେଷଙ୍କ ବିରୋଧରେ ରାଜ୍ୟ ସରକାରଙ୍କ ଯୋଗାଣ ବିଭାଗ ଇତିମଧ୍ୟରେ କଡ଼ା ଚେତାବନୀ ଦେଇଛି । ତେବେ ନାସିକ୍‍ ସମେତ ଅନ୍ୟ ସ୍ଥାନରୁ ନୂଆ ପିଆଜ ଆସିବା ପାଇଁ ଦେଢମାସରୁ ୨ ମାସ ସମୟ ଲାଗିବା ଆଶଙ୍କା କରାଯାଉଥିବାରୁ ଏହି ସମୟ ଭିତରେ ଦର ନିୟନ୍ତ୍ରଣ କରିବା କାଠିକର ପାଠ । କେବଳ ପିଆଜ ନୁହେଁ ଏବେ ବଜାରରେ ଜିରା କିଲୋ ହଜାରେ ଟଙ୍କା ଟପିଥିବାବେଳେ ହରଡ଼ ଡାଲି ୧୭୦ଟଙ୍କା, ଘଣାପେଡ଼ା ଶୋରିଷ ତେଲ ୩ଶହରୁ ୪ଶହ ଟଙ୍କା, ଦେଶୀ ଆଳୁ କିଲୋ ଶହେ ଟଙ୍କା ଓ ଆଳୁ ସମେତ ଅନ୍ୟ ପନିପରିବାର ଦର ଢେର୍‍ ଉଚ୍ଚା ରହୁଥିବାରୁ ଖାଉଟୀମାନଙ୍କୁ ବାଧୁଛି । (ତଥ୍ୟ)