Home Culture ପାଳନ ହେବ ୧୨୫ତମ ଜୟନ୍ତୀ

ପାଳନ ହେବ ୧୨୫ତମ ଜୟନ୍ତୀ

ଭୁବନେଶ୍ୱର : ମା’ ରମାଦେବୀ ଓ ଡକ୍ଟର ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନ ପାଇଁ ସରକାରୀ ଓ ବେସରକାରୀ ସ୍ତରରେ ପ୍ରସ୍ତୁତିପର୍ବ ଚାଲିଛି । ଏଠାରେ ଉଲ୍ଲେଖନୀୟ ଯେ ୧୮୯୯ ମସିହାର ଡିସେମ୍ବର ୩ତାରିଖରେ ରମାଦେବୀ ଜନ୍ମ ହୋଇଥିବାବେଳେ ସେହିବର୍ଷ ନଭେମ୍ବର ୨୧ତାରିଖରେ ହରେକୃଷ୍ଣ ମହତାବଙ୍କ ଜନ୍ମ ।

ସ୍ୱାଧୀନତା ଆନ୍ଦୋଳନରେ ଉଭୟଙ୍କର ବେଶ୍‍ ଯୋଗଦାନ ରହିଥିଲା । ଉଭୟଙ୍କ ପରିବାରର ବହୁ ସଦସ୍ୟ ସ୍ୱାଧୀନତା ଆନ୍ଦୋଳନ କାଳରେ କାରାବରଣ କରିଥିଲେ । ଏହି ଦୁଇ ଯୋଗଜନ୍ମା ପ୍ରାକ୍‍ ସ୍ୱାଧୀନତା କାଳରେ ରାଜ୍ୟ କଂଗ୍ରେସର ବାରମ୍ବାର ନେତୃତ୍ୱ ନେଇଥିଲେ । ତେବେ ମା’ ରମାଦେବୀ କ୍ଷମତା ରାଜନୀତିରୁ ଦୂରରେ ରହି ଗାନ୍ଧୀଜୀଙ୍କ ରଚନାତ୍ମକ କାର୍ଯ୍ୟକ୍ରମ, ବିନୋବା ଭାବେଙ୍କ ଭୂଦାନ ଆନ୍ଦୋଳନ ଓ ଜୟପ୍ରକାଶ ନାରାୟଣଙ୍କ ସମ୍ପୂର୍ଣ୍ଣକ୍ରାନ୍ତି ଆନ୍ଦୋଳନରେ ସମର୍ପିତ ଭାବେ କାର୍ଯ୍ୟକାରିବା ସହ ଉତ୍କଳ ଗୌରବ ମଧୁସୂଦନ ଓ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ନିକଟ ବଳୟରେ ମଧ୍ୟ କାମ କରିଥିଲେ ।

ମହତାବ କିନ୍ତୁ କଲେଜ ପାଠପଢା ଛାଡି ଅସହଯୋଗ ଆନ୍ଦୋଳନରେ ସାମିଲ ହୋଇଥିବାବେଳେ ରମାଦେବୀଙ୍କ ପତି ଗୋପବନ୍ଧୁ ଚୌଧୁରୀ ସରକାରୀ ଚାକିରିରୁ ଇସ୍ତଫା ଦେଇ ଓ ତାଙ୍କ ଦିଅର ନବକୃଷ୍ଣ ଚୌଧୁରୀ କଲେଜ ଛାଡି ଆନ୍ଦୋଳନରେ ସାମିଲ ହୋଇଥିଲେ । ପରବର୍ତ୍ତୀ ସମୟରେ ନବକୃଷ୍ଣଙ୍କ ପତ୍ନୀ ମାଳତୀ ଦେବୀ ଏବଂ ଏହି ପରିବାରର ସନ୍ତାନ ମନମୋହନ, ଅନ୍ନପୂର୍ଣ୍ଣ, ଉତ୍ତରା ଆଦି ମଧ୍ୟ ସ୍ୱାଧୀନତା ଆନ୍ଦୋଳନରେ ଝାସ ଦେଇଥିଲେ । ୧୯୨୨ରୁ ୧୯୪୨ ପର୍ଯ୍ୟନ୍ତ ବିଭିନ୍ନ ଆନ୍ଦୋଳନରେ ସକ୍ରିୟ ଅଂଶଗ୍ରହଣ କରି ମହତାବ ଜେଲ ଯାଇଥିବାବେଳେ ତାଙ୍କ ପତ୍ନୀ ସୁଭଦ୍ରା ଦେବୀ, ସାନଭାଇ ଗୋପୀନାଥ ଦାସ ଓ ଭଉଣୀ ମଇନା ବିବି ମଧ୍ୟ କାରାବରଣ କରିଥିଲେ ।

ଜରୁରୀ ପରିସ୍ଥିତିକୁ ଉଭୟ ପରିବାର ବିରୋଧ କରୁଥିଲେ ଏବଂ ଏଥିରେ ମହତାବଙ୍କ ସମେତ ମନମୋହନ ଚୌଧୁରୀ, ନବକୃଷ୍ଣ ଚୌଧୁରୀ, ମାଳତୀ ଦେବୀ ଆଦି କାରାବରଣ କରିଥିଲେ । ଡକ୍ଟର ମହତାବ ବିଭିନ୍ନ ସମୟରେ ବାଲେଶ୍ୱର ଜିଲ୍ଲା ବୋର୍ଡ ଠାରୁ ଆରମ୍ଭକରି ଓଡିଶା ବିଧାନସଭାର ସଦସ୍ୟ ହେବା ସହ ଓଡିଶାର ମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀ, ରାଜ୍ୟପାଳ ଆଦି ବିଭିନ୍ନ ଦାୟିତ୍ୱ ତୁଲାଇଥିଲେ ।

ଅନ୍ୟ ପକ୍ଷରେ ମା’ ରମାଦେବୀ ଗାନ୍ଧୀଜୀଙ୍କ ଦ୍ୱାରା ହରିଜନ ସେବକ ସଂଘ, କସ୍ତୁରବା ଗାନ୍ଧୀ ରାଷ୍ଟ୍ରୀୟ ସ୍ମାରକନିଧି ଆଦି ବିଭିନ୍ନ ଜାତୀୟ ସଂଗଠନରେ ସୁଚାରୁ ରୂପେ କାମ କରିବା ସହ ସେବା ଓ ସଂଗ୍ରାମର କ୍ଷେତ୍ରରେ ସ୍ୱତନ୍ତ୍ର ସ୍ୱାକ୍ଷର ଛାଡି ଯାଇଛନ୍ତି । ଏବେ ମହତାବଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଳନପାଇଁ ସରକାରୀ ସ୍ତରରେ ଉଦ୍ୟମ ଚାଲିଥିବାବେଳେ ମା’ ରମାଦେୀଙ୍କ ୧୨୫ତମ ଜନ୍ମବାର୍ଷିକୀ ପାଇଁ ବେସରକାରୀ ସ୍ତରରେ ଅଧିକ ଆଗ୍ରହ ପ୍ରକାଶ ପାଉଛି ।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ଦୁଇ ଯୋଗ ଜନ୍ମାଙ୍କ ପାଇଁ ସ୍ୱତନ୍ତ୍ର ଯୋଜନା ଘୋଷଣା କରିବାକୁ ବିଭିନ୍ନ ମହଲରୁ ପ୍ରସ୍ତାବ ଯାଉଛି । ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରି କେତେକ ଗାନ୍ଧୀବାଦୀ ନେତା ସ୍ୱତନ୍ତ୍ର ପ୍ରସ୍ତାବମାନ ଦେଇଛନ୍ତି । ତେବେ ସରକାରୀ ସ୍ତରରେ କିଭଳି ପ୍ରତିପାଳନ କରାଯିବ ସେ ସଂକ୍ରାନ୍ତରେ ଖୁବ୍‍ଶୀଘ୍ର ଘୋଷଣା ହୋଇପାରେ । ପୂର୍ବରୁ ମା’ ରମାଦେବୀଙ୍କ ନାମରେ ତଟରକ୍ଷୀ ବାହିନୀର ଏକ ଜାହାଜର ନାମକରଣ କରିଥିବାବେଳେ ତାଙ୍କ ନାମରେ ବି ଓଡିଶାର ପ୍ରଥମ ମହିଳା ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି । ଏହି ଦୁଇ ବିଶିଷ୍ଟ ବ୍ୟକ୍ତିଙ୍କ ସ୍ମାରକୀ ସହ ଜଡିତ ପୀଠଗୁଡିକରେ ବର୍ଷବ୍ୟାପି ଅନେକ କାର୍ଯ୍ୟକ୍ରମ ହେବାର ସୂଚନା ମିଳୁଛି । (ତଥ୍ୟ)