ଭୁବନେଶ୍ୱର : ଜୁନ୍ ୧୯ରେ ରାଜ୍ୟରେ ପାଳନ ହେବ ବିଶ୍ୱ ସିକଲ ସେଲ ରୋଗ ସଚେତନତା ଦିବସ । ଏଥି ସହିତ ଜୁନ୍ ୧୯ରୁ ଜୁଲାଇ ୩ ତାରିଖ ପର୍ଯ୍ୟନ୍ତ ୧୫ ଦିନ ଧରି ଏହି ପରିପ୍ରେକ୍ଷୀରେ ରୋଗ ପରୀକ୍ଷା(ସ୍କ୍ରିନିଂ) ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଜୁନ ୧୯ରେ ସୁନ୍ଦରଗଡରେ ରାଜ୍ୟସ୍ତରୀୟ ଓ ବିଭିନ୍ନ ଜିଲ୍ଲାରେ ଜିଲ୍ଲାସ୍ତରୀୟ ସିକିଲ ସେଲ ପରୀକ୍ଷା ଓ ସଚେତନତା ଶିବିର ଅନୁଷ୍ଠିତ ହେବା ପାଇଁ କାର୍ଯ୍ୟକ୍ରମ ସ୍ତିରୀକୃତ ହୋଇଛି ।
ସିକିଲ ସେଲ ଏକ ଜେନେଟିକ୍ ରୋଗ ଓ ଏହି ରୋଗ ହେଲେ ବ୍ୟକ୍ତି ବା ଶିଶୁକୁ ରକ୍ତହୀନତାର ସମ୍ମୁଖୀନ ହେବାକୁ ପଡିଥାଏ । ଏହାର ଚିହ୍ନଟ ଓ ରୋଗରୁ ରକ୍ଷା ପାଇବା ପାଇଁ ସଚେତନତା ଜରୁରୀ । ୨୦୪୭ ମସିହା ସୁଦ୍ଧା ଏହି ରୋଗର ଦୂରୀକରଣ ଲକ୍ଷ୍ୟ ରହିଛି । ଏହି ରୋଗ ଆମ ରାଜ୍ୟରେ ବିଶେଷ କରି ଜନଜାତି ବହୁଳ ଜିଲ୍ଲା ସମେତ ପ୍ରାୟ ୨୧ ଟି ଜିଲ୍ଲାରେ ଦେଖା ଦେଉଥିବା ଜଣାଯାଇଛି ।
ଏଥିପାଇଁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ମହିଳା ଓ ଶିଶୁ ବିକାଶ, ପଂଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକ ସଂପର୍କ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚଶିକ୍ଷା ବିଭାଗ, କ୍ରୀଡା ଓ ଯୁବ ସେବା ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଆଦିର ମିଳିତ ପ୍ରୟାସରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ପାଇଁ ସ୍ତିର କରାଯାଇଛି ।
ଏ ସଂପର୍କରେ ଏକ ସମନ୍ୱୟ ବୈଠକ ଆଜି ପୂର୍ବାହ୍ନରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମୁଖ୍ୟ ଶାସନ ସଚିବ ଶ୍ରୀ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ଉପରୋକ୍ତ ସଂପୃକ୍ତ ବିଭାଗର ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ, ନିର୍ଦ୍ଦେଶକ ଓ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ବୈଠକରୁ ଜଣାଯାଇଛି ଯେ, ଆସନ୍ତା କାଲି ଜୁନ୍ ୧୯ ତାରିଖରେ ସୁନ୍ଦରଗଡରେ ରାଜ୍ୟସ୍ତରୀୟ ସ୍କ୍ରିନିଂ ଓ ସଚେତନତା କାର୍ଯ୍ୟକ୍ରମ ଓ ଚିହ୍ନଟ ହୋଇଥିବା ଅନ୍ୟ ସମସ୍ତ ୨୦ ଟି ଜିଲ୍ଲାରେ ଜିଲ୍ଲାସ୍ତରୀୟ ସ୍କ୍ରିନିଂ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ସିକଲ ସେଲ ରୋଗ ସଂପର୍କରେ ସଚେତନତା ପାଇଁ ପ୍ରତ୍ୟେହ ବୈଦ୍ୟୁତିକ , ମୁଦ୍ରଣ ଓ ସାମାଜିକ ଗଣମାଧ୍ୟମ ଆଦିରେ ବହୁଳ ପ୍ରଚାର ପ୍ରସାର ହେବ । ପ୍ରତି ସ୍ୱାସ୍ଥ୍ୟ କେନ୍ଦ୍ର, ପଞ୍ଚାୟତ କାର୍ଯ୍ୟାଳୟ ଆଦି ଗୁଡିକରେ ପ୍ରଚାର ପତ୍ର ଲଗାଯିବ ।
ବିଦ୍ୟାଳୟ, ମହାବିଦ୍ୟାଳୟ , ଡାକ୍ତରଖାନା, ଗବେଷଣା ପ୍ରତିଷ୍ଠାନ, ପାରା-ମେଡିକାଲ ସଂସ୍ଥା ସମେତ ଆଶା, ସ୍ୱାସ୍ଥ୍ୟକର୍ମୀ, ‘ନିକ୍ଷୟ ମିତ୍ର’, ସ୍ଵେଚ୍ଛାସେବୀ ସଂଗଠନ, ବାୟୁବାହିତ ରୋଗ ନିୟନ୍ତ୍ରଣରେ ନିୟୋଜିତ ଅଧିକାରୀ, ଗ୍ରାମ ପଞ୍ଚାୟତଗୁଡିକର ସ୍ୱସ୍ଥ୍ୟ କମିଟିର ସକ୍ରିୟ ସହଯୋଗ ସହଯୋଗ ନିଆଯିବ । ବିଶେଷ କରି ଗର୍ଭବତୀ ମହିଳା ଓ ପ୍ରସୂତି ମା’ ମାନଙ୍କୁ ସିକେଲ ସେଲ ରୋଗର କାରଣ ଓ ଲକ୍ଷଣ ସଂପର୍କରେ ସଚେତନ କରାଯିବ ।
ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏହି ରୋଗର ପରୀକ୍ଷା ଓ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ ଗ୍ରହଣ କରାଯାଉଥିବା ସଂପର୍କରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତ ପ୍ରକାଶ କରିଥିଲେ । ୧୫ ଦିନ ଧରି ଏହି ସଚେତନତା କାର୍ଯ୍ୟକ୍ରମ ଅଭିଯାନ ପାଇଁ ସଂପୃକ୍ତ ବିଭାଗ ଓ ଜିଲ୍ଲାପାଳମାନଙ୍କ ସହ ଆବଶ୍ୟକ ସମନ୍ୱୟ ଓ ଯୋଗାଯୋଗ କରାଯାଇଥିବା ସଂପର୍କରେ ଏସଟି, ଏସ୍ସି ଉନ୍ନୟନ ବିଭାଗ , ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀମତୀ ରୂପାରୋଶନ ସାହୁ ପ୍ରକାଶ କରିଥିଲେ । ସୁନ୍ଦରଗଡ଼ରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟସ୍ତରୀୟ ମେଗା ସ୍ୱାସ୍ଥ୍ୟ ଶିବିରରେ ପ୍ରାୟ ୫୦୦୦ ଅଂଶଗ୍ରହଣକାରୀ ଯୋଗଦେବାକୁ ଥିବା ବେଳେ ପ୍ରଭାବିତ ଅନ୍ୟ ସମସ୍ତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ସ୍ୱାସ୍ଥ୍ୟ ଶିବିରରେ ୫00 ରୁ ୭00 ଅଂଶଗ୍ରହଣକାରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।
ମହିଳା ଶିଶୁ ବିକାଶ ବିଭାଗ ତରଫରୁ ଅଙ୍ଗନବାଡି କେନ୍ଦ୍ରରେ ଏହି ରୋଗ ପରୀକ୍ଷା ଓ ସଚେତନ କାର୍ଯ୍ୟକ୍ରମ, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ଜରିଆରେ ସ୍ୱୟଂସହାୟକ ଗୋଷ୍ଠୀ, ଗ୍ରାମ୍ୟ ସ୍ୱାସ୍ଥ୍ୟ ଓ ପରିମଳ କମିଟି ଜରିଆରେ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ, ପ୍ରତିଯୋଗିତା ଓ କର୍ମଶାଳା, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଉଚ୍ଚ ଶିକ୍ଷା ବିଭାଗ ଜରିଆରେ ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଗୁଡିକରେ ବିଭିନ୍ନ ପ୍ରତିଯୋଗିତା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ, ଆଲୋଚନା ଚକ୍ର, କ୍ରୀଡା ଓ ଯୁବସେବା ବିଭାଗ ଜରିଆରେ କ୍ରୀଡା ପ୍ରତିଯୋଗିତା, ଜାତୀୟ ସେବା ସଂସ୍ଥା (ଏନଏସଏସ), ନ୍ୟାସନାଲ ୟୁଥ୍ କର୍ପସ, ସ୍କାଉଡ୍, ଗାଇଡ୍ , ନେହେରୁ ଯୁବ କେନ୍ଦ୍ର, ଯୁବକ ସଂଘ, ମାଇଁ ଭାରତ ସ୍ୱେଚ୍ଛାସେବୀ ଆଦିଙ୍କର ସହଯୋଗ ନିଆଯାଇ ସଚେତନତାକୁ ବ୍ୟାପକ କରାଯିବ ।
ସେହିପରି କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତରଫରୁ କୃଷି ବିଜ୍ଞାନ କେନ୍ଦ୍ର, କୃଷକ ଉତ୍ପାଦକ ଗୋଷ୍ଠୀ, କୃଷି ବିଶ୍ୱବିଦ୍ୟାଳୟ ଆଦି ଗୁଡିକରେ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ର ସହାୟତାରେ ସ୍ୱାସ୍ଥ୍ୟ ଶିବିର ଓ ରୋଗ ପରୀକ୍ଷା(ସ୍କ୍ରିନିଂ) କରାଯିବ । ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ନୋଡାଲ ବିଭାଗ ଭାବେ ଏଥିପାଇଁ ଆବଶ୍ୟକ ସହଯୋଗ ଓ ସମନ୍ୱୟ କରିବ । ପ୍ରଚାର ପତ୍ର ବଣ୍ଟନ ସହ ଆଶ୍ରମ ସ୍କୁଲ ଓ ଏକଲବ୍ୟ ମଡେଲ ଆବାସିକ ସ୍କୁଲଗୁଡିକରେ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରାଯିବ । ଜିଲ୍ଲାସ୍ତରୀୟ ଅଧିକାରୀ ଓ ସିଡିପିଓମାନଙ୍କୁ କାର୍ଯ୍ୟକ୍ରମରେ ଅଧିକରୁ ଅଧିକ ସଂପୃକ୍ତ ରହିବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୟାଳୟରେ ପ୍ରାର୍ଥନା ସମୟରେ ଛାତ୍ରଛାତ୍ରୀମାନଙ୍କୁ ଏ ସଂପର୍କରେ ସଚେତନ କରିବାକୁ ସେ ପରାମର୍ଶ ଦେଇଛନ୍ତି ।
ଅନୁଷ୍ଠିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସୁଶୀଲ କୁମାର ଲୋହାନୀ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା, ଶ୍ରମ ବିଭାଗ ପ୍ରମୁଖ ଶାସନ ସଚିବ ଚିତ୍ରା ଆରୁମୁଗମ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କମିଶନର ତଥା ଶାସନ ସଚିବ ଆଶ୍ୱତୀ ଏସ୍, ଉଚ୍ଚ ବିଭାଗ ସଚିବ ଶ୍ରୀ ଅରବିନ୍ଦ ଅଗ୍ରଓ୍ୱାଲ, ଜାତୀୟ ସ୍ୱାସ୍ଥ୍ୟ ମିଶନ ନିର୍ଦ୍ଦେଶିକା ଡ. ବୃନ୍ଦା ଡି., ଅନୁସୂଚିତ ଜନଜାତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ, ସୂଚନା ଓ ଲୋକ ସଂପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ସରୋଜ କୁମାର ସାମଲଙ୍କ ସମେତ ସଂପୃକ୍ତ ବିଭିନ୍ନ ବିଭାଗର ପଦାଧିକାରୀ ଉପସ୍ଥିତ ଥିଲେ ।