ଭୁବନେଶ୍ୱର : ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍ରେ ଓଡିଶା ସରକାର ସଂଶୋଧନ ଆଣିଥିଲେ ମଧ୍ୟ ସଂଶୋଧିତ ଆଇନ୍ ଆଧାରରେ ନିଯୁକ୍ତି ଦେବାରେ ବିଳମ୍ବ ଘଟୁଛି । ଏ ପରିପ୍ରେକ୍ଷୀରେ ଅଦାଲତଙ୍କ ଆଦେଶନାମା ଧରି ନିଯୁକ୍ତି ପାଇଁ ଅପେକ୍ଷା କରିଥିବା ପ୍ରାର୍ଥୀମାନେ ବାରଦ୍ୱାର ଶୁଣ୍ଢିପିଣ୍ଡା ହେବାପରେ ବାଧ୍ୟହୋଇ ଅଦାଲତ ଅବମାନନା ମାମଲା ରୁଜୁ କରୁଛନ୍ତି ।
ଏଠାରେ ଉଲ୍ଲେଖନୀୟ ଯେ ୧୯୯୦ ମସିହାରେ ଓଡିଶା ସରକାର ବିଧିବଦ୍ଧ ଭାବେ ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍ ଲାଗୁ କରିଥିଲେ । ଏହା ପୂର୍ବରୁ ଶ୍ରମ ବିଭାଗର ଏକ ନିର୍ଦ୍ଦେଶନାମା ଆଧାରରେ ଅନୁକମ୍ପାମୂଳକ ନିଯୁକ୍ତି ଦିଆଯାଉଥିଲା । ଯେଉଁମାନେ ସରକାରୀ ଚାକିରିରେ ଥାଇ ମୃତ୍ୟୁବରଣ କରିଥାନ୍ତି ସେମାନଙ୍କ ପରିବାରକୁ ତୁରନ୍ତ ଆର୍ଥିକ ଦୁଃସ୍ଥିତିରୁ ରକ୍ଷା କରିବାପାଇଁ ସରକାର ଏହି ବ୍ୟବସ୍ଥା କରିଥିଲେ । ଏହାଦ୍ୱାରା ମୃତ କର୍ମଚାରୀଙ୍କ ଜଣେ ଉତ୍ତରାଧିକାରୀଙ୍କୁ ତୃତୀୟ କିମ୍ବା ଚତୁର୍ଥଶ୍ରେଣୀ ଚାକିରିରେ ନିଯୁକ୍ତି ଦିଆଯାଉଥିଲା ।
ତେବେ ବିଜୁ ପଟ୍ଟନାୟକଙ୍କ ସରକାର ସମୟରେ ପ୍ରଣୟନ କରାଯାଇଥିବା ଏହି ଆଇନ୍କୁ ନବୀନ ପଟ୍ଟନାୟକଙ୍କ ସରକାର ସମୟରେ ୨୦୧୬ ଓ ୨୦୨୦ରେ ବଦଳା ଯାଇଥିଲା । ୨୦୨୦ର ନୂଆ ଅନୁକମ୍ପାମୂଳକ ନିଯୁକ୍ତି ଆଇନ୍ରେ ଲଗାଯାଇଥିବା କଟକଣାଗୁଡିକ ଯୋଗୁଁ ବହୁ ମୃତ କର୍ମଚାରୀଙ୍କ ଉତ୍ତରାଧିକାରୀ ବଞ୍ଚିତ ହେଉଥିଲେ । ଏମିତିକି ୨୦୨୦ର ଏହି ଆଇନ୍ ଆସିବା ପୂର୍ବରୁ ଅନୁକମ୍ପାମୂଳକ ନିଯୁକ୍ତି ଲାଗି ଯେତେସବୁ ଆବେଦନ ପଡି ରହିଥିଲା ସେସବୁକୁ ପୁରୁଣା ଆଇନ୍ ଆଧାରରେ ଫଏସଲା ନକରି ନୂଆ ଆଇନ୍ ଆଧାରରେ ଫଏସଲା କରିବାପାଇଁ ଏହି ଆଇନ୍ରେ ସ୍ୱତନ୍ତ୍ର ବ୍ୟବସ୍ଥା ଖଞ୍ଜା ଯାଇଥିଲା ।
ତେବେ ଓଡିଶା ହାଇକୋର୍ଟ ଏଭଳି ବ୍ୟବସ୍ଥାକୁ ନାପସନ୍ଦ କରିଥିବାବେଳେ ସୁପ୍ରିମକୋର୍ଟ ମଧ୍ୟ ମଳୟାନନ୍ଦ ସେଠୀ ମାମଲାରେ ରାୟ ଦେଇ ଏହି ଆଇନ୍କୁ ପିଛିଲା ତାରିଖରୁ ଲଗାଯାଇ ପାରିବନାହିଁ ବୋଲି ସ୍ପଷ୍ଟ କରିବା ସହ ଆବେଦନକାରୀଙ୍କ ପିତା ଏହି ଆଇନ୍ ଆସିବା ପୂର୍ବରୁ ମୃତ୍ୟୁବରଣ କରିଥିବା ଓ ସେ ଠିକଣା ସମୟରେ ଆବେଦନ କରିଥିବାରୁ ତାଙ୍କୁ ନୂଆ ଆଇନ୍ ଆଧାରରେ ଅନୁକମ୍ପାମୂଳକ ନିଯୁକ୍ତି ସୁଯୋଗରୁ ବଞ୍ଚିତ କରାଯାଇ ପାରିବନାହିଁ ବୋଲି କହିବାରୁ ସରକାର ବାଧ୍ୟହୋଇ ମଳୟାନନ୍ଦଙ୍କୁ ନିଯୁକ୍ତି ଦେଇଥିଲେ ।
ଓଡିଶା ସରକାରଙ୍କ ମାମଲା ନୀତିରେ ସ୍ପଷ୍ଟ ଉଲ୍ଲେଖ ରହିଛି ଯେ ଯେଉଁ ନୀତିଗତ ପ୍ରସଙ୍ଗ ଉପରେ ଅଦାଲତଙ୍କ ରାୟକୁ ସରକାର ମାନି ନେଇଛନ୍ତି ତାହା ଅନୁରୂପ ଘଟଣାଗୁଡିକ ଲାଗି ମଧ୍ୟ ପ୍ରଯୁଜ୍ୟ ହେବାକଥା । ତେବେ ରାଜ୍ୟ ସରକାର ଏ କ୍ଷେତ୍ରରେ ନିଜ ନୀତିକୁ ନିଜେ ନମାନିବାରୁ ହାଇକୋର୍ଟ ଓ ସୁପ୍ରିମ୍କୋର୍ଟରେ ଅନୁକମ୍ପାମୂଳକ ନିଯୁକ୍ତି ସଂକ୍ରାନ୍ତୀୟ ଶହ ଶହ ମାମଲା ରୁଜୁ ହେଉଛି ।
ଇତି ମଧ୍ୟରେ ବର୍ତ୍ତମାନର ସରକାର ଘୋଷଣା କରିଛନ୍ତି ଯେ ନୂଆ ଆଇନ୍ ଆସିବା ପୂର୍ବରୁ ଯେତେସବୁ ଅନୁକମ୍ପାମୂଳକ ନିଯୁକ୍ତି ଆବେଦନ ଆସିଛି ସେ ସବୁର ଫଏସଲା ପୁରୁଣା ଆଇନ୍ ଆଧାରରେ ହେବ । ଏକଥା ମଧ୍ୟ କେତେକ ମାମଲାରେ ସରକାରଙ୍କ ପକ୍ଷରୁ ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କୁ ଜଣାଇ ଦିଆଯାଇଛି । ତେବେ ଆଇନ୍ରେ ସଂଶୋଧନ କରି ସରକାରଙ୍କ ଘୋଷଣା ଓ ସୁପ୍ରିମକୋର୍ଟଙ୍କ ରାୟ ସତ୍ୱେ ଅନୁକମ୍ପାମୂଳକ ନିଯୁକ୍ତି ଆବେଦନ ସବୁ ଫଏସଲା କରିବାରେ ନିଯୁକ୍ତିଦାତାମାନେ ସମୟ ଗଡାଇ ଚାଲୁଥିବାରୁ ଅଦାଲତରେ ମାମଲା ଚାପ ବଢିବା ସହିତ ଅଧିକାରୀମାନଙ୍କ ବିରୁଦ୍ଧରେ ମାଳ ମାଳ ଅଦାଲତ ଅବମାନନା ମାମଲା ରୁଜୁ ହେବାରେ ଲାଗିଛି ।(ତଥ୍ୟ)