ଭୁବନେଶ୍ୱର : ଆଇନ୍ ଅଦାଲତର ନିର୍ଦ୍ଦେଶ ବହୁ କ୍ଷେତ୍ରରେ ଠିକଣା ଭାବେ ନିର୍ଦ୍ଧାରିତ ସମୟରେ ପାଳନ କରାଯାଉନଥିବାରୁ ମୁଖ୍ୟ ଶାସନ ସଚିବଙ୍କ ସମେତ ପଦସ୍ଥ ଅଧିକାରୀମାନଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ସଂଖ୍ୟା ବଢି ଚାଲିଛି । ଏହାର ସମାଧାନ ପାଇଁ ସାଧାରଣ ପ୍ରଶାସନ ବିଭାଗ କ୍ଷେତ୍ର ଦପ୍ତର ସମେତ ବିଭିନ୍ନ ବିଭାଗକୁ ଚିଠି ଲେଖୁଥିଲେ ବି ଅନେକ କ୍ଷେତ୍ରରେ ଏହାକୁ ଅଣଦେଖା କରାଯାଉଥିବାରୁ ସରକାର ଅଦାଲତର କାଠଗଡାରେ ଛିଡା ହେବାକୁ ବାଧ୍ୟ ହେଉଛନ୍ତି ।
ଏବେ ଓଡିଶା ହାଇକୋର୍ଟରେ ୧୧ହଜାରରୁ ଅଧିକ ଅଦାଲତ ଅବମାନନା ମାମଲା ପଡି ରହିଛି । ଏଥିରୁ ସଂଖ୍ୟାଧିକ ମାମଲା ହେଉଛି ରାଜ୍ୟ ସରକାରଙ୍କ ମୁଖ୍ୟ ଶାସନ ସଚିବଙ୍କ ସମେତ ପଦସ୍ଥ ଅଧିକାରୀମାନଙ୍କ ବିରୁଦ୍ଧରେ । ଅଦାଲତ ଅବମାନନା ମାମଲା ସଂଖ୍ୟା ବଢୁଥିବା ଦୃଷ୍ଟିରୁ ରାୟର ଅନୁପାଳନ କରିବା କିମ୍ବା ଏହା ବିରୁଦ୍ଧରେ ଉପର ଫୋରମରେ ଅପିଲ କରିବାପାଇଁ ପୂର୍ବରୁ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ବିଭିନ୍ନ ବିଭାଗ ଓ କ୍ଷେତ୍ର ଦପ୍ତରମାନଙ୍କୁ ସର୍କୁଲାର ପଠାଇଥିଲେ ।
ଇତି ମଧ୍ୟରେ ଏକ ମାମଲାରେ ହାଇକୋର୍ଟର ମୁଖ୍ୟ ବିଚାରପତି ବ୍ୟକ୍ତିଗତ ଭାବେ ମୁଖ୍ୟ ଶାସନ ସଚିବଙ୍କୁ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଥିଲେ । ଅଦାଲତରେ ବୃଦ୍ଧି ପାଉଥିବା ଅଦାଲତ ଅବମାନନା ମାମଲା ଘେନି ମୁଖ୍ୟ ଶାସନ ସଚିବ ଅବହିତ ହେବାପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ପାଇଁ କୁହାଯାଇଥିଲା । ସରକାରଙ୍କ ବିଭିନ୍ନ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର, ଜିଲ୍ଲାପାଳଙ୍କ ଦପ୍ତର ସମେତ ଅନ୍ୟ ଦପ୍ତରଗୁଡିକ ମାମଲା ଏବଂ ଏହା ଉପରେ ଆସୁଥିବା ଅଦାଲତି ନିର୍ଦ୍ଦେଶର ନିୟମିତ ସମୀକ୍ଷା କରି ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏହାପରେ ନିର୍ଦ୍ଦେଶ ଦିଆଯାଇଥିଲା । କେବଳ ସେତିକି ନୁହେଁ ପଦସ୍ଥ ଅଧିକାରୀମାନଙ୍କୁ ଅଦାଲତ ଅବମାନନା ମାମଲା ପ୍ରସଙ୍ଗରେ ଲଗାତାର ଭାବେ ମଧ୍ୟ ତାଲିମ ପ୍ରଦାନ କରିବାର ବ୍ୟବସ୍ଥା ହୋଇଛି ।
ବିଧି ଅଧିକାରୀମାନଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଏ ସଂକ୍ରାନ୍ତରେ ଗୋପବନ୍ଧୁ ଏକାଡେମୀରୁ ମଧ୍ୟ ତାଲିମ ନେଇଛନ୍ତି । ଏହା ସତ୍ୱେ ବି ସମସ୍ୟାର ସମାଧାନ ହେଉନାହିଁ । ବରିଷ୍ଠ ଅଧିକାରୀମାନେ ସ୍ୱୀକାର କରୁଛନ୍ତି ଯେ ଅଦାଲତଙ୍କ ରାୟର ଅନୁପାଳନ ଲାଗି ଉପରୁ ଯାଉଥିବା ଚିଠିଗୁଡିକ ବହୁ କ୍ଷେତ୍ରରେ ତଳ ସ୍ତରର ଅଧିକାରୀମାନଙ୍କ ନିକଟରେ ବାନ୍ଧିହୋଇ ରହିଯାଉଛି । ତେବେ ସମ୍ପୃକ୍ତ ବିଭାଗ, ବିଭାଗୀୟ ମୁଖ୍ୟ ଦପ୍ତର, ଜିଲ୍ଲାପାଳଙ୍କ ଦପ୍ତର ଓ ଅନ୍ୟ ଯେଉଁ ଦପ୍ତରଗୁଡିକରେ ଏଭଳି ଖାମଖିଆଲି ମନୋଭାବ ଜଣାପଡିବ ସେ କ୍ଷେତ୍ରରେ ସମ୍ପୃକ୍ତ ଅଧିକାରୀମାନଙ୍କୁ ଉତ୍ତରଦାୟୀ ରଖାଯିବ ଏବଂ ଅଦାଲତ ଅବମାନନା ମାମଲାରେ ଯଦି କୌଣସି ଅଧିକାରୀଙ୍କ ବିରୁଦ୍ଧରେ ଦଣ୍ଡବିଧାନ ହୁଏ ସେ କ୍ଷେତ୍ରରେ ସରକାର ସମ୍ପୃକ୍ତ ଅଧିକାରୀଙ୍କ ପକ୍ଷରୁ ମାମଲା ଲଢିବେ ନାହିଁ ଏବଂ ଏଥିପାଇଁ ବ୍ୟକ୍ତିଗତ ଭାବେ ସେ ଉତ୍ତରଦାୟୀ ରହିବେ ବୋଲି ପୂର୍ବରୁ ମଧ୍ୟ ରାଜ୍ୟ ସରକାରଙ୍କ ସତର୍କବାଣୀ ରହିଛି ।
ସାଧାରଣ ପ୍ରଶାସନ ବିଭାଗ ଇତି ମଧ୍ୟରେ ମୁଖ୍ୟ ଶାସନ ସଚିବ ପକ୍ଷଭୁକ୍ତ ଥିବା କେତେକ ମାମଲାର ସମୀକ୍ଷା କରି କାର୍ଯ୍ୟାନୁଷ୍ଠାନ ପାଇଁ ବିଭିନ୍ନ ଦପ୍ତରକୁ ଚିଠି ଲେଖିଛନ୍ତି । କେବଳ ସେତିକି ନୁହେଁ ହାଇକୋର୍ଟଙ୍କ ନିର୍ଦ୍ଦେଶର ଅନୁପାଳନ ସଂକ୍ରାନ୍ତୀୟ ରିପୋର୍ଟ ମଧ୍ୟ ଦାଖଲ କରିବାକୁ ନିର୍ଦ୍ଦିଷ୍ଟ ଭାବରେ କୁହାଯାଇଛି । ଏହା ସତ୍ୱେ କେତେକ ସ୍ଥଳରେ କାର୍ଯ୍ୟାନୁଷ୍ଠାନ ହେଉଥିବାବେଳେ ଆଉ କେତେକ ସ୍ଥଳରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଧିମା ପଡିଯାଉଥିବାରୁ ସରକାର ଅସୁବିଧାରେ ପଡୁଛନ୍ତି । ତେବେ ଏଭଳି କ୍ଷେତ୍ରରେ ଏଣିକି ସରକାର ଶୂନ୍ୟ ସହନଶୀଳତା ନୀତି ଆପଣେଇବାକୁ ବାଧ୍ୟ ହେବେ ବୋଲି ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି । (ତଥ୍ୟ)