Home General ପାର୍ବଣ ପାଇଁ ସତର୍କ କଲେ ମୁଖ୍ୟମନ୍ତ୍ରୀ

ପାର୍ବଣ ପାଇଁ ସତର୍କ କଲେ ମୁଖ୍ୟମନ୍ତ୍ରୀ

ଆଗାମୀ ଦଶହରା ଓ ଦୀପାବଳି ଅବସରରେ ଲୋକେ ଅଧିକ ସତର୍କ ହେବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି । ଆଜି ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ଦିନଗୁଡ଼ିକରେ ଆମେ କରୋନାକୁ ନିୟନ୍ତ୍ରଣ କରିପାରିଥିବା ବେଳେ ଆଗାମୀ ଦିନରେ ସତର୍କ ନ ହେଲେ ସବୁ ପରିଶ୍ରମ ପାଣିରେ ପଡ଼ିଯିବ । ତେଣୁ ଲୋକେ ପାର୍ବଣରେ ନିଜ ନିଜ ଘରେ ରହି ପର୍ବ ପାଳିବା ସହିତ ଅଧିକ ସତର୍କ ହେବାକୁ ସେ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଗତ ସାତ ମାସ ହେଲା ଓଡିଶା କରୋନା ବିରୋଧରେ ଲଢେଇ ଜାରି ରଖିଛି । ଏଥିପାଇଁ ଲୋକମାନଙ୍କୁ ଅନେକ କଷ୍ଟ, ଅନେକ ତ୍ୟାଗ ସ୍ୱୀକାର କରିବାକୁ ହେଉଛି । ବିଶେଷକରି ଆମର ପିଲାମାନେ ଓ ବୟସ୍କ ଲୋକମାନଙ୍କୁ ଘରେ ରହିବାକୁ ପଡୁଛି । ପିଲାମାନେ ସ୍କୁଲ ସାଙ୍ଗସାଥୀ ଓ ଖେଳିବାର ମଜା ନେଇପାରୁନାହାନ୍ତି । ବୟସ୍କ ଲୋକ ଏବଂ ପିଲାମାନେ ଘରେ ରହିବା ଦ୍ୱାରା ଆମେ କରୋନା ବିରୋଧରେ ଲଢେଇକୁ ଭଲ ଭାବରେ ଲଢିପାରିବା ।

ମୁଁ କହିବାକୁ ଚାହେଁ ଯେ, ଆପଣମାନଙ୍କ ତ୍ୟାଗ ବୃଥା ଯାଇନାହିଁ । ଓଡିଶା ଗତ ୬ ମାସରେ କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି । ଏଥିରେ ରାଜ୍ୟର ସବୁ ନାଗରିକଙ୍କ ସହଯୋଗ ରହିଛି । ଆପଣମାନେ ମୋର ଅନୁରୋଧ ରକ୍ଷା କରି ମାସ୍କ ପିନ୍ଧୁଛନ୍ତି । ହାତ ଧୋଉଛନ୍ତି ଏବଂ ସାମାଜିକ ଦୂରତା ବଜାୟ ରଖୁଛନ୍ତି । ଆବଶ୍ୟ କିଛି ଲୋକ ଟିକେ ଅମାନିଆ ହେଉଛନ୍ତି ସେମାନେ ପରିସ୍ଥିତିକୁ ଠିକ୍ ଭାବରେ ବୁଝିବା ଦରକାର ।

ଗତ ଦୁଇ ସପ୍ତାହ ହେଲା ରାଜ୍ୟରେ କରୋନା ସଂକ୍ରମିତ ସଂଖ୍ୟା କମିବା ଆରମ୍ଭ କରିଛି । ୨୬ ସେପ୍ଟେମ୍ବରରେ ରାଜ୍ୟରେ ସଂକ୍ରମିତ ସଂଖ୍ୟା ୪ ହଜାରରୁ ଅଧିକ ଥିବାବେଳେ ଆଜି ସଂକ୍ରମଣ ଦୁଇ ହଜାର ତଳକୁ ଖସିଛି, ସଂକ୍ରମିତ ହାର ମଧ୍ୟ କମିଛି ଏବଂ ଆଗକୁ ଆହୁରି କମିବ । ଆପଣ ଗଞ୍ଜାମ ଓ ଗଜପତି କଥା ଦେଖନ୍ତୁ । ଦୁଇ ମାସ ତଳେ ଗଞ୍ଜାମ ହଟ୍‍ସ୍ପଟ ଥିଲା । ପ୍ରତିଦିନ ଶହ ଶହ ସଂକ୍ରମିତ ବାହାରୁଥିଲା । ଲୋକଙ୍କ ସହଯୋଗ ଏବଂ କୋଭିଡ ଯୋଦ୍ଧାଙ୍କ ପରିଶ୍ରମ ସଫଳ ହୋଇଛି । ଗଞାମ ଓ ଗଜପତିରେ ସଂକ୍ରମଣ ବହୁତ କମିଯାଇଛି ଏବଂ ସେମାନେ ଏବେ ଅନ୍ୟ ଜିଲ୍ଲା ପାଇଁ ପ୍ରେରଣା ପାଲଟିଛନ୍ତି । କିନ୍ତୁ ଏଥିରେ ଆତ୍ମସନ୍ତୋଷ କରିବାର କିଛି ନାହିଁ । ତେଣୁ ଆମକୁ କରୋନା ଟୀକା ବାହାରିବା ପର୍ଯ୍ୟନ୍ତ ସାବଧାନ ରହିବାକୁ ହେବ ।

ଆପଣ ୟୁରୋପ କଥା ଦେଖନ୍ତୁ । ସେଠାରେ ମାର୍ଚ୍ଚ-ଅପ୍ରେଲରେ କରୋନା ଭୟଙ୍କର ରୂପ ନେଇଥିଲା । ଅନେକ ଲୋକ ଜୀବନ ହରାଇଲେ । ତା’ପରେ କରୋନା ଟିକେ କମିଥିଲେ ମଧ୍ୟ ଏବେ ପୁଣି ସଂକ୍ରମଣ ବହୁତ ବଢ଼ି ଯାଇଛି ଏବଂ ପୂର୍ବଠାରୁ ଅଧିକ ଭୟଙ୍କର ହୋଇଛି । ସେପ୍ଟେମ୍ବର ମାସରେ ଇଂଲଣ୍ଡରେ ଦୈନିକ ୧୨୦୦ ରୁ ଅଧକ କରୋନା ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ଅକ୍ଟୋବରରେ ଏହା ୧୭ ହଜାରରୁ ଅଧିକ ହେଲାଣି । ସେହିପରି ଫ୍ରାନ୍ସରେ ୩୧ ଅଗଷ୍ଟରେ ୩ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଥିବା ବେଳେ ୧୦ ଅକ୍ଟୋବରରେ ଏହା ୨୬ ହଜାରରୁ ଅଧିକ ହେଲାଣି ।

ଆମ ଭାରତ କଥା ଦେଖନ୍ତୁ । ଆମେରିକା ପରେ ଭାରତ ଏବେ କରୋନା ସଂକ୍ରମଣ କ୍ଷେତ୍ରରେ ବିଶ୍ୱରେ ଦୁଇ ନମ୍ବରରେ ରହିଛି । କେରଳ ସଫଳତାର ସହିତ କରୋନା ସଂକ୍ରମଣକୁ ରୋକିଥିଲା । କିନ୍ତୁ ଓନାମ ପର୍ବ ପରେ ଏବେ କେରଳରେ ସଂକ୍ରମଣ ତିନି ଗୁଣ ବଢ଼ି ଯାଇଛି ।

ବିଶେଷଜ୍ଞମାନେ କହୁଛନ୍ତି ଶୀତ ଋତୁରେ କରୋନା ଆହୁରି ଭୟଙ୍କର ରୂପ ନେବ । ଆଗକୁ ଦୁର୍ଗାପୂଜା ଓ ଦୀପାବଳୀ ଆସୁଛି । ମୋର ଅନୁରୋଧ, ପୂଜା ସମୟରେ ସର୍ବସାଧାରଣ ସ୍ଥାନମାନଙ୍କରେ ଭିଡ କରନ୍ତୁ ନାହିଁ । ଘରେ ରହି ମା’ଙ୍କ ପୂଜା କରିବା ସହ ପରିବାର ସହିତ ଘରେ ରହି ପର୍ବ ପାଳନ କରନ୍ତୁ । ବାହାରକୁ ଗଲେ ମାସ୍କ ପିନ୍ଧନ୍ତୁ, ହାତ ଧୁଅନ୍ତୁ ଏବଂ ସାମାଜିକ ଦୂରତା ରଖନ୍ତୁ । କାରଣ ଆଉ ଥରେ ସଂକ୍ରମଣ ବଢ଼ିଲେ ଆମେ ହଇରାଣ ହେବା । ଆମ ପରିବାର ହଇରାଣ ହେବ । ଆମେ ସାବଧାନ ହେଲେ, ସଂକ୍ରମଣ ବଢିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।