ଭୁବନେଶ୍ୱର : ପାର୍ବଣ ପାଖେଇ ଆସୁଥିବାବେଳେ ରାଜଧାନୀର ରାସ୍ତାଘାଟରେ ଖାଲ ଖମା ସଂଖ୍ୟା ବଢି ବଢି ଚାଳିଛି । ସହରର ମୁଖ୍ୟ ସଡକରେ ଖାଲଖମା ସଂଖ୍ୟା ବଢୁଥିବାବେଳେ ଗଳିକନ୍ଦି ରାସ୍ତାରେ ଗାଡି ଚଳାଇବା କଷ୍ଟକର ହୋଇ ପଡିଲାଣି । ଏହି ଖାଲ ଖମା ରାସ୍ତା ମରାମତି ନହେବା ଫଳରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।
ରାଜଧାନୀର ପ୍ରମୁଖ ରାସ୍ତା କୁହାଯାଉଥିବା ଜନପଥ, ସଚିବାଳୟ ମାର୍ଗ, ସିଆରପିରୁ ପାୱାର ହାଉସ୍, ପାୱାରହାଉସ୍ରୁ ନନ୍ଦନକାନନ ରାସ୍ତା, କଳ୍ପନାରୁ ଏଜିଛକ, ଶିଶୁଭବନ ଆଦି ରାସ୍ତା ଏବେ ଖାଲଖମାରେ ଭର୍ତ୍ତି । ପରସ୍ତ ପରସ୍ତ ପିଚୁ ଉଠିଗଲାଣି । କେତେକ ସ୍ଥାନରେ ପିଚୁ ଉଠି ମାଟି ବି ଦିଶିଲାଣି । ବର୍ଷା ସମୟରେ ଏହି ରାସ୍ତାରେ ଯିବା କଷ୍ଟକର ହୋଇପଡୁଛି । ଚାରିଚକିଆ ଯାନ ଯିବା ସମୟରେ ପଛପଟରୁ ଆସୁଥିବା ଯାନ ଚାଳକଙ୍କ ଉପରେ ଗୋଡି ମାଡ ହେଉଛି । ଯେଉଁଠାରେ ପାଣି ଜମୁଛି ସେଠାରେ ଗାଡିଗୁଡିକ ଖାଲରେ ପଡୁଛି ।
ସହରର ଏହି ପ୍ରମୁଖ ସଡକଗୁଡିକୁ ବାଦ୍ ଦେଲେ ବେହେରା ସାହି, ସୁନ୍ଦରପଦା, କାର୍ଗିଲରୋଡ୍ ଆଦିକୁ ସଂଯୋଗ କରୁଥିବା ରାସ୍ତା ସହିତ ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ରାସ୍ତା ଏବେ ଏକ ପ୍ରକାର ମରଣଯନ୍ତା ପାଲଟିଛି । ସୁନ୍ଦରପଦାକୁ ଯାଇଥିବା ରାସ୍ତା ଓ କାର୍ଗିଲ ରାସ୍ତାକୁ ସଂଯୋଗ କରୁଥିବା ସଡକର କାମ ବର୍ଷ ବର୍ଷ ଧରି ସରୁନାହିଁ । ଗୋଟିଏ ମୁଣ୍ଡରୁ ମାଟି ଓ ଗୋଡି କାମହୋଇ ଅନ୍ୟ ମୁଣ୍ଡରେ ପହଞ୍ଚିଲା ବେଳକୁ ପ୍ରଥମ ରାସ୍ତାକାମ ନଷ୍ଟହୋଇ ଯାଉଛି । ଫଳରେ ବର୍ଷ ବର୍ଷ ଧରି ପିଚୁ କାମ ନହୋଇ ବାରମ୍ବାର କ୍ରସରଗୁଣ୍ଡ ଓ ଗୋଡି ବିଛାଯାଉଛି ।
ରସୁଲଗଡ ନିକଟରେ ମଞ୍ଚେଶ୍ୱର ଶିଳ୍ପାଞ୍ଚଳରର ପ୍ରବେଶ ପଥରେ ବଡ ବଡ ଖାଲ ଖମା ଦେଖିଲେ ଏହା ଯେ ରାଜଧାନୀରେ ଅବସ୍ଥିତ ତାହା ବୁଝା ପଡୁନାହିଁ । ଏହିସବୁ ରାସ୍ତା ଦେଇ ପ୍ରତ୍ୟେକ ଦିନ ମନ୍ତ୍ରୀ, ବିଧାୟକ, କର୍ପୋରେଟର, ବରିଷ୍ଠ ସରକାରୀ ଅଧିକାରୀମାନେ ଯା’ଆସ କରୁଥିବାବେଳେ ରାସ୍ତାର ଅବସ୍ଥାରେ ସୁଧାର ନିଆସିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ସହର ଭିତରେ ସ୍ଥିତି କିଛି ଭଲ ନୁହେଁ । ଚକ୍ ଚକିଆ ଦିଶୁଥିବା କଳିଙ୍ଗ ଷ୍ଟାଡିୟମ ପାଶ୍ୱର୍ରେ ବେହେରା ସାହି ଭିତରେ କାଦୁଅ ପଚ ପଚ ରାସ୍ତା । ଏଠାରେ ଅବସ୍ଥା ଏଭଳି ଯେ ବର୍ଷା ହେଲେ ଲୋକେ ଘରୁ ବାହାରି ପାରୁ ନାହାନ୍ତି ।
ପୂର୍ବରୁ ରାଜଧାନୀରେ ରାସ୍ତାଘାଟ ଖରାପ ହେଲେ ନୂତନ ରାସ୍ତା ନିର୍ମାଣ ପର୍ଯ୍ୟନ୍ତ ତତ୍କାଳ ତାହାକୁ ମରାମତି କରାଯାଉଥିଲା । ଖାଲଗୁଡିକୁ ପିଚୁ ପକାଇ ପୋତା ଯାଉଥିଲା । ହେଲେ ଏବେ ତାହା ଆଉ ପ୍ରାୟତଃ ନାହିଁ । ପୂର୍ତ୍ତ ବିଭାଗର ଅଧିକାରୀମାନଙ୍କ ଦୃଷ୍ଟିକୁ ଏହା ଆସୁଛି କି ନାହିଁ ତାହାକୁ ନେଇ ସାଧାରଣରେ ଲୋକେ ପ୍ରଶ୍ନ କରୁଛନ୍ତି । ରାଜଧାନୀର ହାତଗଣତି କେତେକ ଛକରେ ଏବେ ରାତି ଅଧିଆ ପିଚୁରାସ୍ତା ତିଆରି ହେଉଥିବାବେଳେ ସହରର ଅନ୍ୟ ଅଞ୍ଚଳ ପ୍ରତି ବିଭାଗୀୟ ଯନ୍ତ୍ରୀମାନେ ଦୃଷ୍ଟି ନଦେବା ଏବେ ରାଜଧାନୀବାସୀଙ୍କୁ ଆଶ୍ଚର୍ଯ୍ୟ କରୁଛି । ଏହିସବୁ ଖାଲଖମା ରାସ୍ତା ଯଦି ମରାମତି କରାନଯାଏ ତେବେ ପାର୍ବଣ ସମୟରେ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିବ ବୋଲି ଲୋକେ ମତ ଦେଉଛନ୍ତି । (ତଥ୍ୟ)