Home General ପାର୍ବଣରେ ବିଗିଡିବ ଟ୍ରାଫିକ ସ୍ଥିତି

ପାର୍ବଣରେ ବିଗିଡିବ ଟ୍ରାଫିକ ସ୍ଥିତି

ଭୁବନେଶ୍ୱର : ଟ୍ରାଫିକ ବିବାଦକୁ ନେଇ ରାଜ୍ୟର ସବୁଠାରୁ ବଡ ହାଟ କୁହାଯାଉଥିବା ରାଜଧାନୀର ଏକ ନମ୍ବର ହାଟ ଅଚଳ ହୋଇଥିବାବେଳେ ଏବେ ସହରର ଟ୍ରାଫିକ ପରିଚାଳନା ଓ ସଡକ ନିର୍ମାଣକୁ ପ୍ରଶ୍ନ ଉଠିଛି । ତୁରନ୍ତ ଏହାର ସମାଧାନ ନହେଲେ ଆଗାମୀ ପାର୍ବଣ ସମୟରେ ରାଜଧାନୀବାସୀ ଘରୁ ବାହାରି ପାରିବେନାହିଁ ବୋଲି ମତପ୍ରକାଶ ପାଇଲାଣି ।

ସହରର ସବୁଠାରୁ ବ୍ୟସ୍ତ ବହୁଳ ବଜାର ହେଉଛି ଏକ ନମ୍ବର ହାଟ । ପନି ପରିବା ଠାରୁ ଗ୍ରୋସୋରୀ ଏବଂ ଅନ୍ୟାନ୍ୟ ସାମଗ୍ରୀ ପାଇଁ ରାଜଧାନୀର ଲକ୍ଷ ଲକ୍ଷ ଲୋକ ଦୈନିକ ଏଠାକୁ ଛୁଟି ଆସିଥାନ୍ତି । ହାଟର ଗୋଟିଏ ପଟେ ସରକାରୀ କ୍ୱାଟର୍ସ ଥିବାବେଳେ ଅନ୍ୟପଟେ ସଡକ ରହିଛି । ହେଲେ ହାଟର ସମ୍ମୁଖ ଭାଗରେ ରହିଥିବା ସଡକ ସମ୍ପ୍ରସାରିତ ହେଉନଥିବାବେଳେ ଏହା ଉପରେ ଚାପ ବଢିବା ଲାଗିଛି । ବିଶେଷକରି ତିନି ଦିଗରୁ ଲୋକେ ଏହି ସଡକରେ ପ୍ରବେଶ କରୁଥିବାରୁ ଅଧିକାଂଶ ସମୟ ଭିଡ ରହୁଛି ।

ଏହି ସଡକରେ ଭିଡ ହ୍ରାସ ପାଇଁ ଫ୍ଲାଇଓଭର ନିର୍ମାଣ ହୋଇଥିଲେ ମଧ୍ୟ ସେଥିରୁ ସେଭଳି ସୁଫଳ ମିଳିଲା ନାହିଁ । ବରଂ ଲୋକେ ପୋଲ ଉପରେ ଯିବା ବଦଳରେ ପୋଲ ତଳେ ଥିବା ରାସ୍ତାରେ ଯାଇ ଭିଡ କରୁଛନ୍ତି । ତେବେ ମାଷ୍ଟରକ୍ୟାଣ୍ଟିନ, କଳ୍ପନା ଓ ବାପୁଜିନଗର ପଟୁ ଏକାଧିକ ଗାଡିମୋଟର ପ୍ରବେଶ କରିବାରୁ ଏକ ନମ୍ବର ହାଟ ସମ୍ମୁଖ ସର୍ବଦା ଭିଡ ରହୁଛି । ଏପରିକି ହାଟ ନିକଟରେ ଥିବା ବ୍ୟାଙ୍କ୍‍, ଥାନା ଓ ଅନ୍ୟାନ୍ୟ ଦପ୍ତରକୁ ଯାଉଥିବା ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି ।

ସେହିଭଳି ସ୍ମାର୍ଟସିଟି କର୍ତ୍ତୃୃୃୃପକ୍ଷ ଏକ ନମ୍ବର ହାଟର ଅପର ପାଶ୍ୱର୍ରେ ବହୁତଳୀୟ ପାର୍କିଂ ସ୍ଥଳ ନିର୍ମାଣ କରିଥିଲେ ମଧ୍ୟ ସେଥିରୁ ସୁଫଳ ମିଳୁନାହିଁ । ଏଠାରେ ଗାଡି ରଖିବା ବଦଳରେ ଏକ ନମ୍ବର ହାଟ ଓ ମାର୍କେଟ ବିଲ୍ଡିଂକୁ ଆସୁଥିବା ଲୋକେ ଆଖପାଖର ଗଳିକନ୍ଦିରେ ଗାଡି ରଖୁଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ଏହାର ପରିଚାଳନା ଦାୟିତ୍ୱ ନେଇଥିବା ସଂସ୍ଥା ରୋଜଗାର ନହେବାରୁ ସେଥିରୁ ଓହରି ଯାଇଛି ।

ସେହିଭଳି ରାଜମହଲରୁ ଏଜି ଛକ ପର୍ଯ୍ୟନ୍ତ ଥିବା ରାସ୍ତାର ମଝି ଅଞ୍ଚଳଟି ଏବେ ଅଳିଆ ଆବର୍ଜନା ସହିତ ଲୋକେ ଏହାକୁ ଶୌଚାଳୟ ଭାବେ ବ୍ୟବହାର କରୁଛନ୍ତି । ଏହି ସ୍ଥାନରେ ପାର୍କିଂ ବ୍ୟବସ୍ଥା ହେଲେ ଅନେକ ଗାଡିମୋଟର ରହିପାରିବ ବୋଲି କିଛି ବ୍ୟବସାୟୀ ମତ ଦେଉଛନ୍ତି ।

ଏହାଛଡା ଫଳ ବ୍ୟବସାୟ ପାଇଁ ସ୍ୱତସ୍ତ୍ର ସ୍ଥାନ ନଥିବାରୁ ଶହ ଶହ ଫଳ ବେପାରୀ ଟ୍ରଲିରେ ଫଳ ଧରି ରାଜମହଲ ଠାରୁ ଏଜି ଛକ ପର୍ଯ୍ୟନ୍ତ ରାସ୍ତାକୁ ଅବରୋଧ କରି ରହୁଛନ୍ତି । ଅଧିକାଂଶ ସମୟ ଏମାନଙ୍କର ପୁଲିସ୍‍ ସହିତ ଲୁଚକାଳି ଖେଳ ଚାଲୁଛି । ପୁଲିସ୍‍ ଗୋଡାଇଲେ କିଛି ସମୟ ପାଇଁ ଗଳି କନ୍ଦିକୁ ପଳାଉଛନ୍ତି ଏବଂ ପରେ ଆସି ରାସ୍ତା ଉପରେ ହାଜର ହେଉଛନ୍ତି ।

ତେବେ ସବୁଠାରୁ ବଡ କଥା ହେଲା ଏକ ନମ୍ବର ହାଟ ପାଶ୍ୱର୍ରୁ ପାଇକାରୀ ପରିବା ବଜାରକୁ ସ୍ଥାନାନ୍ତର ପାଇଁ ହୋଇଥିବା ଯୋଜନା ଶୀତଳଭଣ୍ଡରରେ ରହି ଯାଇଛି । ଫଳରେ ଯେଉଁ ସ୍ଥାନରେ ଲୋକେ ଗାଡିମୋଟର ରଖିଥାନ୍ତେ ତାହାକୁ ପରିବା ବ୍ୟବସାୟୀମାନେ ଦଖଲ କରିନେଉଛନ୍ତି । ଏପରିକି ଏହି ଅଞ୍ଚଳରେ ସରକାରୀ କ୍ୱାଟର୍ସ ପାଇଥିବା ଅନେକ କର୍ମଚାରୀ ସଂଧ୍ୟା ସମୟରେ ନିଜ ଘରକୁ ଯିବାରେ ସମସ୍ୟା ଭୋଗୁଛନ୍ତି ।

ଏକ ନମ୍ବର ହାଟ ପାଶ୍ୱର୍ରେ ଲାଗି ରହିଥିବା ଏହି ଟ୍ରାଫିକ ସମସ୍ୟା ଉଗ୍ର ରୂପ ନେବାପରେ ଏବେ ବ୍ୟବସାୟୀମାନେ ମିଳିମିଶି ହାଟରେ ତାଲା ପକାଇଛନ୍ତି । କେବଳ ଏହି ଅଞ୍ଚଳ ନୁହେଁ ସହରର ସମସ୍ତ ପ୍ରମୁଖ ବ୍ୟବସାୟ ସ୍ଥାନରେ ଯେଭଳି ଟ୍ରାଫିକ ଭିଡ ବଢୁଛି ତାହାର ସମାଧାନ ନହେଲେ ଆଗାମୀ ପାର୍ବଣରେ ସ୍ଥିତି ଅସମ୍ଭାଳ ହେବବୋଲି ରାଜଧାନୀବାସୀ ଆଶଙ୍କା କଲେଣି । (ତଥ୍ୟ)