Home General ପାର୍ବଣରେ ଚୀନ୍‍ ସାମଗ୍ରୀ ହାଉଜାଉ

ପାର୍ବଣରେ ଚୀନ୍‍ ସାମଗ୍ରୀ ହାଉଜାଉ

ଭୁବନେଶ୍ୱର : ପାର୍ବଣଋତୁରେ ଏବେ ଲୋକେ ଅନ୍‍ଲାଇନ୍‍ ଜରିଆରେ ବିଭିନ୍ନ ସାମଗ୍ରୀ ଖରିଦ କରୁଥିବାବେଳେ ଇ-କମର୍ସ ସଂସ୍ଥାଗୁଡିକର କାରବାର ବଢିଛି । ତେବେ ଏହା ଜରିଆରେ ଚୀନ୍‍ ତିଆରି ସାମଗ୍ରୀଗୁଡିକ ବହୁଳମାତ୍ରାରେ ଲୋକଙ୍କ ନିକଟରେ ପହଞ୍ଚିବାରେ ଲାଗିଛି ।

ନିଜ ନିଜର ବ୍ୟବସାୟ ବୃଦ୍ଧିପାଇଁ ଇ-କମର୍ସ କମ୍ପାନୀଗୁଡିକ ବିଭିନ୍ନ ସାମଗ୍ରୀ ଉପରେ ମନୋଲୋଭା ରିହାତି ପ୍ରଦାନ କରୁଛନ୍ତି । ଏ ନେଇ ମାଳ ମାଳ ବିଜ୍ଞାପନ ବି ଦେଉଛନ୍ତି । ପୋଷାକ ଠାରୁ ଆରମ୍ଭକରି ଘରକରଣା ସାମଗ୍ରୀ, ଖେଳନା, ପ୍ରସାଧନ ସାମଗ୍ରୀ ସବୁକିଛି ଏମାନେ ଅନ୍‍ଲାଇନ୍‍ ଜରିଆରେ ବିକ୍ରି କରୁଛନ୍ତି ।

ହେଲେ ଲକ୍ଷ୍ୟ କରାଯାଉଛି ଯେ ଘରକରଣା, ଇଲେକଟ୍ରୋନିକ୍ସ ଓ ପ୍ଲାଷ୍ଟିକ ସାମଗ୍ରୀ ଆଦି ମଧ୍ୟରୁ ଅଧିକାଂଶ ହେଉଛି ଚୀନ୍‍ ନିର୍ମିତ । ଶସ୍ତାରେ ମିଳୁଥିବାରୁ ଲୋକେ ବହୁଳ ଭାବେ ଏହାକୁ ବରାଦ କରୁଛନ୍ତି । ତେଣୁ ପାର୍ବଣଋତୁରେ ଭାରତ ତିଆରି ସାମଗ୍ରୀ ଖରିଦ ପାଇଁ କେନ୍ଦ୍ର ସରକରେ ଯେତେ ଆହ୍ୱାନ ଦେଲେ ବି ଲୋକେ ଶସ୍ତାରେ ମିଳୁଥିବା ଚୀନ୍‍ ତିଆରି ସାମଗ୍ରୀଗୁଡିକୁ ଅଧିକ ମାତ୍ରାରେ ଖରିଦ କରୁଛନ୍ତି ।

ଆଗକୁ ଦୀପାବଳୀ ଆସୁଥିବାରୁ ଲୋକେ ରଙ୍ଗବେରଙ୍ଗର ଆଲୋକ ସହିତ ଘରସଜ୍ଜା ସାମଗ୍ରୀ ଖରିଦ କରୁଛନ୍ତି । ବଜାରରେ ମିଳୁଥିବା ସାମଗ୍ରୀ ଜରିଆରେ ଅନ୍‍ଲାଇନ୍‍ରେ ଅତ୍ୟନ୍ତ ଶସ୍ତା ଥିବା ଦର୍ଶାଯାଉଛି । ଏହି ଶସ୍ତାସାମଗ୍ରୀଗୁଡିକ ପ୍ରାୟତଃ ଚୀନ୍‍ ନିର୍ମିତ ରହୁଛି । ସେହିଭଳି ଅନ୍‍ଲାଇନ୍‍ ଜରିଆରେ ଯେତେ ପ୍ଲାଷ୍ଟିକ ତିଆରି ସାମଗ୍ରୀ ଆସୁଛି ତାହା ମଧ୍ୟରୁ ଅଧାରୁ ଅଧିକ ଚୀନ୍‍ ତିଆରି ସାମଗ୍ରୀ ରହୁଛି । ସେହିଭଳି ଶସ୍ତାରେ ମିଳୁଥିବା ବିଭିନ୍ନ ଇଲେକଟ୍ରୋନିକ ସାମଗ୍ରୀ ଯଥା ହାତଘଣ୍ଟା, ଇୟରଫୋନ୍‍ ଆଦି ବି ଚୀନ୍‍ ତିଆରି । ପୂର୍ବରୁ ଚୀନ୍‍ ନିର୍ମିତ ସାମଗ୍ରୀ ଉପରେ ‘ ମେଡ୍‍ ଇନ୍‍ ଚୀନ୍‍’ ବୋଲି ଲେଖାଯାଉଥିବାବେଳେ ଏବେ ଚୀନ୍‍ର ବିଭିନ୍ନ କମ୍ପାନୀ ଅତି ଚତୁର ଭାବେ ‘ମେଡ୍‍ ଇନ୍‍ ପିଆରସି’ ବୋଲି ଉଲ୍ଲେଖ କରୁଛନ୍ତି । ପିଆରସିର ପୂରା ଅର୍ଥ ହେଉଛି ପିପୁଲ୍ସ ରିପବ୍ଲିକ ଅଫ୍‍ ଚାଇନା । ଏହାକୁ ଗାଁ ଗହଳର ଲୋକେ ସହଜରେ ଧରିପାରୁ ନାହାନ୍ତି ।

ଦେଶର ପ୍ରଧାନମନ୍ତ୍ରୀଙ୍କ ଠାରୁ ଆରମ୍ଭ ବିଭିନ୍ନ ସ୍ତରରେ ପାର୍ବଣଋତୁରେ ଭାରତ ତିଆରି ସାମଗ୍ରୀ ଖରିଦ ପାଇଁ ଆହ୍ୱାନ ଦିଆଯାଉଛି । ଏହାଦ୍ୱାରା ଆମର ଦେଶୀୟ କାରିଗରମାନେ ଲାଭାନ୍ୱିତ ହେବେ ଏବଂ ଭାରତର ଅର୍ଥ ଦେଶ ବାହାରକୁ ଯିବନାହିଁ । ହେଲେ ଚୀନ୍‍ ସାମଗ୍ରୀ ଉପରେ କଟକଣା ନଥିବା ଏବଂ ଇ-କମର୍ସ କମ୍ପାନୀଗୁଡିକ କେଉଁ ସାମଗ୍ରୀ ଭାରତ ତିଆରି ଓ କେଉଁ ସାମଗ୍ରୀ ଚୀନ୍‍ ତିଆରି ତାହା ଗ୍ରାହକମାନଙ୍କ ପାଇଁ ଖରିଦ ପୂର୍ବରୁ ସ୍ପଷ୍ଟଭାବେ ଉଲ୍ଲେଖ କରୁନଥିବାରୁ ଏବେ ଲୋକେ ଅଧିକ ପରିମାଣରେ ଚୀନ୍‍ ତିଆରି ସାମଗ୍ରୀ ଖରିଦ କରୁଛନ୍ତି ।

ପାର୍ବଣ ଋତୁରେ ଯେଉଁଭଳି ଭାବେ ଚୀନ୍‍ ସାମଗ୍ରୀ ଭାରତର ଗାଁ ଗହଳରେ ପ୍ରବେଶ କରୁଛନ୍ତି ତାହା କେବଳ ଆମର ଛୋଟ ଛୋଟ ବ୍ୟବସାୟୀ କିମ୍ବା କାରିଗରମାନଙ୍କୁ ପ୍ରଭାବିତ କରିବ ନାହିଁ ଗାଁ ଠାରୁ ସହର ପର୍ଯ୍ୟନ୍ତ ଚୀନ୍‍ରୁ ଆସୁଥିବା ଟନ୍‍ ଟନ୍‍ ପ୍ଲାଷ୍ଟିକ ଆବର୍ଜନା ଗଦାହୋଇ ପରିବେଶକୁ କ୍ଷତି ପହଞ୍ଚାଇବ । ତେଣୁ ଭାରତ ସରକାର ତୁରନ୍ତ ସାମଗ୍ରୀ ନିର୍ମାତାଙ୍କ ନାମ ଯେଭଳି ଇ-କମର୍ସ କମ୍ପାନୀମାନେ ସ୍ପଷ୍ଟଭାବେ ଉଲ୍ଲେଖ କରିବେ ସେ ଦିଗରେ ପଦକ୍ଷେପ ନେବାକୁ ମତପ୍ରକାଶ ପାଉଛି । (ତଥ୍ୟ)