Home Infrastructure ପାରାଦୀପ ବନ୍ଦରରେ ଖର୍ଚ୍ଚ ହେବ ୩୦୦୪ କୋଟି

ପାରାଦୀପ ବନ୍ଦରରେ ଖର୍ଚ୍ଚ ହେବ ୩୦୦୪ କୋଟି

ଭୁବନେଶ୍ୱର : ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟ ଦୀର୍ଘମିଆଦି ରଣନୀତିକ ଭିତ୍ତିଭୂମି ଯୋଜନାର ଖସଡା ପ୍ରସ୍ତୁତ କରିଛି । ଏହି ପ୍ରକଳ୍ପ ଆର୍ଥିକ ସାମାଜିକ ଓ ପରିବେଶ ଦୃଷ୍ଟିରୁ ଅନୁକୂଳ ହେବା ସହ ସ୍ଥାୟୀ ଓ ନିରନ୍ତର ବିକାଶରେ ସହାୟକ ହେବ । ଏହିପରି ଏକ ଆଖିଦୃଶିଆ ପଦକ୍ଷେପ ହେଉଛି ପାରାଦୀପ ବନ୍ଦର ବିକାଶ ପ୍ରକଳ୍ପ ଯାହା ଏହି ବନ୍ଦରକୁ ବିଶ୍ୱ ସ୍ତରୀୟ କରିବା ସହ ବୃହତ ଜାହାଜ ପରିଚାଳନାଗତ ସାମର୍ଥ୍ୟ ବୃଦ୍ଧି କରିବ । ପୂର୍ବାଞ୍ଚଳ ରାଜ୍ୟଗୁଡିକର ବିକାଶ ଉପରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱ ପରିପ୍ରେକ୍ଷୀରେ ଏହିଭଳି ଦୂରଦୃଷ୍ଟି ସମ୍ପନ୍ନ ନିଷ୍ପତ୍ତି  ଗ୍ରହଣ କରାଯାଇଛି ।

ଏହି ପ୍ରକଳ୍ପ ଜରିଆରେ ପାରାଦୀପ ବନ୍ଦରର ଭିତର ପୋତାଶୟକୁ ଗଭୀର କରାଯିବା ସହ ନିର୍ମାଣାଧୀନ ପଶ୍ଚିମ ଡକ୍‌ର ବିକାଶ ସରକାରୀ  ଓ ଘରୋଇ ଭାଗିଦାରିତା (ପିପିପି) ମୋଡର କରାଯିବ । ପ୍ରକଳ୍ପ ବାବଦ ବ୍ୟୟ ଅଟକଳ ୩୦୦୪. ୬୩ କୋଟି ଟଙ୍କା ରଖାଯାଇଛି । ଏଥିରେ ନୂତନ ପଶ୍ଚିମ ଡକର ବି.ଓ.ଟି ଭିତ୍ତିକ ବିକାଶ ଓ କେତେକ ନିର୍ଦ୍ଦିଷ୍ଟ ସ୍ଥାନର ଡ୍ରେଜିଂ ଯଥାକ୍ରମେ ୨,୦୪୦ କୋଟି ଓ ୩୫୨, ୧୩ କୋଟି ଟଙ୍କା ବ୍ୟୟରେ କରାଯିବ । ଅନ୍ୟାନ୍ୟ ସହକାରୀ ପ୍ରକଳ୍ପଭିତ୍ତିଭୂମି ବିକାଶ ବାବଦକୁ ପାରାଦୀପ ବନ୍ଦର ପକ୍ଷରୁ ୬୧୨.୫୦କୋଟି ଟଙ୍କା ଖର୍ଚ୍ଚ କରାଯିବ ।

କେନ୍ଦ୍ର ବନ୍ଦର, ଜାହାଜ ଚଳାଚଳ ଓ ଜଳପଥ ବିକାଶ ମନ୍ତ୍ରୀ ଶ୍ରୀ ସର୍ବାନନ୍ଦ ସୋନୋୱାଲ ଏହି ପ୍ରକଳ୍ପର ସଫଳତା  ପାରାଦୀପକୁ ଏକ ବୃହତ ବନ୍ଦରର ମାନ୍ୟତା ଦେବ ବୋଲି କହିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ପୂର୍ବାଞ୍ଚଳ ରାଜ୍ୟ ସମୂହ ବିକାଶ ଯୋଜନାର ଏହା ଅଂଶ ବୋଲି ଶ୍ରୀ ସୋନୋୱାଲ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଏହି ପ୍ରକଳ୍ପ ଯୋଗୁଁ ବନ୍ଦରର ସାମର୍ଥ୍ୟ ବୃଦ୍ଧି ପାଇଁ ଏହା ବୃହତ୍ ଜାହାଜ ମାଲପରିବହନ ସୁରୁଖୁରୁରେ କରିପାରିବ । ଏହା ବ୍ୟତୀତ ଏହାର ବର୍ତ୍ତମାନର ସାମାର୍ଥ୍ୟଠାରୁ ଆହୁରି ଅଧିକ ବାର୍ଷିକ ୨୫ ନିୟୁତ ମେଟ୍ରିକ ଟନ ବୃଦ୍ଧି ପାଇବ । ଫଳରେ ବନ୍ଦରର ଦକ୍ଷତା ବୃଦ୍ଧି ସହ ପଣ୍ୟ କାରବାର ମଧ୍ୟ ବୃଦ୍ଧି ପାଇବ । ଏହାଦ୍ୱାରା ସାମାଜିକ-ଆର୍ଥିକ ଅଭିବୃଦ୍ଧି ସାଙ୍ଗକୁ କର୍ମନିଯୁକ୍ତି ମଧ୍ୟ ଅଧିକ ହେବ ।

ଏହି ପ୍ରକଳ୍ପ ଯୋଗୁଁ ବନ୍ଦରର ଭିଡ ହ୍ରାସ ସାଙ୍ଗକୁ ସାମୁଦ୍ରିକ ଦେୟ ହ୍ରାସ ପାଇ କୋଇଲା ଆମଦାନୀ ମଧ୍ୟ ଶସ୍ତା ହେବ । ଏହା ଶିଳ୍ପାଞ୍ଚଳ ଅର୍ଥ ବ୍ୟବସ୍ଥାକୁ ଉନ୍ନତ କରିବା ସହ ଅଧିକ କର୍ମନିଯୁକ୍ତି ମଧ୍ୟ ସୃଷ୍ଟି କରିବ । ପ୍ରକଳ୍ପ ସମ୍ପୂର୍ଣ୍ଣ ହେବା ପରେ ପାରାଦୀପ ବନ୍ଦରରେ ସହଜରେ ବଡ ବଡ ଜାହାଜ ଯାତାୟାତ ଓ ରକ୍ଷଣାବେକ୍ଷଣ କରିବା ସହ ବର୍ତ୍ତମାନର ପ୍ରତିଯୋଗୀତାମୂଳ ବୈଶ୍ୱିକ ବାତାବରଣରେ ଆମଦାନୀ-ରପ୍ତାନୀ କାରବାର ସହଜରେ କରିପାରିବ।

ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ୧୯୬୬ ମସିହାରେ କେବଳ ଏକକ ସାମଗ୍ରୀ ତଥା ଲୁହାପଥର ରପ୍ତାନୀ ଉଦ୍ଦେଶ୍ୟରେ ଗଠିତ ହୋଇଥିଲା । ବିଗତ ୫୪ ବର୍ଷ ମଧ୍ୟରେ ବନ୍ଦର ଅନେକ ଦ୍ରବ୍ୟ ଆମଦାନୀ ରପ୍ତାନୀ କରିଆସୁଛି । ସେଗୁଡିକ ମଧ୍ୟରେ ଲୁହାପଥର, କ୍ରୋମ ପଥର, ଆଲୁମିନିୟମ ଧାତୁପିଣ୍ଡ, କୋଇଲା, ସାର, କଂଚାମାଲ, ଚୂନପଥର ସମ୍ପୂର୍ଣ୍ଣ ବିକଶିତ ଇସ୍ପାତ ସାମଗ୍ରୀ କଣ୍ଟେନର ଇତ୍ୟାଦି ଅନ୍ତର୍ଭୁକ୍ତ । ପାରାଦୀପ ବନ୍ଦର କର୍ତ୍ତୃପକ୍ଷ ପ୍ରକଳ୍ପ ସହାୟକ ଭିତ୍ତିଭୂମି ସହ ଆନୁଷ୍ଠାନିକ ସାହାଯ୍ୟ ବୃହତ ଜାହାଜ ପରିଚାଳନା ପାଇଁ ଯୋଗାଇଦେବ । ଏଥିରେ  ବାର୍ଷିକ ୨୫ଲକ୍ଷ ମେଟ୍ରିକ ଟନ ପଣ୍ୟ କାରବାର କ୍ଷମତା ରହିବ । ଏହା ଦୁଇଟି ପର୍ଯ୍ୟାୟରେ ୧୨.୫୦ ଏମ୍‌ପି.ପିଏ ହିସାବରେ ରହିବ  । କାମ ଆରମ୍ଭର ୩୦ବର୍ଷ ମଧ୍ୟରେ ଏହି କନ୍‌ସେସନ ପିରିୟଡ ରହିବ ।

ଏହା କୋଇଲା ଓ ଚୂନା ପଥର ଆମଦାନୀର ଆବଶ୍ୟକତା ପୂରଣ କରିବା ସହ ତରଳ ଧାତବୀୟ ଖଣ୍ଡ ଓ ବିକଶିତ ଇସ୍ପାତ ସାମଗ୍ରୀ ପାରାଦୀପ ବନ୍ଦର ଆଖାପାଖରେ ଇସ୍ପାତ କାରଖାନା ସ୍ଥାପିତ ହେଲେ ରପ୍ତାନୀ ଦୃଷ୍ଟିରୁ ସହାୟକ ହେବ ।