Home News in Odia ପାନ୍ଥନିବାସର ଲିଜ୍‍ ପ୍ରକ୍ରିୟା ଆରମ୍ଭ

ପାନ୍ଥନିବାସର ଲିଜ୍‍ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ସ୍ଥାନରେ ପର୍ଯ୍ୟଟନ ବିଭାଗର ଥିବା ୬ଟି ପାନ୍ଥନିବାସ ଓ ଯାତ୍ରୀନିବାସକୁ ସରକାରୀ ଘରୋଇ ସହଭାଗିତା (ପିପିପି) ମୋଡ୍‍ରେ ବିକାଶ କରିବା ଲାଗି ପ୍ରକ୍ରିୟା ଆରମ୍ଭ ହୋଇଛି । ଏଗୁଡିକ ମଧ୍ୟରେ ପାରାଦୀପ୍‍ ପାନ୍ଥନିବାସ, କେନ୍ଦୁଝର ପାନ୍ଥନିବାସ, ସାତପଡା ଯାତ୍ରୀନିବାସ, କୋଣାର୍କ ଯାତ୍ରୀନିବାସ, ଟିଆରସି ଗୋପାଳପୁର ଏବଂ ପାରାଳାଖେମୁଣ୍ଡିରେ ଥିବା ବିଏନ୍‍ ପ୍ୟାଲେସ୍‍ ରହିଛି ।

ଲିଜ୍‍ରେ ଦିଆଯିବାକୁ ଥିବା ପର୍ଯ୍ୟଟନ ବିଭାଗର ଏହି ସମ୍ପତ୍ତି ମଧ୍ୟରୁ ସାତପଡା ଯାତ୍ରୀନିବାସ, କୋଣାର୍କ ଯାତ୍ରୀନିବାସର ଗୋଟିଏ ଭାଗ, କେନ୍ଦୁଝର ଓ ପାରାଦୀପ୍‍ ପାନ୍ଥନିବାସ କାର୍ଯ୍ୟକ୍ଷମ ଥିବାବେଳେ ଅନ୍ୟଗୁଡିକ ଚାଲିବା ଅବସ୍ଥାରେ ନାହିଁ । ଏହି ସମସ୍ତକୁ ବଛା ଯାଇଥିବା ଘରୋଇ ସଂସ୍ଥାକୁ ଆଗାମୀ ୩୦ବର୍ଷ ସକାଶେ ଲିଜ୍‍ରେ ଦେଇ ଦିଆଯିବ । ଏହି ସମୟ ଅବଧିକୁ ଆଉ ୩୦ବର୍ଷ ବୃଦ୍ଧି କରାଯିବାର ବ୍ୟବସ୍ଥା ରହିଛି । ଏଥିପାଇଁ ଲିଜ୍‍ଧାରୀ ଓ ପର୍ଯ୍ୟଟନ ବିଭାଗ ମଧ୍ୟରେ ରାଜିନାମା ହେବ ।

୩୦ବର୍ଷ ପୂରଣ ହେବାର ୬ମାସ ପୂର୍ବରୁ ଉଭୟ ଲିଜଧାରୀ ଓ ପର୍ଯ୍ୟଟନ ବିଭାଗ ପରବର୍ତ୍ତୀ ୩୦ବର୍ଷ ଲିଜ୍‍ ବୃଦ୍ଧି ପାଇଁ ରାଜି ହେବା ଆବଶ୍ୟକ । ଏଭଳି ଲିଜ୍‍ ବୃଦ୍ଧିଲାଗି ଲିଜ୍‍ଧାରୀଙ୍କୁ କୌଣସି ଅତିରିକ୍ତ ଦେୟ ଦେବାକୁ ପଡିବନାହିଁ । କେବଳ ବାର୍ଷିକ ଲିଜ୍‍ ଦେୟ ଯେଭଳି ଦ୍ୱିବର୍ଷରେ ବୃଦ୍ଧି ହୋଇଥାଏ ସେ ସଂକ୍ରାନ୍ତରେ ଅତିରିକ୍ତ ସମୟ ଲାଗି ବୁଝାମଣା ହେବ ।

ଲିଜ୍‍ଧାରୀମାନେ ନିଜ ଅର୍ଥରେ ଏହିସବୁ ପାନ୍ଥନିବାସ ଓ ଯାତ୍ରୀନିବାସର ପୁନଃବିକାଶ, ପରିଚାଳନା, ବଜାର ବ୍ୟବସ୍ଥା ମରାମତି ଆଦି କରିବେ । ଆବଶ୍ୟକ ସ୍ଥଳେ ପୁନଃବିକାଶ ଲାଗି ଲିଜଧାରୀ ପର୍ଯ୍ୟଟନ ବିଭାଗରୁ ଆଗୁଆ ଅନୁମତି ନେଇ ଏହାକୁ ଆଂଶିକ କିମ୍ବା ସମ୍ପୂର୍ଣ୍ଣ ଭାବେ ଭାଙ୍ଗିପାରିବେ । ତେବେ ପାରଳାଖେମୁଣ୍ଡି ସ୍ଥିତ ବିଏନ୍‍ ପ୍ୟାଲେସ ଏଥିରୁ ବାଦ୍‍ ଦିଆଯାଇଛି । ତେବେ ବିଏନ୍‍ ପ୍ୟାଲେସକୁ ଲିଜ୍‍ଧାରୀ ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟର ଐତିହ୍ୟ ହୋଟେଲ ନେଇ ଜାରି ମାର୍ଗଦର୍ଶିକା ଅନୁଯାୟୀ ଐତିହ୍ୟ ହୋଟେଲରେ ରୂପାନ୍ତରିତ କରିପାରିବେ । ତେବେ ଏହି ପ୍ୟାଲେସରେ ଥିବା କୌଣସି ଐତିହ୍ୟ କିର୍ତ୍ତୀରାଜିକୁ ବଦଳାଇ ପାରିବେ ନାହିଁ ।

ତେବେ ଏହି ସମସ୍ତ ସମ୍ପତ୍ତିର ବିକାଶ ଲାଗି ଯେଉଁସବୁ ନିର୍ମାଣ ଓ ପରିବର୍ତ୍ତନ କାର୍ଯ୍ୟ ହେବ ସେଥିପାଇଁ ପର୍ଯ୍ୟଟନ ବିଭାଗରୁ ଆଗୁଆ ଅନୁମତି ନେବାକୁ ପଡିବ । ଏଥି ସହିତ ଲିଜ୍‍ଧାରୀ ପରିବେଶ ମାନଦଣ୍ଡ ପାଳନ କରିବା ସହିତ କୌଣସି ଠାରେ କେନ୍ଦ୍ର କିମ୍ବା ରାଜ୍ୟ ପରିବେଶ ସଂସ୍ଥା ନିୟମର ଉଲ୍ଲଙ୍ଘନ ନକରିବା ନେଇ ସୁନିଶ୍ଚିତ କରିବେ ।

ଇତି ମଧ୍ୟରେ ସମ୍ବଲପୁର ସ୍ଥିତ ନିମନ୍ତ୍ରଣ ରେଷ୍ଟୁରାଣ୍ଟକୁ ୫ବର୍ଷ ପାଇଁ ସରକାରୀ ଘରୋଇ ସହଭାଗିତା (ପିପିପି)ମୋଡରେ ଚଳାଇବା ଲାଗି ଲିଜ୍‍ରେ ଦେବାକୁ ପର୍ଯ୍ୟଟନ ବିଭାଗ ପକ୍ଷରୁ ଟେଣ୍ଡର ଆହ୍ୱାନ କରାଯାଇଛି । ପର୍ଯ୍ୟଟନ ବିଭାଗର ଭୁବନେଶ୍ୱର ଓ ପୁରୀରେ ଦୁଇଟି ନିମନ୍ତ୍ରଣ ରେଷ୍ଟୁରାଣ୍ଟ ଥିବାବେଳେ ସମ୍ବଲପୁରରେ ଏହା ଉଦଘାଟନ ଅପେକ୍ଷାରେ ଅଛି । (ତଥ୍ୟ)